ଗଞ୍ଜାମ(ବଡ଼ ଖବର ବ୍ୟୁରୋ): କାଚୁଛି ବର୍ଷା, ବହିଲାଣି ପବନ । ସମୁଦ୍ରରୁ ମାଡ଼ିଆସୁଛି ବଡ଼ ବର୍ଷା। ଦକ୍ଷିଣ ଓ ଉପକୂଳକୁ ଅଧିକ ବିପଦ। ୨୩ ଓ ୨୪ରେ ହେବ ସାଂଘାତିକ ବର୍ଷା । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ନିର୍ଘାତ ବର୍ଷା ଆଶଙ୍କା ରହିଛି । ଉପକୂଳରେ ବି ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ୨୫ରୁ ପଶ୍ଚିମ ଓଡ଼ିଶାରେ ବର୍ଷା ବଢ଼ିପାରେ । ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀ ଫୁଲିବା ଆଶଙ୍କା କରାଯାଉଛି । ହେଲେ ବାତ୍ୟା ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନରୁ ସ୍ପଷ୍ଟ ହେଉଛି । ଗଭୀର ଅବପାତ ରୂପରେ ଏହା ବିଶାଖପାଟଣାରୁ ଗୋପାଳପୁର ମଝିରେ ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବ ।
ପୁରୀ ଓ ଗୋପାଳପୁର ଉପକୂଳରୁ ପ୍ରାୟ ୩୧୦ କିଲୋମିଟର ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ଭିତରେ ମଙ୍ଗଳବାର ସନ୍ଧ୍ୟା ବେଳକୁ ଗଭୀର ଅବପାତ ରୂପ ନେବ । ବୁଧବାର ବିଳମ୍ବିତ ସନ୍ଧ୍ୟାରେ ବିଶାଖପାଟଣାଠାରୁ ସାମାନ୍ୟ ଉତ୍ତର ଦେଇ ସ୍ଥଳଭାଗରେ ପ୍ରବେଶ କରିବ ଗଭୀର ଅବପାତ । ସେତେବେଳକୁ ପବନର ବେଗ ୫୦ରୁ ୬୦ କିଲୋମିଟର ଏବଂ ପବନ ଧକ୍କା ୭୦ କିମି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
୨୨ରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓ ଦକ୍ଷିଣର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।
୨୩ରୁ ୨୫ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ । ୨୩ ଓ ୨୪ରେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ୨୩ରେ ଗଞ୍ଜାମ, ଗଜପତି ଓ କୋରାପୁଟ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ । ଜଗତସିଂହପୁର, କଟକ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏହାବାଦ୍ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୨୪ରେ ଦକ୍ଷିଣର ବିଭିନ୍ନ ଜିଲ୍ଲାରେ ଅତି ଭୀଷଣ ବର୍ଷା ନେଇ ରେଡ୍ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ସହ ଉତ୍ତରର କିଛି ଜାଗାରେ ବି ପ୍ରବଳ ବର୍ଷା ହୋଇପାରେ । ୨୫ରେ ଦକ୍ଷିଣରୁ ପଶ୍ଚିମକୁ ବର୍ଷା ପ୍ରକୋପ ବଢ଼ିବ ।
ଏପଟେ ପ୍ରବଳ ବର୍ଷାକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଖୋର୍ଦ୍ଧା ଜିଲ୍ଲା ସମେତ ଜଗତ୍ସିଂହପୁର, ମାଲକାନଗିରି, ଗଜପତି ଜିଲ୍ଲାରେ ମଙ୍ଗଳବାରଠୁ ୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ କେବଳ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି । ଶିକ୍ଷକମାନଙ୍କୁ ରୋଷ୍ଟର ଡ୍ୟୁଟି ସହ ଆଲର୍ଟ ରହିବାକୁ କୁହାଯାଇଛି ।
