ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସ୍ଥଳଭାଗ ଅତିକ୍ରମ କଲା ଅତିଭୀଷଣ ବାତ୍ୟା ଅର୍ଣ୍ଣବ । ଦୀର୍ଘ ୬ ଘଣ୍ଟା ୩୦ ମିନିଟର ସଂଘର୍ଷ ପରେ ସ୍ଥଳଭାଗ ଅତିକ୍ରମ । ରାତି ୨ରୁ ସକାଳ ସାଢ଼େ ୮ଟା ଯାଏଁ ସଂଘର୍ଷ ପରେ ସ୍ଥଳଭାଗ ଅତିକ୍ରମ । ଉପକୂଳ ଅତିକ୍ରମ ସହ ଦୁର୍ବଳ ହୋଇ ଏକ ଭୀଷଣ ବାତ୍ୟାରେ ପରିଣତ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁସାରେ, ଅର୍ଣ୍ଣବ ଆନ୍ଧ୍ରପ୍ରଦେଶ ଓ ୟନମ ଉପକୂଳ ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଉତ୍ତର ଦିଗକୁ ଗତି କରି ଛତିଶଗଡ଼ ଆଡ଼କୁ ଯିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଛତିଶଗଡ଼ର ଦକ୍ଷିଣ ଭାଗରେ ୨୮ ତାରିଖ ଏବଂ ଉତ୍ତର ଭାଗରେ ୨୯ ତାରିଖରେ ପ୍ରବଳ ବର୍ଷା ହୋଇପାରେ ।
ସେପଟେ ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୭୦ କିମି ବେଗରେ ପବନ ହେବାକୁ ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ୪୦ରୁ ୬୦ କିମି ବେଗରେ ପବନ ହୋଇପାରେ। ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ୩୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ୨୯ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ୪୦ରୁ ୬୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।