ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଗୋଷ୍ଠୀସଙ୍ଘର୍ଷକୁ ନେଇ ଉତ୍ତେଜନା, ପରେ ଗଣ୍ଡଗୋଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସଦର ଥାନା କତାମାଟେରୁ ଗାଁରେ ଦୁଇ ନିର୍ଦ୍ଦିଷ୍ଟ ଧର୍ମର ଗୋଷ୍ଠୀ ମଧ୍ୟରେ କୌଣସି ଏକ କାରଣକୁ ନେଇ ହତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଜୋରଦାର ଗଣ୍ଡଗୋଳ ରୂପ ନେଇଥିଲା । ତେବେ କେଉଁ କାରଣରୁ ଏତେ ବଡ ଗଣ୍ଡଗୋଳ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ହେଲେ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଓ ହତାହାତୀ ଯୋଗୁଁ ୭ ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ଆହତ ବ୍ୟକ୍ତି ମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ତେବେ ଏହି ଘଟଣାକୁ ନେଇ ଥାନାରେ କୌଣସି ମାମଲା ବର୍ତ୍ତମାନ ସୁଦ୍ଧା ରୁଜୁ ହୋଇ ନଥିବା ଜଣାପଡିଛି ।