Before Header

ଗ୍ୟାସ ସାଙ୍ଗକୁ ବଢ଼ୁଛି କିରୋସିନି ଦର, ଲୋକେ ହନ୍ତସନ୍ତ

0 18

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ବୋଝ ଉପରେ ନଳିତା ବିଡ଼ା । ପେଟ୍ରୋଲିୟମ ସାମଗ୍ରୀର ଅହେତୁକ ଦର ବୃଦ୍ଧିକୁ ନେଇ ସବୁଠି ଅସନ୍ତୋଷ ଦେଖିବାକୁ ମିଳୁଛି । ବର୍ଷ ଭିତରେ ଦରଦାମ ବୃଦ୍ଧି ସବୁ ରେକର୍ଡକୁ ପାର କରିଛି । ଲୋକଙ୍କ ଘରେ ଚୁଲି ଜଳିବା ଏକପ୍ରକାର କଷ୍ଟସାଧ୍ୟ ହୋଇଛି । ଏଲପିଜି ସିଲିଣ୍ଡରର ଦରବୃଦ୍ଧି ସର୍ବକାଳୀନ ରେକର୍ଡ ସ୍ତରକୁ ଯିବା ପରେ ବି ମହଙ୍ଗା ମାଡ଼ରୁ ତ୍ରାହି ମିଳୁନି ।

ସୋମବାର ୧୯ କେଜି କମର୍ସିଆଲ ସିଲିଣ୍ଡର ଦାମ ଏକାଥରକେ ୨୬୬ ଟଙ୍କା ୫୦ ପଇସା ବଢ଼ିଛି । ସେପ୍ଟେମ୍ବର ୧ରେ କମର୍ସିଆଲ ସିଲିଣ୍ଡର ଦାମ ୭୫ଟଙ୍କା ବଢ଼ିଥିଲା । କିନ୍ତୁ ଏହି ସବୁ କିଛିର ରେକର୍ଡକୁ ପଛରେ ପକାଇ ଗୋଟିଏ ଦିନରେ ୨୬୬ଟଙ୍କା ୫୦ ପଇସା ବଢ଼ିଛି ସିଲିଣ୍ଡର ଦାମ ।

ସୋମବାର ଘରୋଇ ଏଲପିଜି ସିଲିଣ୍ଡର ଦାମ ବଢ଼ିନଥିଲେ ହେଁ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ଅତ୍ୟଧିକ ବୃଦ୍ଧି ପାଇବା ଫଳରେ ବ୍ୟବସାୟୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ କମର୍ସିଆଲ ଗ୍ୟାସ ସିଲିଣ୍ଡର ବୃଦ୍ଧି ପାଇବା ପରେ ଏବେ ରେଷ୍ଟ୍ରୁରାଣ୍ଟ, ହୋଟେଲ ଓ ଢାବାରେ ବି ଦରଦାମ ବୃଦ୍ଧି ପାଇବ ଏଥିରେ ସାମାନ୍ୟତମ ସନ୍ଦେହ ନାହିଁ । ପୂର୍ବରୁ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ୧ହଜାର ୭୩୩ ଟଙ୍କାରେ ମିଳୁଥିଲା । ସୋମବାର ଠାରୁ ତାହା ୨ହଜାର ଟଙ୍କା ଟପିଛି । କୋଲକାତାରେ ମଧ୍ୟ ଏହି ମୂଲ୍ୟ ୨ହଜାର ୩୭ଟଙ୍କା ୫୦ ପଇସାରେ ପହଞ୍ଚିଛି । ତେବେ ଚେନ୍ନାଇରେ ଏହାର ଦାମ ସର୍ବାଧିକ ୨ହଜାର ୧୩୩ ଟଙ୍କା ରହିଛି ।

ତେବେ ସରକାରୀ ପେଟ୍ରୋଲିୟମ କମ୍ପାନୀମାନେ ପ୍ରତି ୧୫ଦିନରେ ଏଲପିଜି ସିଲିଣ୍ଡର ଦାମକୁ ସମୀକ୍ଷା କରି ନୂଆ ଦର ନିର୍ଦ୍ଧାରଣ କରିଥାନ୍ତି । ଅକ୍ଟୋବର ୬ରେ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୧୫ଟଙ୍କା ବଢ଼ିଥିଲା । ଜୁଲାଇରୁ ଏପର୍ଯ୍ୟନ୍ତ ମୋଟ ୧୪.୨ କେଜିର ସିଲିଣ୍ଡର ଦାମ ୯୦ଟଙ୍କା ବଢ଼ାଯାଇଛି ।

କେବଳ ପେଟ୍ରୋଲ, ଡିଜେଲ ବା ଏଲପିଜି ନୁହେ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା କିରାସିନି ଦର ବି ହୁହୁ ହୋଇ ବଢ଼ିଚାଲିଛି । ରାସନ କାର୍ଡ ପିଛା କିରାସିନି କୋଟା ବି ହ୍ରାସ ପାଉଥିବା ବେଳେ ସବସିଡି କମୁଥିବାରୁ ବର୍ଷକ ମଧ୍ୟରେ ଏହାର ଦର ୧୭ଟଙ୍କା ବଢ଼ିଲାଣି । ସେହିପରି ବିଜୁଳି ବିଲରେ ବି ବଢ଼ିବାରେ ଲାଗିଛି ।

ରୋଷେଇ ଓ ଆଲୁଅ ପାଇଁ କିରୋସିନି ଉପରେ ନିର୍ଭରଶୀଳତା ପୁଣି ଥରେ ବଢ଼ିଲାଣି । କାରଣ ଏଲପିଜି ଦର ବଢ଼ୁଛି । କିନ୍ତୁ କିରୋସିନି ଦର ବି ବଢ଼ୁଥିବାରୁ ଗରିବ ଲୋକଙ୍କ ପାଇଁ ବଡ଼ ସମସ୍ୟା ଦେଖାଦେଇଛି ।

Leave A Reply

Your email address will not be published.