Before Header

ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର, ଜବାବ ଦେଲେ ଦେବୀ

0 56

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିଜେପି-ବିଜେଡି ମୁହାଁମହିଁ । ଆଇନଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ କରି ରାଜ୍ୟ ସରକାରଙ୍କୁ କରିଛନ୍ତି ସମାଲୋଚନା । ଏହାର ଜବାବ ଦେଇଛନ୍ତି ଦେବୀ ମିଶ୍ର । ଧର୍ମେନ୍ଦ୍ର ଟ୍ୱିଟରେ ଲେଖିଛନ୍ତି, କାନୁନବୀହିନ ଓଡ଼ିଶା ହିଁ ଏବେକାର ବାସ୍ତବିକତା । ଶାସନରେ ଦୀର୍ଘ ଦିନ ଧରି ରହିଥିବା ଲୋକ ଏ କଥାକୁ ଭଲସେ ଜାଣିଛନ୍ତି ବୋଲି ଧର୍ମେନ୍ଦ୍ର ଟୁଇଟ୍ କରିଛନ୍ତି । ଏବଂ ଝାରସୁଗୁଡ଼ାରେ ୧୫ ବର୍ଷିୟ ବାଳକ ସମର୍ଥର ହତ୍ୟାକୁ ନେଇ ଆସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ଲେଖିଛନ୍ତି, ମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ୱିପହରରେ ହତ୍ୟା କରିବାର ଠିକ୍ ଦୁଇ ମାସ ପରେ ସମର୍ଥଙ୍କ ହତ୍ୟା ଓଡ଼ିଶା ସରକାରଙ୍କ ଆଇନ୍ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶାରେ ଏବେ ନା ଲୋକ ନା ଜନପ୍ରତିନିଧି, କେହି ବି ସୁରକ୍ଷିତ ନୁହଁନ୍ତି । ଝାରସୁଗୁଡ଼ାରେ ନିୟମିତ ଭାବେ ଏମିତି ବିଭତ୍ସ ଘଟଣା ଦେଖିବାକୁ ମିଳୁଛି । ଯାହା ଫଳରେ ଓଡ଼ିଶା ଲୋକଙ୍କର ବିଶ୍ୱାସ କମିବାକୁ ଲାଗିଲାଣି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହାର ଜବାବ ଦେଇଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ନେଇ ପୂର୍ବରୁ କହି ସାରିଛନ୍ତି । ନିଜ କଥାକୁ ନିଜେ ଦର୍ପଣରେ ଦେଖିବା ର ଆବଶ୍ୟକତା ରହିଛି । ଅନ୍ୟ ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା କ’ଣ ଅଛି । ହାତରସ ହେଉ କି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ କୃଷକଙ୍କୁ ଗଣ ହତ୍ୟା କରିବା ହେଉ ସେଗୁଡିକ କେଉଁ ଶୃଙ୍ଖଳା । କେଉଁ ଆଇନରେ ଲେଖା ହୋଇଛି । ତେଣୁ କେବଳ କହିବା ଛଳରେ କହିଲେ ହେବ ନାହିଁ ତାକୁ କେମିତି ସୁଧାର ଆସିବ ସେ ନେଇ ପରାମର୍ଶ ଦେଲେ ଭଲହେବ ବୋଲି କହିଛନ୍ତି ଦେବୀ ମିଶ୍ର । ସାଂସଦ ସସ୍ମିତ ପାତ୍ର ମଧ୍ୟ ଧର୍ମେନ୍ଦ୍ରଙ୍କ ଟ୍ୱିଟର ଜବାବ ଦେଇଛନ୍ତି । କହିଛନ୍ତି, ଓଡ଼ିଶାର ଶାନ୍ତିପ୍ରିୟ ଲୋକଙ୍କୁ ଆଇନହୀନ ବୋଲି କହି ଅପମାନିତ କରନ୍ତୁ ନାହିଁ। ନିଜର ରାଜନୈତିକ ଲାଭ ପାଇଁ ଓଡ଼ିଶାକୁ ଅପମାନିତ କରନ୍ତୁ ନାହିଁ । ଏବଂ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରନ୍ତୁ ନାହିଁ ।

ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଝାରସୁଗୁଡା ପାଇଁ କଳା ଦିନ ହେଉଛି ୨୯ ତାରିଖ । ଜାନୁଆରୀ ୨୯ ରେ ନବ ଦାସଙ୍କୁ ହତ୍ୟା ଏବଂ ମାର୍ଚ୍ଚ ୨୯ ଗୋଟେ ଛୋଟ ପିଲାଟିକୁ ହତ୍ୟା କରାଯାଇଛି । ଓଡ଼ିଶାରେ ଏମିତି ଘଟଣା କେବେ ଘଟୁ ନଥିଲା । ବିଜେଡି ଶାସନରେ ହତ୍ୟା, କିଡନାପ, ନାରୀ ଧର୍ଷଣ ବଢ଼ି ଚାଲିଛି । ଯାହା ସୂଚାଉଛି ୟୁପିଠାରୁ ବି ପରିସ୍ଥିତି ଖରାପ । ଆଗକୁ ଝାରସୁଗୁଡା ଉପ ନିର୍ବାଚନରେ ଭୋଟ ଦେବାକୁ ବି ଲୋକେ ଡରିବେ । ରାଜ୍ୟ ସରକାର ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସମର୍ଥ ଅଗ୍ରୱାଲଙ୍କ ହତ୍ୟାକାରୀକୁ ସାମ୍ନାକୁ ଆଣନ୍ତୁ, ନହେଲେ ଝାରସୁଗୁଡାରେ ଭୋଟ ଦେବାକୁ ଲୋକେ ଡରିବେ ।

Leave A Reply

Your email address will not be published.