ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ। ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ। ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ ।ପିଲାମାନଙ୍କ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ୍ ରହିଛି । ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଵୀକାର କରିବା ସତ୍ତ୍ୱେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ ନବନିର୍ମାଣ ଯୁବଛାତ୍ର ସଂଗଠନ ଓ କୃଷକ ସଂଗଠନର ପ୍ରତିଷ୍ଠାତା । ଶୀଘ୍ର ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବା ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ, ଜନ ଆନ୍ଦୋଳନ ମାଧ୍ଯମରେ ସଡ଼କର ରାଜନୀତି ହିଁ ତାଙ୍କୁ ରାସ୍ତା ଦେଖାଇବ ବୋଲି ସେ ଚେତାବନୀ ଦେଇଛନ୍ତି।
ସେପଟେ ଖଣି ଓ ଖଣିଜ ସଂଶୋଧନ ଆଇନକୁ ବିରୋଧ,ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏବଂ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ କଂଗ୍ରେସ ଆସନ୍ତା ୮ ତାରିଖରେ ବନ୍ଦ ଡାକରା ଦେଇଛି। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏହି ପ୍ରତିବାଦରେ ସାମିଲ ହେବା ସହ ସହଯୋଗ କରିବାକୁ‘ଇଣ୍ଡି ମେଣ୍ଟର ସମସ୍ତ ସହଯୋଗୀ ଦଳଗୁଡ଼ିକୁ ନିବେଦନ କରିଛନ୍ତି। ଖଣି ଆଇନ୍ ସଂଶୋଧନ ଆଇନ ଓଡ଼ିଶାର ସ୍ବାର୍ଥ ଓ ରାଜସ୍ବ ପାଇଁ କ୍ଷତିକାରକ ହୋଇଥିବାରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରିଛି। ଏହି ବନ୍ଦ ଡାକରାରେ ଦୋକାନ ବଜାର,ବ୍ୟବସାୟିକ ପ୍ରତିଷ୍ଠାନ,ବେସରକାରୀ କାର୍ଯ୍ୟାଳୟ ଏବଂ ବସ୍ ସମେତ ସାଧାରଣ ପରିବହନ ସେବା ବନ୍ଦ ରହିବ। ହସ୍ପିଟାଲ,ଆମ୍ବୁଲାନ୍ସ,ଔଷଧ ଦୋକାନ,ଅଗ୍ନିଶମ ସେବା ଓ ଜରୁରୀକାଳୀନ ସେବା ଖୋଲା ରହିବ। ଜରୁରୀକାଳୀନ ସେବା ପ୍ରଭାବିତ ଆଶଙ୍କାରେ କଡା ନଜର ରଖିବାକୁ କୁହାଯାଇଛି। ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଗୃହ ବିଭାଗ ଚିଠିରେ ଉଲ୍ଲେଖ କରିଛି।
