Before Header

ବାଦ୍ ପଡ଼ିଲେ ବଦନାମ, ଆଗକୁ ପୂରା ବିଦା !

0 6,197

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାଦ୍ ପଡିଲେ ବଦନାମ ମନ୍ତ୍ରୀ । ଆଗକୁ ପୂରା ବିଦା ହେବେ । ନବୀନଙ୍କ ଇସାରା ରାଜ୍ୟ ସରକାରଙ୍କ ୪ ବରିଷ୍ଠ ମନ୍ତ୍ରୀଙ୍କୁ ନେଇ । ଯେଉଁ ୪ ମନ୍ତ୍ରୀଙ୍କ ପାଇଁ ବିବାଦରେ ସରକାର । ବିବାଦରେ ବିଜେଡି । ପିପିଲି ନିର୍ବାଚନ ପାଇଁ ଗତକାଲି ବିଜୁ ଜନତା ଦଳ ୨୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ କରିଛି । ତାଲିକାର ୧ ନମ୍ବରରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏଥିରେ ପାୱାରଫୁଲ ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସାମିଲ କରାଯାଇଛି ।

କିନ୍ତୁ ମନ୍ତ୍ରିମଣ୍ଡଳର ୪ ବରିଷ୍ଠ ସଦସ୍ୟଙ୍କୁ ତାଲିକାରୁ କାଟି ଦେଇଛନ୍ତି ନବୀନ । ନଜର ପକାଇ ଦିଅନ୍ତୁ ବିଜେଡିର ଏହି ଷ୍ଟାର ପ୍ରଚାରକ ତାଲିକା ଉପରେ । ବାଦ୍ ପଡିଛନ୍ତି ଅରୁଣ ସାହୁ, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବିକ୍ରମକେଶରୀ ଆରୁଖ । ତାଲିକାରେ ଏମାନଙ୍କ ନାଁ ନାହିଁ । ପିପିଲି ପାଇଁ ତାରକା ପ୍ରଚାରକ ଭାବେ ଏମାନଙ୍କୁ ସାମିଲ କରିନାହିଁ ବିଜେଡି । ଏମାନଙ୍କ ବାଦ୍ ପଡିବା ପଛର କାରଣ ବି ସ୍ପଷ୍ଟ । ନିକଟରେ ଏହି ୪ ମନ୍ତ୍ରୀ ଆସିଛନ୍ତି ବିବାଦ ଘେରକୁ । ଏମାନଙ୍କ ପାଇଁ ସରକାର ଅପଦସ୍ଥ ହୋଇଛନ୍ତି ।

ମନ୍ତ୍ରୀ ନମ୍ବର ୧ ଅରୁଣ ସାହୁ:-

ପରୀ ହତ୍ୟାକାଣ୍ଡ ମାମଲାରେ ବେଶ୍ ବିବାଦୀୟ ହୋଇପଡିଥିଲେ ଅରୁଣ । ସାରା ରାଜ୍ୟ ଉଠିଲା ପଡିଲା । ମନ୍ତ୍ରୀ ଅରୁଣଙ୍କ ପାଇଁ ବଦନାମ ମୁଣ୍ଡାଇଲେ ନବୀନ । ଏହାପରେ କୃଷକଙ୍କ ସମସ୍ୟା ପ୍ରସଙ୍ଗରେ ମଧ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ।

ମନ୍ତ୍ରୀ ନମ୍ବର ୨ ପ୍ରତାପ ଜେନା:-

ପ୍ରତାପଙ୍କ ପାଇଁ ନବୀନଙ୍କ ସଫେଦ କୁର୍ତ୍ତାରେ ଲାଗିଛି ଦାଗ । କାହିଁକି ନାଁ ଆଇନମନ୍ତ୍ରୀ ଏବେ ଡବଲ ମର୍ଡରର ଅଭିଯୁକ୍ତ । ମାହାଙ୍ଗା ଡବଲ ମର୍ଡରରେ ୧୩ ନମ୍ବର ମୁଦାଲା ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀଙ୍କ ବିରୋଧରେ ଏହି ସଂଗୀନ ଅଭିଯୋଗ ପାଇଁ ରାଜ୍ୟ ସରକାରଙ୍କ ଉପରେ ଉଠିଛି ପ୍ରଶ୍ନ ।

ମନ୍ତ୍ରୀ ନମ୍ବର ୩ ରଣେନ୍ଦ୍ର ପ୍ରତାପ ସ୍ୱାଇଁ :-

ସମବାୟ ଦୁର୍ନୀତିରେ ମନ୍ତ୍ରୀ ନାଁ ସାମ୍ନାକୁ ଆସିଛି । ୨୦୧୯ ମନ୍ତ୍ରିମଣ୍ଡଳ ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ପରେ ଥିଲା ରାଜା ସ୍ୱାଇଁଙ୍କ ନାଁ । ସରକାରରେ ଗୁରୁତ୍ୱ ବଢିଥିଲା ଓ ଦଳରେ ବି ବଢିଥିଲା । ହେଲେ ସମବାୟ ଦୁର୍ନୀତିରେ ଛନ୍ଦି ହେଲେ ରଣେନ୍ଦ୍ର । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁଡ ବୁକରେ ନାହାନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରାଫ ରାଜା ସ୍ୱାଇଁ ।

ମନ୍ତ୍ରୀ ନମ୍ବର ୪ ବିକ୍ରମ କେଶରୀ ଆରୁଖ:-

ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଭୂମିକା ଉପରେ ଉଠିଛି ପ୍ରଶ୍ନ । ଅଭିଯୁକ୍ତ ଡିଏଫଓଙ୍କୁ ମନ୍ତ୍ରୀ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ବିକ୍ରମଙ୍କ ପାଇଁ ବଦନାମ ହୋଇଛି ସରକାର । ତେଣୁ ବିକ୍ରମଙ୍କୁ ବି ପିପିଲି ପାଇଁ ଷ୍ଟାର୍ ପ୍ରଚାରକ ଭାବେ ନେବାକୁ ଚାହିଁ ନାହାନ୍ତି ବିଜେଡି ସୁପ୍ରିମୋ ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପିପିଲି ବାଜିକୁ ସେମି ଫାଇନାଲ ଭାବେ ଗଣନା କରୁଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ଠିକ୍ ଏତିକିବେଳେ ବଦନାମ ମନ୍ତ୍ରୀଙ୍କ ପାଇଁ କୌଣସି ରିସ୍କ ନେବାକୁ ଚାହୁଁନି ବିଜେଡି । ଖାଲି ଏତିକି ନୁହେଁ, ନବୀନଙ୍କ ଏହି ଇସାରା ଆଗକୁ ଅଧିକ ଅଦଳବଦଳର ସୂଚନା ବି ଦେଉଛି ।

୨୦୧୯ ଟର୍ମରେ ବିଜେଡି ସରକାର ପ୍ରଭାବୀ ପ୍ରଦର୍ଶନ କରିପାରି ନାହିଁ । ବିଭିନ୍ନ ପ୍ରସଙ୍ଗରେ ଫେଲ୍ ମାରିଛି । ତେଣୁ ଭାବମୂର୍ତ୍ତି ସଜାଡି, ଫ୍ରେସ ଚେହେରା ସହ ପଞ୍ଚାୟତ ଭୋଟକୁ ଯିବାକୁ ଚାହିଁବେ ନବୀନ । ଏଥିପାଇଁ ଯେକୌଣସି ଦିନ ବି ଆସିପାରେ ମନ୍ତ୍ରିମଣ୍ଡଳ ଅଦଳବଦଳର ଖବର । ସେତେବେଳେ ମନ୍ତ୍ରୀ ପଦବୀରୁ ବିଦା ହୋଇପାରନ୍ତି ଏହି ୪ ବଦନାମ ମନ୍ତ୍ରୀ ।

Leave A Reply

Your email address will not be published.