Masthead

ବଢୁଛି ଆଶାୟୀଙ୍କ ସଂଖ୍ୟା, ବଢୁଛି ଲବି; କିଏ ହେବ ପ୍ରାର୍ଥୀ, ଦଳୀୟ ମୁଖିଆଙ୍କ ପାଇଁ ବଢୁଛି ଦ୍ୱନ୍ଦ୍ୱ

ବସ୍ତା (ବଡ଼ ଖବର ବ୍ୟୁରୋ): ଏଥର ବିଜେପି କରିବ ଭଲ ପ୍ରଦର୍ଶନ । ଏନେଇ ଦଳୀୟ ନେତାଙ୍କ ଦୃଢୋକ୍ତି ଉଷ୍ମ ରାଜନୀତିକୁ ଆହୁରି ସରଗରମ କରିଦେଉଛି । କିନ୍ତୁ ବାଲେଶ୍ୱର  ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ-ବିଜେଡି କଡ଼ା ଟକ୍କର ମଧ୍ୟରେ ବିଜେପିର ସାଂଘାତିକ ଅବସ୍ଥା କଥା ମଧ୍ୟ ଚର୍ଚ୍ଚାକୁ ଆହୁରି ବଢାଇଦେଇଛି । ବିଜେଡି ଟିକେଟ ଫାଇନାଲ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ହାତ ଦଳରେ ଏବେ ବି ଚାଲିଛି ଲବି । ବସ୍ତାରେ କିଏ ମାରିବ ବାଜି? ନିତ୍ୟାନନ୍ଦଙ୍କ ବଦଳରେ ଏଣ୍ଟ୍ରି ମାରିବେ କି ସୁବାସିନୀ? ବିଜେଡି ଶିବିରରେ ଏବେ ଜୋର୍ ଧରିଛି ଚର୍ଚ୍ଚା । ଆସୁଛି ନିର୍ବାଚନ । ଜଟିଳ ହେବାରେ ଲାଗିଛି ବିଜେଡି ଟିକେଟ ଗଣିତ । ଆଶାୟୀଙ୍କ ସଂଖ୍ୟା ବଢୁଛି, ଦ୍ୱନ୍ଦ୍ୱ ବି ବଢୁଛି । ସାରା ରାଜ୍ୟ ଭଳି ବାଲେଶ୍ୱର ଜିଲ୍ଲା ବସ୍ତାରେ ମଧ୍ୟ ଏହି ସମାନ ଦ୍ୱନ୍ଦ୍ୱ । ବସ୍ତାରେ ନଜର ପକାଇବା ସବୁ ଦଳର ସ୍ଥିତି ଉପରେ । ପ୍ରଥମେ ଶାସକ ଦଳ କଥା । ଭୋଟରଙ୍କ ଭଲପାଇବା ସାଉଁଟିବା ପାଇଁ ଭରପୂର ଚେଷ୍ଟା କରୁଛନ୍ତି ବିଜେଡି ନେତ୍ରୀ ସୁବାସିନୀ ଜେନା । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ ଭାବେ ସ୍ୱାମୀଙ୍କ ପଲିଟିକାଲ ଫୁଟପ୍ରିଣ୍ଟକୁ ଅନୁସରଣ କରୁଛନ୍ତି ।

ବହୁ ସଭା ସମିତିରେ ତାଙ୍କର ସକ୍ରିୟତା, ଏପିରିକି ଜିଲ୍ଲା ସଭାପତି ଅଶ୍ୱିନୀ ପାତ୍ର ବି ତାଙ୍କ ନାଁ ଧରିସାରିଲେଣି । ତେଣୁ ବିଧାୟକ ନିତ୍ୟାନନ୍ଦ ସାହୁ କିମ୍ବା ତାଙ୍କ ପରିବାରର ଆଉ କାହା ବଦଳରେ ସୁବାସିନୀ ଶଙ୍ଖ ଟିକଟ ହାତେଇବେ ବୋଲି କୁହାଯାଉଛି । ତେବେ ଶେଷମୁହୁର୍ତ୍ତରେ କିଛି ଅଦଳବଦଳ ପାଇଁ ଭିତିରି ଯୋଜନା ହୋଇଥିବା ବି ଶୁଣିବାକୁ ମିଳୁଛି । ଦୀର୍ଘ ୨୫ବର୍ଷ ଧରି ଉତ୍ତର ବାଲେଶ୍ବରର ବସ୍ତା ଆସନକୁ ବିଜେଡ଼ି ଦଖଲ କରି ଆସୁଥିବା ବେଳେ ବିଜେପି ଓ କଂଗ୍ରେସ ଭଳି ଦୁଇ ଜାତୀୟ ଦଳକୁ କେବଳ ପରାଜୟର ସ୍ଵାଦ ଚାଖିବାକୁ ପଡ଼ିଛି । ୨୦୦୦ ମସିହା ଠାରୁ ବିଜେଡ଼ି ଗଣିତ ଆଗରେ ବିଜେପି ଓ କଂଗ୍ରେସର ଭାଗଫଳ କିଛିବି ଦେଉନି କାମ । ୨୦୦୦ ରୁ ୨୦୧୯ ପାଞ୍ଚ ପାଞ୍ଚ ଥର ଲଢେଇ ଭିତରେ ବିଜେଡ଼ି ଆଗରେ କଂଗ୍ରେସ ଯେତିକି ନିକଟତର ହେବାକୁ ସକ୍ଷମ ହୋଇଛି ସେଠି ବିଜେପି ବହୁ ପଛରେ । ୨୦୧୯ ନିର୍ବାଚନରେ ବିଜେଡ଼ି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ବିଜେପି କରିଥିଲା ପ୍ରାର୍ଥୀ । ବିଜେଡ଼ି ହାତରୁ ବସ୍ତା ଆସନକୁ ଅକ୍ତିଆର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ବସ୍ତାରେ କରିଥିଲେ ପ୍ରଚାର । ମାତ୍ର ଫେଲ ମାରିଥିଲା ବିଜେପି ମିଶନ । ଯାହାକି ରାଜ୍ୟର ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ବିଜେପି ଚଖାଇ ଥିଲା ପରାଜୟର ସ୍ଵାଦ । ଯେଉଁଠି ୧୯୦୩୮୧ ଭୋଟ ମଧ୍ୟରୁ ମାତ୍ର ୩୬୮୭୪ ଖଣ୍ଡ ଭୋଟ ବିଜେପି ପାଇବାରେ ସକ୍ଷମ ହୋଇ ଦଳ ତୃତୀୟ ସ୍ଥାନ ଦଖଲ କରିଥିଲା । ବାଲେଶ୍ୱରରେ ଟାଣୁଆ ବିଜେପି ନେତା କହିଲେ ସାଂସଦ ପ୍ରତାପ ଷଡଙ୍ଗୀ ରହିଛନ୍ତି । ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଶଙ୍ଖ ଛାଡି ପଦ୍ମ ଧରିବା ପରେ ଲୋକଙ୍କ ସମର୍ଥନ ମଧ୍ୟ କିଛି ପଦ୍ମ ଶିବିର ମୁହାଁ ହୋଇଛି ।

କିନ୍ତୁ ୨୦୧୯ରେ ବିଜେପିକୁ ସେତେଟା ସଫଳତା ମିଳିପାରିନଥିଲା । ତେବେ ଅନ୍ୟ ନିର୍ବାଚନ ମଣ୍ଡଳୀ ଅପେକ୍ଷା ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ବସ୍ତାରେ ବିଜେପିର ପ୍ରଦର୍ଶନ ଓ ଭୋଟରଙ୍କ ସମର୍ଥନ କିପରି ରହିବ ତା’କୁ ନେଇ ମଧ୍ୟ କରାଯାଉଛି ଅନେକ ଅଙ୍କକଷା । ରାଜନୀତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ୫୦%-୫୧% ସମର୍ଥନ ପଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । କିନ୍ତୁ ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେପିର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଦୃଢୋକ୍ତି କେତେ ସଫଳ ହୋଇପାରିବ ତା’କୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି ।ବସ୍ତାରେ କଂଗ୍ରେସର ସ୍ଥିତି ଅପେକ୍ଷାକୃତ ଭଲ ରହିଛି । କିନ୍ତୁ ଏହି ସ୍ଥିତି ବିଜୟର ସ୍ୱାଦ ଚଖେଇବାରେ ସଫଳ ହୋଇପାରୁନାହିଁ । ଶୁଣିବାକ ମିଳୁଛି ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସର ଯୁବ ଚେହେରା ଭିଜନ ନାୟକ କୁଆଡେ ହାତ ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି । ପୂର୍ବ ଥର ପରି ଏଥର ମଧ୍ୟ ସମୀକରଣ କହୁଛି ବିଜେଡି-କଂଗ୍ରେସ ମଧ୍ୟରେ ହୋଇପାରେ କଡ଼ା ଟକ୍କର । ଠିକ୍ ୨୦୧୯ ପରି । ୧୯ରେ ଶଙ୍ଖ ଦଳରୁ ନିତ୍ୟାନନ୍ଦ ସାହୁ ଓ ଭିଜନ ନାୟକଙ୍କ ମଧ୍ୟରେ ହୋଇଥିଲା ସତ୍ତାର ଲଢେଇ । କିନ୍ତୁ ବାଜି ମାରିଥିଲେ ନିତ୍ୟାନନ୍ଦ । ୧୧୮୬୪ ଖଣ୍ଡ ଭୋଟ ବ୍ୟବଧାନରେ ସଫଳତା ହାସଲ କରିଥିଲା ଶାସକ ଦଳ । କିନ୍ତୁ ଏଥର କଂଗ୍ରେସ ନିଜର ଭୁଲ ସୁଧାରି ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ଗୋଟାଉଛି ବଳ । ଭିଜନ ନାୟକଙ୍କର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଉଛି । ତେବେ ଦେଖିବାକୁ ବାକି ରହିଲା ଦଳ ଯୁବ ନେତାଙ୍କୁ ପୁଣି ଭରଷା କରିବ ନା ଆଉ କେଉଁ ଚେହେରାକୁ ମୈଦାନକୁ ଓହ୍ଲାଇବ । ସବୁ ଥର ପରି ଏଥର ଶାସକ ଦଳ ଖେଳିବ କି ମହିଳା କାର୍ଡ? ବିଜେପିର ସ୍ଥିତିକୁ ଦୃଷ୍ଟିରେ ରଖି ପଦ୍ମ ଶିବିରରେ କାହାକୁ ମିଳିବ ଚାନ୍ସ? ଏବଂ ପୂରାତନ ହାତ ଦଳରେ ଯୁବ ନେତା ଚମକିବେ କି? ଏସବୁ ସମୀକରଣ ମଧ୍ୟରେ ବସ୍ତା ନିର୍ବାଚନ ମଣ୍ଡଳୀରେ କିଏ ସାଜିବ ବାଜିଗର ତା ଉପରେ ସମସ୍ତଙ୍କ ନଜର ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା