ବାରିପଦା(ବଡ଼ ଖବର ବ୍ୟୁରୋ): ଶିମିଳିପାଳରୁ ଯେତିକି ଖୁସିର ଖବର ଆସୁନି, ସେତିକି ଦୁଖଃଦ ଖବର ଆସୁଛି । ବିପଦରେ ପଡିଛନ୍ତି କି କଳାବାଘ? କେତେବେଳେ ଶିକାରୀର ଶିକାର ହେଉଛନ୍ତି । ତ କେତେବେଳେ ଅନ୍ୟ କାରଣ ପାଇଁ କଳାବାଘର ଯାଉଛି ଜୀବନ । ବାଘର ବଂଶବୃଦ୍ଧି ଦେଉଛି ଯେତିକି ଖୁସି, ମୃତୁ୍ୟ ସେତିକି କଷ୍ଟ । ଗୁରୁବାର ଦିନ ଶିମିଳିପାଳର ଦକ୍ଷିଣ ଡିଭିଜନର ୟୁବିକେ ରେଞ୍ଚ ଅଞ୍ଚଳରୁ ଏକ କଳାବଘର ମୃତଦେହ ଠାବ ହୋଇଛି । ବାଘଟିର ବୟସ ମାତ୍ର ପାଞ୍ଚ ବର୍ଷ । ବାଘୁଣୀଟିର ମୃତୁ୍ୟ ହୋଇଥିବା ଶିମିଳିପାଳ କତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ହେଲେ ‘ବାଘୁଣୀ’ଟିର ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟତା କରାଯାଇନାହିଁ । କିନ୍ତୁ ଶିମିଳିପାଳ ପକ୍ଷରୁ କୁହାଯାଇଛି କି ଯେ, ‘କଳା ବାଘୁଣୀ’ଟିର ମୃତଦେହ ଉଦ୍ଧାର ଅଞ୍ଚଳକୁ ଏକ ଉଚ୍ଚସ୍ତରୀୟ ପାଞ୍ଚ ଜଣିଆ ବିଶେଷଜ୍ଞ ଟିମ ଯାଇ ବାଘଟିର ମୃତ୍ୟୁର କାରଣ ଖୋଜିଥିଲେ । ଆଖପାଖ ଅଞ୍ଚଳରୁ ସମସ୍ତ ନମୁନା ମଧ୍ୟ ସଂଗ୍ରହ କରିଥିଲେ । ଆଉ ପର ମୁହୂର୍ତ୍ତରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ଏସଓପି ଅନୁଯାୟୀ ମୃତ ବାଘୁଣୀଟିର ପୋଷ୍ଟମର୍ଟମ୍ କରାଯାଇଥିଲା । ପୋଷ୍ଟମର୍ଟମ୍ ଶେଷ ପରେ ‘କଳାବାଘୁଣୀ’ର ଅନ୍ତିମ ସତ୍କାର କରାଯାଇଥିଲା ।
ବିଶେଷଜ୍ଞଙ୍କ ପୋଷ୍ଟମର୍ଟମ୍ ସମୟରେ ବାଘର ଶରୀରରୁ କୌଣସି କ୍ଷତ ନଥିବା ଯୋଗୁଁ ମୃତ୍ୟୁର କାରଣ ସ୍ପଷ୍ଟ କରାଯାଇପାରିନାହିଁ । ଏହି ପୋଷ୍ଟମର୍ଟମ୍ ରିପୋର୍ଟକୁ ତର୍ଜମା ନିମନ୍ତେ ଟିମ୍ ପକ୍ଷରୁ ଓୟୁଏଟି ନିକଟକୁ ପଠାଯାଇଛି । କିନ୍ତୁ ‘କଳା ବାଘୁଣୀ’ର ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଯେହେତୁ ବାଘ ବଞ୍ଚି ରହିଲେ ପରିବେଶ ପାଇଁ ସହାୟକ ହୋଇଥାଏ । ଜୈବ ବିବିଧତା ଉପରେ ତାର ପ୍ରଭାବ ରହିଥାଏ । କିନ୍ତୁ ପ୍ରାୟ ସମୟରେ ଦେଖିବାକୁ ମିଳୁଛି ଅସୁରକ୍ଷିତ ହୋଇପାଡିଛି ବାଘ ବଂଶ । କେତେବେଳେ ଶିକାରୀର ଲୋଲୁପ ଦୃଷ୍ଟି ପଡୁଛି ବାଘ ଉପରେ ତ କେତେବେଳେ ମଣିଷକୁ ବାଘ ଭୟ ଯୋଗୁଁ ମାରି ଦିଆଯାଉଛି । ହେଲେ ପ୍ରକୃତିରେ ବାଘଟିଏ ବଞ୍ଚି ରହିବା ଯେ କେତେ ଜରୁରୀ ହୋଇପଡୁଛି ତାହା ବୁଝିବା କଷ୍ଟ ହୋଇପଡିଛି । ନହଲେ ଆମେ ମହାରାଷ୍ଟ୍ର ରାଜ୍ୟରୁ ବାଘକୁ ଆଣି ତାର ବଂଶ ବୃଦ୍ଧି କଥା ଚିନ୍ତା କରିନଥାଆନ୍ତେ କି ତାର ଶାବକ ଜନ୍ମରେ ଖୁସି ହୋଇନଥାନ୍ତେ । ତେଣୁ ବାଘଙ୍କର ଏପରି ମୃତ୍ୟୁର କାରଣ ଖୋଜି ସ୍ପଷ୍ଟ କରିବାର ଆବଶ୍ୟକ ହୋଇପଡିଛି । ଯାହାଦ୍ୱାରା ଲୋକେ ସଚେତନ ଏବଂ ସର୍ତକ ହୋଇପାରିବେ ।
