https://youtu.be/X3W0Augi4zo
ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାମ୍ମୁକାଶ୍ମୀର ମାମଲାରେ କାଏମ ରହିଛି କେନ୍ଦ୍ରର ରାୟ । ଧାରା ୩୭୦କୁ ନେଇ ଆସିଛି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ । ତେବେ କ’ଣ ଏହି ଧାରା ୩୭୦? ଜମ୍ମୁ-କାଶ୍ମୀର, ଯାହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ସେଠି କାହିଁକି ଲଗାଇବାକୁ ପଡିଲା ଏମିତି ଏକ ଆଇନ, ଯାହା ଜମ୍ମୁ-କାଶ୍ମୀରକୁ ଭାରତର ଅନ୍ୟ ରାଜ୍ୟ ଠାରୁ ଏହାକୁ ଭିନ୍ନ କରି ରଖିଥିଲା? କେଉଁ ପରିସି୍ଥତିରେ ଧାରା ୩୭୦ ଲାଗୁ ହୋଇଥିଲା? କେତେ ବର୍ଷ ପର୍ଯ୍ୟନ୍ତ ଲାଗୁ ହୋଇଥିଲା? କେମିତି ଉଠିଲା? ଆଉ ଉଠିଲା ପରେ କ’ଣ ହେଲା? ଏହାର କାରଣ ଖୋଜିବାକୁ ଗଲେ ଆମକୁ ସ୍ୱାଧୀନତା ସମୟକୁ ଯିବାକୁ ପଡିବ । ଯେତେବେଳେ ଇଂରେଜମାନେ ଦେଶକୁ ସ୍ୱାଧୀନ କରିବା ବଦଳରେ ଦେଶକୁ ୨ ଖଣ୍ଡ କରିଦେଲେ । ଅଖଣ୍ଡ ଭାରତ ହୋଇଗଲା ଖଣ୍ଡ ଖଣ୍ଡ । ଜନ୍ମ ନେଲା ଦୁଇ ଦେଶ, ଭାରତ ଓ ପାକିସ୍ତାନ । ଏହି ଦୁଇ ନୂଆ ଦେଶ ମଧ୍ୟରେ ଛିଡା ହୋଇଥିଲା ଜାମ୍ମୁକାଶ୍ମୀର । ଯାହାର ରାଜା ଥିଲେ ହରି ସିଂ । ହରି ସିଂ ନା ଭାରତରେ ମିଶିବା ପାଇଁ ଚାହିଁଲେ ନା ପାକିସ୍ତାନରେ । ଅନ୍ତିମ ସମୟ ପର୍ଯ୍ୟନ୍ତ ନିଜ ନିଷ୍ପତ୍ତିକୁ ଝୁଲାଇ ରଖିଲେ । ନିଜେ ଏକ ସ୍ୱାଧୀନ ଦେଶ ଭାବରେ ରହିବାକୁ ଚାହିଁଲେ ।
ସେଇଠୁ ହିଁ ଆରମ୍ଭ ହେଲା ଜାମ୍ମୁ କାଶ୍ମୀର ବିବାଦର ସୂତ୍ରପାତ । ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ଉପମୁଖ୍ୟମନ୍ତ୍ରୀ ତଥା ଅନେକ ରାଜ୍ୟର ମିଶ୍ରଣର ମହାନାୟକ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ମଧ୍ୟ ପଠାଗଲା । ସେ ହରି ସିଂଙ୍କ ସହ ଅନେକ ଥର କଥା ହେଲେ ଭାରତରେ ମିଶିବା ପାଇଁ । କିନ୍ତୁ ସେ ଏହାକୁ ଟାଳି ଚାଲିଲେ । ଯାହାର ସୁଯୋଗ ନେବାକୁ ଚାହିଁଲା ନୂଆ କରି ଦେଶ ହୋଇଥିବା ବଦମାସ ପାକିସ୍ତାନ । ସେ ଜାମ୍ମୁ-କାଶ୍ମୀର ଉପରେ ଆତଙ୍କୀଙ୍କୁ ଲଗାଇ ଆକ୍ରମଣ କଲା ପାକିସ୍ତାନ । ଯାହାର ମୁକାବିଲା ପାଇଁ ଅସମର୍ଥ ଥିଲେ ହରି ସିଂ । ଏବଂ ଲୋଡିଥିଲେ ଭାରତର ସହାୟତା । ଏଠି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଜା ହରି ସିଂଙ୍କ ଆଗରେ ଏକ ପ୍ରସ୍ତାବ ରଖିଲେ । ଯେତେ ପର୍ଯ୍ୟନ୍ତ ଭାରତ ସହ ଜମ୍ମୁ କାଶ୍ମୀର ମିଶି ନାହିଁ ସେ ପର୍ଯ୍ୟନ୍ତ ଭାରତ ସହାୟତା କରିପାରିବ ନାହିଁ । କାରଣ ଏହା ଭାରତର ପ୍ରସଙ୍ଗ ନୁହେଁ, ପାକିସ୍ତାନ ଓ ଜମ୍ମୁ କାଶ୍ମୀରର ପ୍ରସଙ୍ଗ । ଏହା ପରେ ଭାରତ ସହ ଆରମ୍ଭ ହେଲା ମିଶ୍ରଣ ପ୍ରକି୍ରୟା । ଚୁକ୍ତି ପରେ ଭାରତର ସୈନ୍ୟମାନେ ପାକିସ୍ତାନର ଆତଙ୍କବାଦୀଙ୍କୁ ତଡିଦେଲେ । ଏସବୁ ଭିତରେ କିନ୍ତୁ ଜମ୍ମୁ କାଶ୍ମୀରର କିଛି ଅଂଶ ମାଡି ବସିଥିଲା ପାକିସ୍ତାନ । ସେଇଠୁ ହିଁ ଆରମ୍ଭ ହେଲା ବିବାଦ । ସମୁଦାୟ ଏହାର ଅଂଶ ହେଉଛି ଭାରତର । କିନ୍ତୁ ପାକିସ୍ତାନ ଜାଣିଶୁଣି ଏହାକୁ ମାନୁ ନାହିଁ । ତେବେ ଏସବୁ ଭିତରେ ଦାବି ହୋଇଥିଲା ୩୭୦ ଧାରା । ଜୁଲାଇ ୧୯୪୯ରେ ଶେଖ ଅବଦୁଲ୍ଲା ଓ ତାଙ୍କର ତିନି ଜଣ ଅନ୍ୟ ସହଯୋଗୀ ଭାରତୀୟ ସମ୍ବିଧାନ ସଭାରେ ସାମିଲ ହୋଇ ଜମ୍ମୁ କାଶ୍ମୀରର ବିଶେଷ ସ୍ଥିତି ଉପରେ ଆଲୋଚନା କରିଥିଲେ । ସେହି ସମୟରେ ହିଁ ଏହି ଧାରା ୩୭୦କୁ ଲାଗୁ କରାଯିବା ପାଇଁ ଆପଣାଗଲା ।
ଯାହା ପରେ ଏହି ବିବାଦୀୟ ଧାରା ରାଜ୍ୟରେ ଲାଗୁ ହେଲା, ଏବଂ ରାଜ୍ୟରେ ୨୦୧୯ ପର୍ଯ୍ୟନ୍ତ ଜାରି ହୋଇଥିଲା । କିନ୍ତୁ ୨୦୧୯ ମାର୍ଚ୍ଚ ମାସରେ ମୋଦି ସରକାର ସମୟରେ ଏହାକୁ ଉଚ୍ଛେଦ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବହୁ ବାଦ ବିବାଦ ପରେ ଆଲୋଚନା ପାଇଁ ପ୍ରସଙ୍ଗ ପହଂଚିଲା ସଂସଦରେ । ସଂସଦରେ ପାରିତ ହେବା ପରେ ରାଷ୍ଟ୍ରପତି ମଧ୍ୟ ଏଥିରେ ହଁ ଭରିଥିଲେ । ଧାରା ୩୭୦ ଉଚ୍ଛେଦର ସାମ୍ବିଧାନିକ ବୈଧତାକୁ ଚାଲେଂଜ କରି ପିଡିପି ଓ ଏନସି ସୁପ୍ରିମକୋର୍ଟରେ ଦାଏର କରିଥିଲେ ପିଟିସନ । ଏହି ଧାରା ଉଚ୍ଛେଦ ପୂର୍ବରୁ ରାଜ୍ୟରେ କାନୁନ ମଧ୍ୟ ଭିନ୍ନ ଥିଲା । ଯାହା ଦ୍ୱାରା ରାଜ୍ୟରେ ଆଇନ ଲାଗୁ କରିବା ପୂର୍ବରୁ ସଂସଦକୁ ଜାମ୍ମୁ କାଶ୍ମୀର ସରକାରଙ୍କ ମଞ୍ଜୁରୀର ଆବଶ୍ୟକତା ରହିଛି । କେବଳ ସୁରକ୍ଷା, ବୈଦେଶିକ ପ୍ରସଙ୍ଗ, ଅର୍ଥ ଓ ସଂଚାର ମାମଲାକୁ ଛାଡି ଦେଇ ସଂସଦ ଅନ୍ୟ କୌଣସି ମାମଲାରେ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ରାଜ୍ୟ ପାଇଁ ଆଇନ ପ୍ରଣୟନ କରିପାରିବ ନାହିଁ । ରାଜ୍ୟବାସୀଙ୍କ ନାଗରିକତା, ସମ୍ପତ୍ତିର ମାଲିକାନା ଓ ମୌଳିକ ଅଧିକାର ଅନ୍ୟ ରାଜ୍ୟ ତୁଳନାରେ ଭିନ୍ନ ଥିଲା । ଧାରା ୩୭୦ ଅନୁସାରେ ଅନ୍ୟ ରାଜ୍ୟର ବାସିନ୍ଦା ଜମ୍ମୁ କାଶ୍ମୀରରେ ଜମି କିଣି ପାରିବେ ନାହିଁ । ବର୍ତ୍ତମାନ ଏହି ରାୟ ପରେ ଏବେ ଭାରତର ସାର୍ବଭୌମତ୍ୱ ଆହୁରି ମଜବୁତ ହୋଇପଡିଛି ।