ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ୧୨ ତାରିଖ ଯାଏ ଘଡ଼ଘଡ଼ି, ବିଜୁଳି ସହ ପ୍ରବଳ ବର୍ଷା ହେବ। ତେବେ ୧୦ ତାରିଖ ଗୁରୁବାର ପାଇଁ ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଅତିପ୍ରବଳ ବର୍ଷା ନେଇ ଜିଲ୍ଲାକୁ IMDର ରେଡ୍ ୱାର୍ଣ୍ଣିଂ ପରେ ନିଷ୍ପତ୍ତି ନିଆଯାଇଛି। ସବୁ ସରକାରୀ ପ୍ରାଥମିକ ଠାରୁ ଉଚ୍ଚ ମାଧ୍ୟମିକ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଘରୋଇ ସ୍କୁଲରେ ପୂର୍ବାହ୍ନ ୧୦ଟା ପରେ ପାଠପଢ଼ା ବାତିଲ୍ ନିର୍ଦ୍ଦେଶ ଦିଆଯାଇଛି। ମୟୂରଭଞ୍ଜକୁ ରେଡ୍, କେନ୍ଦୁଝର, ଭଦ୍ରକ, ବାଲେଶ୍ବରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାକି ୨୬ଜିଲ୍ଲାକୁ ବି ୟେଲୋ ସତର୍କତା ଜାରି କରାଯାଇଛି।
୧୪ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ବାଂଲାଦେଶ-ପଶ୍ଚିମବଙ୍ଗ-ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ତଥା ଉପକୂଳ ନିକଟ ସମୁଦ୍ର ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ଝଟକା ପବନ ୬୦ କିମି ପର୍ଯ୍ୟନ୍ତ ବହିବାର ସମ୍ଭାବନା ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ବାଂଲାଦେଶ-ପଶ୍ଚିମବଙ୍ଗ-ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ତଥା ଉପକୂଳ ନିକଟ ସମୁଦ୍ର ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି ।
