ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସରେ ଦଳୀୟ କନ୍ଦଳ ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୁବାରେ ଲାଗିଛି । ପ୍ରଥମେ ମଧ୍ୟପ୍ରଦେଶରୁ ଆରମ୍ଭ ହୋଇଥିବା ଏହି କଂଗ୍ରେସ କନ୍ଦଳ ପଞ୍ଜାବ ଓ ଛତିଶଗଡରେ ପହଞ୍ଚିଥିଲା । ବର୍ତ୍ତମାନ ପଞ୍ଜାବ କଂଗ୍ରେସରେ ହାଇଡ୍ରାମା ଦେଖିବାକୁ ମିଳୁଛି । ଆଉ ଏବେ ଏହି ଦଳୀୟ କନ୍ଦଳ ତାଲିକାରେ ଯୋଡି ହୋଇଛି ମେଘାଳୟ ।
ମେଘାଳୟ କଂଗ୍ରେସ ମୁଖ୍ୟଙ୍କ ନିଯୁକ୍ତିକୁ ନେଇ ସେଠାକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡା ମୁକୁଲ ସାଙ୍ଗାମ ହାଇକମାଣ୍ଡଙ୍କ ଉପରେ ଖପ୍ପା ହୋଇଛନ୍ତି । ସୂଚନା ଆନୁସାରେ ସାଙ୍ଗାମ ବିରୋଧୀ ଦଳର ନେତା ଭାବେ କାର୍ଯ୍ୟ କରୁଛନ୍ତି । ହେଲେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭିସେଣ୍ଟ ଏଚ ପାଲଙ୍କ ସହ ତାଙ୍କର ତିକ୍ତତା ସୃଷ୍ଟି ହୋଇଛି । ଆଗକୁ ୨୦୨୩ ରେ ମେଘାଳୟ ବିଧାନସଭା ନିର୍ବାଚନ ହେବକୁ ଯାଉଛି । ତେବେ ଏହା ପୂର୍ବରୁ ସାଙ୍ଗାମ ଦଳୀୟ ବିବାଦକର ଆନ୍ତ କରିବା ପାଇଁ ଲକ୍ଷ ରଖିଥିବା ଜଣାପଡିଛି । ଯଦି ବିବାଦର ସମାଧାନ ହୁଏ ନାହିଁ ତେବେ ସେ କଂଗ୍ରେସ ଛାଡି ଟିଏମସିରେ ମିଶିବେ ବୋଲି ଚର୍ଚ୍ଚ ହେଉଛି । ଖାଲି ଏତିକି ନୁହେଁ ସାଙ୍ଗାମଙ୍କ ସହ ଅନେକ ବିଧାୟକ କଂଗ୍ରେସ ଛାଡି ଟିଏମସିରେ ସାମିଲ ହେବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ସେପଟେ ସାଙ୍ଗାମଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି , ଏବେ ମେଘାଳୟରେ ୬୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୧୭ ବିଧାୟକ ରହିଛନ୍ତି । ଆଗକୁ ହେବାକୁ ଥିବା ୨୦୨୩ ବିଧାନସଭା ନିର୍ବାଚନରେ ବିଧାୟକମାନେ ସେମାନଙ୍କ ଆସନ ହରାଇବା ଉଦ୍ଦେଶ୍ୟରେ ନାହାଁନ୍ତି । ତେଣୁ ଡା ସାଙ୍ଗାମାଙ୍କୁ ଦଳ ନିରୋଧ ଆଇନକୁ ମାତ ଦେବାକୁ ହେଲେ ଅତିକମରେ ୧୨ ବିଧାୟକଙ୍କୁ ସାମିଲ କରିବାକୁ ହେବ । ଡା ସାଙ୍ଗମ କହିଛନ୍ତି, ମୁଁ ରବିବାର ଦିଲ୍ଲୀ ଯିବି । ସେଠାରେ ବିବାଦର ସମାଧାନ ପାଇଁ ଚେଷ୍ଟା କରିବୁ । ଅପରପକ୍ଷେ ଦଳୀୟ ବିବାଦ ଯୋଗୁ ନିକଟରେ କିଛି ବରିଷ୍ଠ କଂଗ୍ରେସ ନେତା ଦଳ ଛାଡି ଏନପିପିରେ ଯୋଗ ଦେଇଛନ୍ତି ।