ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଶନିବାର ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଆଡ଼କୁ ଆଉ ଏକ ପାଣିପାଗ ପ୍ରଣାଳୀ ଆସୁଥିବା ଜଣାପଡିଛି। କେନ୍ଦ୍ରୀୟ ଥାଇଲାଣ୍ଡ ଓ ସଂଲଗ୍ନ ମିଆଁମାର ଉପରେ ରହିଥିବା ଉପରି ବାୟୁ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ରବିବାର ସୁଦ୍ଧା ଏହା ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆଁମାରର ଇରାୱାଡି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି ।
ପରବର୍ତ୍ତୀ ଦୁଇଦିନ ଧରି ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ମିଆଁମାର-ବାଂଲାଦେଶ ଉପକୂଳ ନିକଟବର୍ତ୍ତୀ ଅଞ୍ଚଳ ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଅଞ୍ଚଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି । ଏପଟେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଅବପାତ। ଫଳରେ ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ ହ୍ରାସ ପାଇବ। ଆଜି ପାଇଁ ଉତ୍ତର ଓ ଉପକୂଳ ଓଡ଼ିଶାର ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ କାଲି ପାଇଁ କୌଣସି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇନାହିଁ।
