Before Header

ଆଠଗଡ଼ରେ ଛିଡୁନି କଂଗ୍ରେସ ଓ ବିଜେପିରେ ଗୋଷ୍ଠୀ କନ୍ଦଳ

0 13

ଆଠଗଡ଼ (ବଡ଼ ଖବର ବ୍ୟୁରୋ): ଆଠଗଡ଼ରେ ଏବେଠୁ ତାତିଲାଣି ନିର୍ବାଚନ ଉଷ୍ମତା । କଂଗ୍ରେସ ଓ ବିଜେପିରେ ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡ଼ୁଛି । ବିରୋଧୀ ଦଳର ପ୍ରାର୍ଥୀତ୍ୱକୁ ନେଇ ଦ୍ୱନ୍ଦ୍ୱରେ ଦଳୀୟ କର୍ମୀ ଓ ସାଧାରଣ ଜନତା । ପତିଆରା ତଥା ନେତୃତ୍ୱ ବୃଦ୍ଧିପାଇଁ ଦୁଇଗୋଷ୍ଠୀରେ ପରିଣତ ହୋଇଛି ବିଜେପି । ଗତ ସାଧାରଣ ନିର୍ବାଚନରେ ଦଳରୁ ପ୍ରାର୍ଥୀହୋଇ ୪୦ ହଜାର ଭୋଟ ପାଇଥିବା ବ୍ରଜେନ୍ଦ୍ର ରାୟ ଦଳର ସଂଗଠନ ମଜବୁତ୍ କରୁଥିବା ବେଳେ ନିକଟରେ ଦଳରେ ସାମିଲ ହେଲେ ଅଭୟ ବାରିକ । ପୂର୍ବରୁ ଆଠଗଡରେ ଆତ୍ମଘୋଷିତ ବିଜେଡି ନେତା ଭାବେ ନିଜକୁ ପରିଚୟ ଦେଇ ସଂଗଠନ କରୁଥିଲେ । ମାତ୍ର ଗତ ସାଧାରଣ ନିର୍ବାଚନରେ ସେ ସ୍ୱାଧୀନ ଭାବେ ବିଧାୟକ ପ୍ରାର୍ଥୀ ହୋଇ ପାଖାପାଖି ୧୦ ହଜାର ଭୋଟ ହାତେଇଥିଲେ । ଅଭୟ ବିଜେପିରେ ଯୋଗଦେବା ପରେ ଦଳ ଦୁଇଭାଗ ହୋଇଯାଇଛି । ଅଭୟ ଓ ବ୍ରଜେନ୍ଦ୍ର ନିଜ ନିଜ ସ୍ତରରେ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି । ସାଧାରଣ ଭୋଟର ଏବଂ କର୍ମୀ ଏହାକୁ ନାପସନ୍ଦ କରୁଛନ୍ତି । ବ୍ରଜେନ୍ଦ୍ର ଚିରାଚରିତ ଭାବେ ନିଜ ଢଙ୍ଗରେ ତାଙ୍କର ସଂଗଠନ ସଜାଡୁଥିବା ବେଳେ ଅଭୟ ଆଠଗଡରେ ଶାସକ ଦଳର ଦୁର୍ନୀତିକୁ ପ୍ରସଙ୍ଗ କରି ଦଳୀୟ ଲୋକଙ୍କୁ ଏକାଠି କରୁଛନ୍ତି । ହେଲେ ସେ ପ୍ରସଙ୍ଗକୁ ଇସୁ୍ୟକରି ପାରୁ ନାହାନ୍ତି । ସବୁ ଓଗାଳିବ, କିନ୍ତୁ କିଛିବି କରିବନି । ଏହି ନ୍ୟାୟରେ ସେ ଏକ ଦାନ୍ତହୀନ ମହାବଳ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ତେବେ କଂଗ୍ରେସ ନେତୃତ୍ୱ ଆଠଗଡରୁ ଉଭାନ୍ ହୋଇଯାଇଛି । ବିଭୂତି ମିଶ୍ରଙ୍କ ଘରବାହୁଡା ପରେ ଆଠଗଡ କଂଗ୍ରେସର ସ୍ଥିତି ବଦଳି ଯାଇଛି । ତାଙ୍କ ପ୍ରତ୍ୟାବର୍ତ୍ତନ ପରେ ଦଳରେ ଗୋଷ୍ଠୀ ବିବାଦ ମୁଣ୍ଡ ଟେକିବା ପୂର୍ବରୁ ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟ ପାଇ ବିଧାୟକ ପ୍ରାର୍ଥୀ ହୋଇଥିବା ଉମାବଲ୍ଲଭ ରଥ ଆଉ ଆଠଗଡରେ ଦୃଶ୍ୟମାନ ହେଉ ନାହାନ୍ତି । ଏପରିକି ସେ ଏଠାରେ ଖୋଲିଥିବା କଂଗ୍ରେସ କାର୍ଯ୍ୟାଳୟକୁ ମଧ୍ୟ ଆସୁନାହାନ୍ତି । ଏଠାରେ ରହି ସେ କଂଗ୍ରେସ ସଂଗଠନକୁ ସଜାଡୁଥିବା ବେଳେ କଂଗ୍ରେସରୁ ଅନ୍ୟଦଳକୁ ଚାଲି ଯାଇଥିବା ବିଭୂତି ଭୂଷଣ ମିଶ୍ର ପୁଣି ଫେରିଥିଲେ କଂଗ୍ରେସକୁ । ବିଭୂତି କଂଗ୍ରେସ ଛାଡି ପ୍ୟାରୀମୋହନ ମହାପାତ୍ରଙ୍କ ଓଡ଼ିଶା ଜନମୋର୍ଚ୍ଚାରେ ସାମିଲ ହୋଇଥିଲେ । ପରେ ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପିରେ ତାଙ୍କର ଗୁରୁତ୍ୱ ନ ରହିବାରୁ ସେ ପୁଣି କଂଗ୍ରେସକୁ ଫେରିଥିଲେ । କଂଗ୍ରେସରେ ଯୋଗଦେବା ପରେ ସେ ତାଙ୍କର ପୂର୍ବ ନିର୍ବାଚନ ମଣ୍ଡଳୀ ଆଠଗଡକୁ ପୈାରନିର୍ବାଚନ ସମୟରେ ଆସିଥିଲେ । ଫଳରେ କଂଗ୍ରେସ ଲୋକମାନେ ଦୁଇଭାଗରେ ବିଭକ୍ତ ହେବା ସହ ସଂଗଠନ ଦୁର୍ବଳ ହୋଇଗଲା । ଏବେ ନା ବିଭୂତି ନା ଉମାବଲ୍ଲଭ କାହାରିକୁ ଦେଖାନାହିଁ । ସଂଗଠନ ସ୍ଥାଣୁ ପାଲଟିଥିବା ବେଳେ ସମର୍ଥକମାନଙ୍କ ମନୋବଳ ଭାଙ୍ଗିଗଲାଣି । କହିବାକୁ ଗଲେ ଆଠଗଡ କଂଗ୍ରେସ ନେତାଶୂନ୍ୟ ହୋଇପଡିଛି ।

ବିରୋଧୀ ବିଜେପି ଏବଂ କଂଗ୍ରେସର ଏଭଳି ସ୍ଥିତି, ଶାସକ ବିଜେଡିକୁ ବେଶ୍ ସୁହାଉଛି । ଫାଇଦାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଯଦିଓ ବିଜେଡି ପ୍ରତି କିଛିଲୋକ ବିଭିନ୍ନ କାରଣରୁ ବିତସ୍ପୃହ,ତେବେ ବିକଳ୍ପ ନେତା ଅଭାବରୁ ସେମାନେ ନୀରବ ରହିବାକୁ ବାଧ୍ୟ ହେଉଛନ୍ତି । ଲୋକଙ୍କ ମତିଗତିକୁ ଲକ୍ଷ୍ୟକରି ବିଧାୟକ ରଣେନ୍ଦ୍ର ନିଜ ପୁଅ ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କୁ ସଂଗଠନ ଦାୟିତ୍ୱ ଦେଇଛନ୍ତି । ଆଦିତ୍ୟ ପ୍ରତାପ ଏବେ ରାଜନୀତିରେ ସକ୍ରିୟ ଅଛନ୍ତି । ବାପା-ପୁଅଙ୍କୁ ନେଇ ସାଧଶରଣ ଲୋକମାନେ ଏବେ ଦ୍ୱନ୍ଦ୍ୱରେ ।

Leave A Reply

Your email address will not be published.