Before Header

ଅପରାଜିତାଙ୍କୁ ସମ୍ଭାଳ

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟଶଙ୍କର

0 11,330

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଅପରାଜିତା ଷଡ଼ଙ୍ଗୀ । ରାଜ୍ୟ ପ୍ରଶାସନ ଓ ରାଜନୀତିରେ ଏକ ଚର୍ଚ୍ଚିତ ନାଁ । ପୂର୍ବରୁ ଅପରାଜିତା ଆଇଏଏସ୍ ଅଫିସର ଥାଇ ରାଜ୍ୟ ପ୍ରଶାସନରେ କାମ କରୁଥିବାବେଳେ ଯେତିକି ଚର୍ଚ୍ଚାରେ ଥିଲେ ଏବେ ସରକାରୀ ଚାକିରି ଛାଡ଼ି ରାଜନୀତିରେ ଯୋଗଦେବା ଏବଂ ଭାରତୀୟ ଜନତା ପାର୍ଟି ଟିକେଟରେ ଭୁବନେଶ୍ୱର ଏମପି ଭାବେ ନିର୍ବାଚିତ ହେବା ପରେ ମଧ୍ୟ ତାଙ୍କ ନାଁ ସେତିକି ଚର୍ଚ୍ଚାରେ ରହିଛି । ଜଣେ ପ୍ରଶାସନିକ ଅଧିକାରୀ ଭାବେ ଭୁବନେଶ୍ୱର ମହାନଗର ନିଗମ କମିଶନର ଏବଂ ରାଜ୍ୟ ଗଣଶିକ୍ଷା ବିଭାଗ ସଚିବ ଥିବାବେଳେ ତାଙ୍କ କାର୍ଯ୍ୟକଳାପ ବିଶେଷକରି ଅଚାନକ ନିଷ୍ପତ୍ତିକୁ ନେଇ ଅପରାଜିତା ଢେର୍ ଚର୍ଚ୍ଚାରେ ରହିଥିଲେ । ତେବେ ୨୦୧୯ରେ ଭୁବନେଶ୍ୱର ସାଂସଦ ଭାବେ ନିର୍ବାଚିତ ହେବାପରେ ମଧ୍ୟ ଅପରାଜିତାଙ୍କ ବିଭିନ୍ନ ପଦକ୍ଷେପକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ନିକଟରେ ଅପରାଜିତାଙ୍କୁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଦାୟିତ୍ୱ ମିଳିଛି ଆଉ ଏହି ଦାୟିତ୍ୱ ମିଳିବା ପରେ ଅପରାଜିତା ପ୍ରଥମଥର ଗତ ୭ ତାରିଖ ଓଡ଼ିଶା ଗସ୍ତରେ ଆସିଛନ୍ତି । ସବୁବେଳେ ଚର୍ଚ୍ଚାରେ ରହୁଥିବା ଅପରାଜିତା ଏଥର ସବୁଠୁ ଅଧିକ ଚର୍ଚ୍ଚାରେ । କାରଣ ୭ ତାରିଖ ପୂର୍ବାହ୍ନ ୧୦ଟା ୪୫ରେ ଅପରାଜିତା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବାର ୪୮ ଘଣ୍ଟା ନ ପୂରୁଣୁ ସେ ତିନିଥର ଆଇନ ଉଲ୍ଲଂଘନ କରିସାରିଲେଣି । ଅର୍ଥାତ ୪୮ ଘଣ୍ଟା ମଧ୍ୟରେ ସେ ତିନିଥର ସରକାରଙ୍କ କୋଭିଡ୍ ଗାଇଡଲାଇନକୁ ଦଳିମକଚି ସାରିଲେଣି । ଅପରାଜିତା ଯେତେବେଳେ ବିମାନବନ୍ଦରରେ ପହଞ୍ଚିଲେ ସେତେବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ଶହ ଶହ ଦଳୀୟ କର୍ମୀ ଏବଂ ସମର୍ଥକ ଉପସ୍ଥିତ ଥିଲେ ।

ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ କର୍ମୀ ଓ ସମର୍ଥକମାନେ ବିମାନ ବନ୍ଦରରୁ ପାଛୋଟି ଆଣିଥିଲେ । ଏହି ସମୟରେ କୋଭିଡ୍ ଗାଇଡଲାଇନ ତଥା ସୋସିଆଲ ଡିଷ୍ଟାନ୍ସ ବୋଲି କିଛି ଅଛି ବୋଲି ଯେମିତି ଅପରାଜିତାଙ୍କ ସମେତ ସମସ୍ତେ ଭୁଲିଯାଇଥିଲେ । ସେହିପରି ନୂଆକରି ରାଷ୍ଟ୍ରୀୟ ପ୍ରବକ୍ତା ନିଯୁକ୍ତ ହୋଇଥିବାରୁ ଅପରାଜିତା ଭୁବନେଶ୍ୱରରେ ପହଞ୍ଚିବା ପରେ ଉକ୍ତଦିନ ସନ୍ଧ୍ୟାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀ ଯାଇଥିଲେ । ସେଠାରେ ମଧ୍ୟ ସେ କୋଭିଡ୍ ଗାଇଡଲାଇନ ଉଲ୍ଲଂଘନ କରିଥିବା ଦୃଶ୍ୟ ରହିଛି । ଏଠି ତ ସେ ମାସ୍କ ବି ପିନ୍ଧି ନ ଥିଲେ । ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ବେଳେ ବି ଅପରାଜିତା ଆଇନ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ଉଠିଛି । ଗତକାଲି ଅର୍ଥାତ୍ ୮ ତାରିଖ ଥିଲା ଅପରାଜିତାଙ୍କ ଜନ୍ମଦିନ ।

ଜନ୍ମଦିନ ପାଳନ ବେଳେ ବି ଅପରାଜିତା କୋଭିଡ୍ ନିୟମକୁ ମାଡ଼ିମକଚି ଦେଇଥିବା ଦେଖିବାକୁ ମିଳିଛି । ଭାଇରାଲ ହୋଇଥିବା ଏକ ଭିଡିଓରେ ସେ ତାଙ୍କ ଶତାଧିକ ଶୁଭେଚ୍ଛୁଙ୍କ ସହ ନାଚକୁଦରେ ମସଗୁଲ ଥିବା ଦେଖାଯାଉଛି । ଏହା ପୂର୍ବରୁ ମଧ୍ୟ ଅପରାଜିତା ଅପରାଜିତା ଦୁଇଥର କୋଭିଡ୍ ଗାଇଡଲାଇନ ଉଲ୍ଲଂଘନ କରି ଫାଇନ ଦେଇଛନ୍ତି । ଏବେ କିନ୍ତୁ ଲାଗୁଛି ସେ ଜଣେ ଅଭ୍ୟାସଗତ ଆଇନ ଉଲ୍ଲଂଘନକାରୀ । କାରଣ ଜଣେ ଉଚ୍ଚଶିକ୍ଷିତା ମହିଳା ଓ ଦାୟିତ୍ୱବାନ ଏମପି ହୋଇ ବି ସେ ବାରମ୍ବାର ଆଇନ ଉଲ୍ଲଂଘନ କରିବା କେତେଦୂର ଠିକ୍ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅପରାଜିତାଙ୍କ ଏପରି ହରକତକୁ ରାଜ୍ୟ ସରକାର ଆଉ ସହ୍ୟ କରିପାରୁ ନାହାନ୍ତି ।

ଏ ନେଇ କେନ୍ଦ୍ରୀୟ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏଥିସହ ଅପରାଜିତାଙ୍କ ଜନ୍ମଦିନର ଭିଡିଓ ମଧ୍ୟ ପଠାଇଛନ୍ତି ଦିବ୍ୟଶଙ୍କର । ଦୁଇ ପୃଷ୍ଠାର ଏହି ଚିଠିରେ ମିଶ୍ର ଲେଖିଛନ୍ତି ଯେ ଉକ୍ତ ଭିଡିଓରେ ଏମପି ଅପରାଜିତା ଷଡ଼ଙ୍ଗୀଙ୍କୁ ଶତାଧିକ ମହିଳା ଘେରି ରହିଥିବା ଦେଖାଯାଉଛି । ଏପରିକି ସେମାନଙ୍କ ମଧ୍ୟରୁ କେବଳ ଜଣଙ୍କ ବ୍ୟତୀତ ଅନ୍ୟମାନେ ମାସ୍କ ପିନ୍ଧିନାହାନ୍ତି । କେହି ସାମାଜିକ ଦୂରତା ବଜାୟ ରଖିନାହାନ୍ତି । କୋଭିଡ୍ ଗାଇଡଲାଇନ ମାନିବାକୁ ପ୍ରଧାନମନ୍ତ୍ରୀ ବାରମ୍ବାର ଲୋକଙ୍କୁ ଅପିଲ କରୁଛନ୍ତି । ଏହା ପ୍ରଥମଥର ନୁହେଁ, ସେ ବାରମ୍ବାର ଏପରି କରୁଥିବାରୁ ଘଟଣା ସମ୍ପର୍କରେ ଆପଣଙ୍କ ନଜରକୁ ଆଣିଲି । ବାରମ୍ବାର ଚେତାବନୀ ଏବଂ ତାଙ୍କ ବିରୋଧରେ ତିନୋଟି ମାମଲା ରୁଜୁ ହେବା ପରେ ମଧ୍ୟ ତାଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସୁନାହିଁ ।

ତାଙ୍କର ଏପରି ଦାୟିତ୍ୱହୀନ କାର୍ଯ୍ୟକଳାପ ତାଙ୍କୁ ଏବଂ ଅନ୍ୟମାନଙ୍କ ଜୀବନକୁ ବଡ଼ ବିପଦରେ ପକାଇବା ସମ୍ଭାବନା ରହିଛି । ଭୁବନେଶ୍ୱର ସହରରେ କରୋନାର ଏବେ ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି । କରୋନା ଯୋଦ୍ଧାମାନେ ଲୋକଙ୍କ ଜୀବନ ବଞ୍ଚାଇବାକୁ ଦିନରାତି କାମ ଜାରି ରଖିଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ସହିଦ ମଧ୍ୟ ହେଲେଣି । ଜଣେ ଲୋକପ୍ରତିନିଧି ଭାବେ ଅପରାଜିତାଙ୍କ ଏପରି ଦାୟିତ୍ୱହୀନ କାର୍ଯ୍ୟକଳାପ କରୋନା ଯୋଦ୍ଧାଙ୍କ ମନୋବଳ ଦୁର୍ବଳ କରିବା ସହ ଏହି ଲଢ଼େଇରେ ଯେଉଁମାନେ ନିଜ ଜୀବନ ବଳି ଦେଇଛନ୍ତି ସେମାନଙ୍କୁ ଉପହାସ କରୁଛି । ଆପଣଙ୍କ କାର୍ଯ୍ୟାଳୟ ତରଫରୁ ଏ ନେଇ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଲୋକଙ୍କ ଜୀବନକୁ ବିପଦରେ ନ ପକାଇବା ପାଇଁ ସାଂସଦ ଷଡ଼ଙ୍ଗୀଙ୍କୁ ପରାମର୍ଶ ଦିଆଯିବ ବୋଲି ମୁଁ ଆଶା କରୁଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଏହି ଚିଠି ପରେ ଅପରାଜିତା ଅଡ଼ୁଆରେ ପଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.