ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ । ଉତ୍ତର ଆରବ ସାଗରରେ ୨ ଜାହାଜ ଧକ୍କା । ଭାରତୀୟ ଜାହାଜ ଆଡକୁ ମାଡିଆସିଲା ପାକିସ୍ତାନୀ ଜାହାଜ । ପାକିସ୍ତାନ ସରକାରଙ୍କୁ ମୁହଁତୋଡ ଜବାବ ଦେଲା ଭାରତ । ସୂଚନା ଅନୁସାରେ, ଆରବ ସାଗରର ଅନ୍ତର୍ଜାତୀୟ ଜଳପଥରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଦେଶର ଜାହାଜ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଘଟଣାରେ ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇନଥିବା ଜଣାପଡ଼ିଛି ।
ଏହି ଘଟଣାକୁ ନେଇ ଭାରତ ପକ୍ଷରୁ ପାକିସ୍ତାନୀ ନାବିକଙ୍କ ଆଚରଣ ଓ ନୌପରିଚାଳନାକୁ ନେଇ ପ୍ରଶ୍ନ ଉଠାଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA) ପକ୍ଷରୁ ପାକିସ୍ତାନର ଚାର୍ଜ ଡି ଆଫାୟାର୍ସଙ୍କୁ ଡାକି ଘଟଣାକୁ ନେଇ ଭାରତର ପ୍ରତିବାଦ ଜଣାଇଥିବା ସୂଚନା ମିଳିଛି। ସ୍ଥଳ ପରେ ଜଳରେ ଭାରତ ପାକିସ୍ତାନ ମୁହାଁମୁହିଁ । ସୂଚନା ଅନୁସାରେ, ଭାରତୀୟ ଯୁଦ୍ଧପୋତଟି ଉତ୍ତର ଆରବ ସାଗରରେ ପେଟ୍ରୋଲିଂ ଓ ନିରୀକ୍ଷଣ କାର୍ୟ୍ୟରେ ନିୟୋଜିତ ଥିଲା । ଏହି ସମୟରେ ପାକିସ୍ତାନୀ ନୌସେନାର ଜାହାଜଟି ଦ୍ରୁତ ଗତିରେ ଭାରତୀୟ ଯୁଦ୍ଧପୋତ ନିକଟକୁ ଆସିଥିଲା।
ଭାରତର ଅଭିଯୋଗ ଅନୁସାରେ, ପାକିସ୍ତାନୀ ଜାହାଜର ଚାଳନା ଅସୁରକ୍ଷିତ ଓ ଅପେଶାଦାର ଥିଲା, ଯାହା ଫଳରେ ଦୁଇ ନୌସେନା ଜାହାଜ ମଧ୍ୟରେ ଧକ୍କା ହୋଇଥିଲା । ଏହା ସହିତ, ଦୁଇ ଦେଶ ମଧ୍ୟରେ ହୋଇଥିବା ସମ୍ପୃକ୍ତ ଜଳପଥ ସମ୍ବନ୍ଧୀୟ ରାଜିନାମା ଓ ବ୍ୟବସ୍ଥାର ଉଲ୍ଲଂଘନ ହୋଇଥିବା ନେଇ ଭାରତ ପକ୍ଷରୁ ଦର୍ଶାଯାଇଛି। ଅନ୍ୟପଟେ, ଇସ୍ଲାମାବାଦରେ ଥିବା ଭାରତୀୟ ଚାର୍ଜ ଡି ଆଫାୟାର୍ସଙ୍କୁ ମଧ୍ୟ ଏହି ଘଟଣାକୁ ନେଇ ପାକିସ୍ତାନ ସମ୍ମୁଖରେ ପ୍ରତିବାଦ ଜଣାଇବାକୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆରବ ସାଗରରେ ଅନ୍ତର୍ଜାତୀୟ ଜଳପଥରେ ଘଟିଥିବା ଏହି ଧକ୍କା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ପ୍ରସଙ୍ଗ କୂଟନୈତିକ ସ୍ତରରେ ଗୁରୁତ୍ୱ ପାଇଛି।
