ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): କୋଇଲା ବୋଝେଇ ଟ୍ରେନରେ ନିଆଁ । ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନରେ ନିଆଁ ଲାଗିବା ଘଟଣାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିଲା। ଧାମରାରୁ ଖଡ଼ଗପୁର ଅଭିମୁଖେ କୋଇଲା ନେଇ ଯାଉଥିବା ଏହି ଟ୍ରେନରେ ରାଣୀତାଲ ନିକଟରେ ନିଆଁ ଲାଗିଥିବା ଗାର୍ଡଙ୍କ ନଜରକୁ ଆସିଥିଲା।
ଏନେଇ ସେ ସୋର ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦେଇଥିଲେ।ସୂଚନା ପାଇବା ପରେ ଟ୍ରେନଟିକୁ ସୋର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଅଟକାଯାଇଥିଲା। ଟ୍ରେନର ପ୍ରାୟ ୭ଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ସୋର ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ରାତି ପ୍ରାୟ ୨ଟାରୁ ସକାଳ ୭ଟା ପର୍ୟ୍ୟନ୍ତ ଦୀର୍ଘ ପାଞ୍ଚ ଘଣ୍ଟା ଧରି ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାରେ ନିୟୋଜିତ ରହିଥିଲେ।ଶେଷରେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିଲା।ନିଆଁ ଆୟତ୍ତ ହେବା ପରେ ଆବଶ୍ୟକ ଯାଞ୍ଚ ଓ ପ୍ରକ୍ରିୟା ଶେଷ କରି ଟ୍ରେନଟି ଖଡ଼ଗପୁର ଅଭିମୁଖେ ଯାତ୍ରା କରିଥିଲା।
ତେବେ ଟ୍ରେନଟି ଷ୍ଟେସନରେ ଅଟକି ରହିବା ଯୋଗୁଁ କିଛି ସମୟ ପାଇଁ ରେଳ ଯାତାୟତ ପ୍ରଭାବିତ ହୋଇଥିଲା। ଫଳରେ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।ତେବେ କୋଇଲା ବୋଝେଇ ବଗିରେ ନିଆଁ ଲାଗିବାର ପ୍ରକୃତ କାରଣ ସମ୍ପର୍କରେ ରେଳ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।
