ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ । ବରଗଡ଼ ସରଲା ଜାମପାଲି ଗାଁର ଶିଶୁ କନ୍ୟା ସହ ଦମ୍ପତି ନିଖୋଜ । ଗୁନ୍ନମ ଜୟକ୍ରିଷ୍ଣା, ଗୁନ୍ନମ ସାଇ ବିନ୍ଦୁ କୁମାରୀ ଓ ୨ ବର୍ଷର ଝିଅ ନିଖୋଜ । ସୂଚନା ଅନୁସାରେ, ଗୁନ୍ନମ ଜୟକ୍ରିଷ୍ଣା ନେପାଳରେ ଏକ ହାଇଡ୍ରୋ ପ୍ରୋଜେକ୍ଟରେ କାମ କରୁଥିଲେ। ତେବେ ନେପାଳରେ ବନ୍ୟା ପରିସ୍ଥିତି ଭୟଙ୍କର ହେବା ପରେ ପରିବାର ସହ ତାଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ପରିବାର ଲୋକେ ବାରମ୍ବାର ଯୋଗାଯୋଗ ପାଇଁ ଚେଷ୍ଟା କରୁଥିଲେ ମଧ୍ୟ କୌଣସି ପ୍ରକାର ସମ୍ପର୍କ ସ୍ଥାପନ ହୋଇପାରୁନାହିଁ ।
ଏହାକୁ ନେଇ ଏବେ ଚିନ୍ତାରେ ପରିବାର ଓ ଆତ୍ମୀୟସ୍ୱଜନ । ଘଟଣାକୁ ନେଇ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମଧ୍ୟ ସୂଚନା ଦେଇଛନ୍ତି । ନେପାଳରେ ବରଗଡ଼ ସରଲା ଜାମପାଲି ଅଞ୍ଚଳର ଏକ ଦମ୍ପତି ଏବଂ ସେମାନଙ୍କ ଶିଶୁ ନିଖୋଜ ଥିବା ସେ କହିଛନ୍ତି । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି । ନେପାଳରେ ଥିବା ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରି ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ସେପଟେ ନେପାଳରେ ପୁଣି ବନ୍ୟା ଭୟ । ସୁରକ୍ଷିତ ସ୍ଥାନକୁ ଦୌଡୁଛନ୍ତି ଲୋକ । ଆଉ ଏକ ହ୍ରଦ ଫାଟିଥିବା ସୂଚନା ମିଳିଛି । ମାଇକ ଯୋଗେ ଲୋକଙ୍କୁ ସତର୍କ କରୁଛି ପୋଲିସ । ନଦୀରେ ପ୍ରବାହିତ ହୋଇପାରେ ୫ ଗୁଣା ଅଧିକ ପାଣି ।
