Before Header

କିଏ ହେବ ଅନ୍ତର୍ଯାମୀଙ୍କ ସାହା

0 114

ନୀଳଗିରି, (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଳକ ବରହମପୁର ଥାନା ଅନ୍ତର୍ଗତ କରଞ୍ଜିଆ ଗାଁର ୩୫ ବର୍ଷୀୟ ଅନ୍ତର୍ଯାମୀ ରାଉତ । କ୍ୟାନ୍ସର ରୋଗରେ ପଡ଼ି ଛଟପଟ ହେଉଛନ୍ତି । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ପରିବାରରେ ଏକମାତ୍ର ରୋଜଗାରକ୍ଷମ ଥିଲେ ଅନ୍ତର୍ଯାମୀ । ସେ ଶଯ୍ୟାଶାୟୀ ହେବା ପରେ ପରିବାର ଏବେ ଚଳିବାକୁ ଅକ୍ଷମ ହୋଇପଡ଼ିଛି । ସରକାରଙ୍କ ସହାୟତା ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଅପେକ୍ଷାରେ ଚାତକ ଭଳି ଚାହିଁ ରହିଛି ପରିବାର ।

ତିନିମାସ ପୂବେ ଅନ୍ତର୍ଯାମୀଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ସ୍ତ୍ରୀ ରୀନା ତାଙ୍କୁ ନେଇ ପ୍ରଥମ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ୧୫ ଦିନ ଚିକିତ୍ସା କରାଇଥିଲେ ସୁଦ୍ଧା ସୁଫଳ ନମିଳିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମଧ୍ୟ ସ୍ୱାସ୍ଥ୍ୟ ଉନ୍ନତି ନ ହେବାରୁ କଟକ ବଡ଼ ମେଡିକାଲକୁ ଅଣାଯାଇଥିଲା । ଅନ୍ତର୍ଯାମୀଙ୍କ କିଡନୀ ନଷ୍ଟ ହୋଇଯାଇଛି ଓ ଷ୍ଟୋନ ହୋଇ କ୍ୟାନ୍ସର ଆଡ଼କୁ ଗତି କରୁଥିବା ଡାକ୍ତର କହିଥିଲେ । ଚିକିତ୍ସା ନିମନ୍ତେ ଅଧିକ ଟଙ୍କା ଆବଶ୍ୟକ ହୋଇଥିବାରୁ ଶେଷରେ ବାଧ୍ୟ ହୋଇ ଅନ୍ତର୍ଯାମୀଙ୍କୁ ଘରକୁ ନେଇ ଆସିଥିଲେ ରୀନା । ସ୍ୱାମୀଙ୍କ ଚିକିତ୍ସା ଲାଗି ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ନିବେଦନ କରିଥିଲେ ସୁଦ୍ଧା ଫଳାଫଳ ଶୂନ । ଉପଜିଲ୍ଲାପାଳଙ୍କୁ ଭେଟି ନିଜ ଦୁଃଖ ଜଣାଇଥିଲେ ରୀନା । ଉପଜିଲ୍ଲାପାଳ ତାଙ୍କୁ ପ୍ରତିଶ୍ରୃତି ଦେଇଥିଲେ ମଧ୍ୟ ଏଯାବତ କିଛି ସୁଫଳ ମିଳିନାହିଁ ।

ଅନ୍ତର୍ଯାମୀଙ୍କ ପରିବାର କହିଲେ ବାପା, ସ୍ତ୍ରୀ, ଦୁଇ ଝଅ ଓ ପୁଅ । ଅନ୍ତର୍ଯାମୀ ଯାହା ରୋଜଗାର କରନ୍ତି ସେତିକିରେ ୬ପ୍ରାଣୀ କୁଟୁମ୍ବ ଚଳୁଥିଲା । ବାପାଙ୍କ ଆଖିକୁ ଭଲସେ ଦିଶୁନାହିଁ । ସେ ମଧ୍ୟ ଏକପ୍ରକାର ଶଯ୍ୟାଶାୟୀ । ବଡ଼ଝିଅ ଅଷ୍ଟମ, ସାନଝିଅ ଷଷ୍ଠ ଓ ପୁଅ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଛନ୍ତି । ବାପା ରୋଗରେ ପଡ଼ିବାପରେ ପିଲାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି । ପିଲାଙ୍କ ଭବିଷ୍ୟତ ଧୀରେ ଧୀରେ ଅନ୍ଧାର ଆଡ଼କୁ ଗତି କରୁଛି । ଅନ୍ତର୍ଯାମୀଙ୍କ ସ୍ତ୍ରୀ ରୀନାଙ୍କ ଉପରେ ଏବେ ପରିବାରର ବୋଝ । ସେ ମୂଲ ମଜୁରୀ କରି ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳୁଛି । ସରକାରୀ ସହାୟତା ମିଳିଲେ ଅନ୍ତର୍ଯ୍ୟାମୀ ଭଲ ହୋଇଯାଆନ୍ତେ ବୋଲି କହିଛନ୍ତି ରୀନା ।

Leave A Reply

Your email address will not be published.