ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏଥିସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ପ୍ରାୟ ୯.୪ କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି । ଆସନ୍ତା ୨୪ ଘଣ୍ଟାରେ ଏହି ଲଘୁଚାପ ଉତ୍ତର ଆଣ୍ଡାମାନ ସାଗର ଏବଂ ମିଆଁମାରର ଇରାୱାଡି ଅଞ୍ଚଳ ଆଡ଼କୁ ପ୍ରବେଶ କରିପାରେ।
ପରବର୍ତ୍ତୀ ଦୁଇ ଦିନରେ ଏହା ମିଆଁମାର-ବାଂଲାଦେଶ ଉପକୂଳ ଦେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ବାଂଲାଦେଶ ଅଞ୍ଚଳ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି । ତେବେ ଏହି ଲଘୁଚାପର ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ ନଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ ଦେଇ ଉତ୍ତରପ୍ରଦେଶ ଆଡ଼କୁ ଗତି କରୁଥିବା ଅବପାତ ଆହୁରି ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ।
ଏପଟେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଅବପାତ। ଫଳରେ ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ ହ୍ରାସ ପାଇବ। ଆଜି ପାଇଁ ଉତ୍ତର ଓ ଉପକୂଳ ଓଡ଼ିଶାର ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ କାଲି ପାଇଁ କୌଣସି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇନାହିଁ।
