Before Header

ବ୍ରହ୍ମଗିରି ଦୌଡ଼: ଆଗରେ ଉପାସନା, ଭକ୍ତି ବି ବାନ୍ଧିଛନ୍ତି ଆଶା

0 1,367

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଛି । ସବୁ ରାଜନୈତିକ ଦଳରେ ଟିକେଟ କସରତ ବଢିଛି । ଏହା ସହିତ ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ନିଜର ଲବିକୁ ଆହୁରି ଜୋରଦାର କରିଛନ୍ତି । ଯଦି ଏବେ ଟିକେଟ ନମିଳେ ଅପେକ୍ଷା ପୁଣି ଆହୁରି ୫ ବର୍ଷ । ତେଣୁ ଏଇଥର ଯେମିତି ହେଲେ ଟିକେଟ ନେବାକୁ ପଡ଼ିବ ସେ ଉଦ୍ୟମରେ ସବୁ ଦଳର ଆଶାୟୀ ଅଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାରେ ଏଯାଏଁ ମେଣ୍ଟ ଚର୍ଚ୍ଚାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନି । କିନ୍ତୁ ମେଣ୍ଟକୁ ନେଇ ଯେଉଁ ଆଲୋଚନା ଚର୍ଚ୍ଚା ଗଲା ଦୁଇ ତିନି ଦିନ ଭିତରେ ତାହା କିଛିଟା ଥମି ଗଲା ଭଳି ଲାଗୁଛି । ଉଭୟ ବିଜେପି ଓ ବିଜେଡି ନିଜ ନିଜ ଉଦ୍ୟମରେ ସବୁ ଆସନରେ ଟିକେଟ ବାଣ୍ଟିବା ନେଇ ବୈଠକ କରୁଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ଆଜି ଆମେ ଆଲୋଚନା କରିବା ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀ ସମ୍ପର୍କରେ । ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ କେବଳ ପୁରୀ ଜିଲ୍ଲା ନୁହେଁ ସାରା ଓଡ଼ିଶାରେ ସବୁବେଳେ ଚର୍ଚ୍ଚାରେ ରହି ଆସିଥାଏ । ଏହି ନିର୍ବାଚନମଣ୍ଡଳୀଟି ବ୍ରହ୍ମଗିରି ବ୍ଲକ, କୃଷ୍ଣପ୍ରସାଦ ବ୍ଲକ ଓ ପୁରୀ ସଦର ବ୍ଲକର କିଛି ପଞ୍ଚାୟତକୁ ନେଇ ଗଠିତ । ପୂର୍ବରୁ ଏହି ନିର୍ବାଚନମଣ୍ଡଳୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର-ସଞ୍ଜୟ ଦାସବର୍ମାଙ୍କ ଲଢେଇ ପାଇଁ ବହୁତ ଚର୍ଚ୍ଚିତ ହେଉଥିଲା ।

ତେବେ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ବା ଲୁଲୁ ମହାପାତ୍ରଙ୍କ ଦେହାନ୍ତ ପରେ ପରିବାର କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲେ । ନିର୍ବାଚନରେ ତାଙ୍କ ସାନଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସଞ୍ଜୟ ଦାସବର୍ମାଙ୍କୁ ପରାଜିତ କରି ବିଧାନସଭାକୁ ଆସିଲେ । ଏଥର ଚର୍ଚ୍ଚା ହେଉଛି ଲଳିତେନ୍ଦୁଙ୍କ ଜାଗାରେ ଲୁଲୁ ମହାପାତ୍ରଙ୍କ ଝିଅ ତଥା ଲଳିତେନ୍ଦୁଙ୍କ ଝିଆରୀ ଉପାସନା ମହାପାତ୍ର ମଇଦାନକୁ ଓହ୍ଲାଇବେ । ସେ ମଧ୍ୟ ବୁଲି ବୁଲି ପ୍ରଚାର କରୁଛନ୍ତି । ଲୋକଙ୍କ ସହିତ ମିଶୁଛନ୍ତି । ଏହା ପୂର୍ବରୁ ମଧ୍ୟ ବାପା ରାଜନୀତି କରିବା ସମୟରେ ସେ ପ୍ରଚାରକୁ ଓହ୍ଲାଉଥିଲେ । ଗତ ଥର ଦାଦାଙ୍କ ପାଇଁ ମଧ୍ୟ ପ୍ରଚାର କରୁଥିଲେ । ଏଥର ତାକୁ ନେଇ ସାରା ବ୍ରହ୍ମଗିରିରେ ଗୋଟେ ଗ୍ରହଣୀୟତା ରହିଛି । ଅନ୍ୟପକ୍ଷରେ ବିଜେଡିରୁ ଲଢୁଥିବା ସଞ୍ଜୟ ଦାସବର୍ମା ଏଥର ବ୍ରହ୍ମଗିରି ଛାଡି ସତ୍ୟବାଦୀକୁ ଯିବେ ।

ଏକପ୍ରକାର ଚୂଡାନ୍ତ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ମଧ୍ୟ ଜୋର ଧରୁଛି । ସେ ନିଜେ ମଧ୍ୟ କହିଥିଲେ ମୁଁ ଏଥର ସତ୍ୟବାଦୀରୁ ଲଢୁଛି, ଯେଉଁ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏବେ ପ୍ରଶ୍ନ ଉଠୁଛି ବିଜୁ ଜନତା ଦଳ ଏଠାରୁ କାହାକୁ ପ୍ରାର୍ଥୀ କରିବ ? ସତ୍ୟବାଦୀର ବିଧାୟକ ଉମା ସାମନ୍ତରାୟ ନାଁ ନେଇ ଚର୍ଚ୍ଚା ହେଉଛି । କିନ୍ତୁ ସିଏ ଏଥିରେ ରାଜି ନଥିବା କୁହାଯାଉଛି । ଅନ୍ୟପକ୍ଷରେ ଏଠାରୁ ଜିତିଥିବା ବିଜେପିର ମଧ୍ୟ ଟିକେଟ ଦୌଡ଼ ତୀବ୍ର ହୋଇଛି । ଯଦିଓ ଉପାସନାଙ୍କ ନାଁକୁ ନେଇ ଅଧିକ ଚର୍ଚ୍ଚା ହେଉଛି ଏହା ସହିତ ବର୍ତ୍ତମାନ ବିଧାୟକ ଥିବା ଲଳିତେନ୍ଦୁଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ଲଳିତେନ୍ଦୁ କିମ୍ବା ଉପାସନା କିଏ ଲଢିବ ସେ ନିଷ୍ପତ୍ତି ତାଙ୍କ ପରିବାର ନେବେ ଏହା କୁହାଯାଉଛି । ତାଙ୍କ ପରିବାର ବ୍ୟତୀତ ଆଉ ଜଣଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ସେ ହେଉଛନ୍ତି ପ୍ରଫେସର ଭକ୍ତି ରଞ୍ଜନ ପଲାଇ ।

ଭକ୍ତି ରଞ୍ଜନଙ୍କ ସବୁଠୁ ବଡ଼ ପରିଚୟ ହେଉଛି ସିଏ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ସହ ଦୀର୍ଘ ଦିନ ଧରି ଜଡିତ ଅଛନ୍ତି । ସେ ମଧ୍ୟ ସୂଚନା ଅଧିକାରୀ କର୍ମୀ ଓ ସମାଜସେବୀ ଭାବରେ ଗଲା କିଛି ବର୍ଷ ହେଲାଣି ବ୍ରହ୍ମଗିରିର ବିଭିନ୍ନ ସମସ୍ୟା ଉଠେଇ ଆସିଛନ୍ତି । ବିଶେଷ କରି ଫନି ସମୟରେ ଘର ବଣ୍ଟା ଦୁର୍ନୀତିକୁ ନେଇ ସେ ତୀବ୍ର ସ୍ୱର ଉଠାଇଥିଲେ । ସାତପଡ଼ା ଜହ୍ନିକୁଦା ସେତୁ ପାଇଁ ନିରନ୍ତର ସଂଗ୍ରାମ କରିଛନ୍ତି । ଆଧ୍ୟାତ୍ମିକ କାର୍ଯ୍ୟର ପ୍ରଚାର ପାଇଁ ବିଭିନ୍ନ ଅଞ୍ଚଳରେ ସଙ୍କୀର୍ତ୍ତନ ମଣ୍ଡଳି ସ୍ଥାପନା କରିଛନ୍ତି । ତାଙ୍କ ବାପା ଓ ଶଶୁର ଡ. ଅଭିମନ୍ୟୁ ଜେନାଙ୍କ ସୁନାମ ମଧ୍ୟ ତାଙ୍କର ପ୍ଲସ ପଏଣ୍ଟ। ସେହି ଆଧାରରେ ସେ ଭାରତୀୟ ଜନତା ପାର୍ଟି ଟିକେଟ ପାଇଁ ନିଜର ଦାବିଦାରି ରଖୁଛନ୍ତି ।

ଏଥିପାଇଁ ସେ ପାର୍ଟିରେ ଆବେଦନ କରିଥିବା ମଧ୍ୟ ସୂଚନା ଦେଇଛନ୍ତି । ବେଳେବେଳେ ଏହା ଚର୍ଚ୍ଚା ବି ହେଉଛି ଯେ ଉପାସନା ବିଜୁ ଜନତା ଦଳ ଯାଇପାରନ୍ତି । ଅବଶ୍ୟ ସେ ଚର୍ଚ୍ଚା ଏବେ ଥମି ଗଲାଣି ।

Leave A Reply

Your email address will not be published.