ମୟୂରଭଞ୍ଜ(ବଡ଼ ଖବର ବ୍ୟୁରୋ): ହଷ୍ଟେଲରେ ଦୁଇ ମାସରୁ ଅଧିକ ହେବ ମିଳୁନି ମୌଳିକ ସୁବିଧା । ମିଳୁଛି ପୋକରା ଚାଉଳର ଭାତ, ନାହିଁ ପାଣିର ସୁବିଧା । ଯାହାକୁ ନେଇ ତାତିଛନ୍ତି ଅନ୍ତେବାସୀ । ଶେଷରେ ସମସ୍ୟାର ସମାଧାନ ନ ହେବାରୁ ପ୍ରାୟ ୮ କିଲୋମିଟର ଚାଲି ଚାଲି ଅଧିକାରୀଙ୍କୁ ଭେଟିବାକୁ ବାହାରିଛନ୍ତି ଅନ୍ତେବାସୀ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ବିସିପୁର ଆଶ୍ରମ ବିଦ୍ୟାଳୟ ହଷ୍ଟେଲର ହୋଇଥିବା ଖବର ସାମ୍ନାକୁ ଆସିଛି । ବିସିପୁର ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ପ୍ରାୟ ୧୦୦ଜଣ ଛାତ୍ର ଓ ୧୫୦ଜଣ ଛାତ୍ରୀ ରହିଥାନ୍ତି । ତେବେ ଦୁଇ ମାସରୁ ଅଧିକ ସମୟ ହେବ ଏହି ଅନ୍ତେବାସୀମାନେ ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ପାଣି ଭଳି ମୌଳିକ ସୁବିଧା ନଥିବାରୁ ଛାତ୍ରଛାତ୍ରୀମାନେ ଦୈନନ୍ଦିନ ଜୀବନରେ ଅନେକ ଅସୁବିଧା ଭୋଗୁଥିବା କହିଛନ୍ତି।
ହଷ୍ଟେଲରେ ପାଣି ଓ ବିଦ୍ୟୁତ ସମସ୍ୟା ପରେ ଏବେ ଖାଦ୍ୟର ଗୁଣବତ୍ତାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନ୍ତେବାସୀ। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ହଷ୍ଟେଲରେ ଦିଆଯାଉଥିବା ଭାତ ପାଇଁ ନିମ୍ନମାନର ତଥା ପୋକରା ଚାଉଳ ବ୍ୟବହାର କରାଯାଉଛି। ଏନେଇ ହଷ୍ଟେଲର ଦାୟିତ୍ୱରେ ଥିବା କର୍ମଚାରୀ ଓ ମେଟ୍ରନଙ୍କୁ ଅନେକଥର ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାରେ ସୁଧାର ଆସିନଥିବା ଛାତ୍ରଛାତ୍ରୀ କହିଛନ୍ତି।
ସେମାନଙ୍କ କହିବା ଅନୁଯାୟୀ, ଏହି ଅଭିଯୋଗ ପ୍ରଧାନଶିକ୍ଷକଙ୍କ ନଜରକୁ ମଧ୍ୟ ଅଣାଯାଇଥିଲା। ହେଲେ ଏପର୍ୟ୍ୟନ୍ତ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।ଏପରିକି ନିଜ ସମସ୍ୟା ଜଣାଇବା ସମୟରେ କେତେକ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରାଯାଉଥିବା ମଧ୍ୟ ଅନ୍ତେବାସୀ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଧରି ଅଭିଯୋଗ କରି ମଧ୍ୟ ସମାଧାନ ନମିଳିବାରୁ ଶେଷରେ ହଷ୍ଟେଲ ଛାଡ଼ି ପଦଯାତ୍ରାରେ ବାହାରିଛନ୍ତି ଛାତ୍ରଛାତ୍ରୀ। ପ୍ରାୟ ୮ କିଲୋମିଟର ରାସ୍ତା ଚାଲି ସେମାନେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ଶିକ୍ଷା ଅଧିକାରୀଙ୍କୁ ଭେଟି ନିଜ ସମସ୍ୟା ଜଣାଇବାକୁ ଯାଉଥିବା ସୂଚନା ମିଳିଛି। ଏବେ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ବିଭାଗ କେତେ ଗୁରୁତ୍ୱର ସହ ନେଉଛି ଏବଂ କଣ ପଦକ୍ଷେପ ନେଉଛି, ତାହା ଉପରେ ନଜର ରହିଛି।
