ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏସିଆନ୍ ଗେମ୍ସ ୨୦୨୬ରେ ଶୁଟିଂରୁ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ ପଦକ। ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ଭାରତୀୟ ଯୋଡ଼ି ସୁରୁଚି ସିଂହ ଓ କମଲଜିତ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଫାଇନାଲରେ ଭାରତୀୟ ଯୋଡ଼ି ମୋଟ ୪୮୪.୬ ପଏଣ୍ଟ ସ୍କୋର କରି ନିଜର ଦବଦବା ଜାହିର କରିଥିଲେ।
ଏହି ପ୍ରଦର୍ଶନ ସହ ଭାରତ ଦକ୍ଷିଣ କୋରିଆକୁ ପଛରେ ପକାଇ ସ୍ୱର୍ଣ୍ଣ ଜିତିଛି। ଦକ୍ଷିଣ କୋରିଆ ୪୭୮.୦ ପଏଣ୍ଟ ସହ ରୌପ୍ୟ ଏବଂ ଇରାନ ୪୧୫.୮ ପଏଣ୍ଟ ସହ କାଂସ୍ୟ ପଦକ ହାସଲ କରିଛି। ଏହା ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ଭାରତର ପ୍ରଥମ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ। ଏହା ପୂର୍ବରୁ ହାଙ୍ଗଝୋ ଏସିଆନ୍ ଗେମ୍ସରେ ସରବଜୋତ ସିଂହ ଓ ଦିବ୍ୟା ଟିଏସ୍ ଏହି ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ।
ଯୋଗ୍ୟତା ପର୍ୟ୍ୟାୟରେ ମଧ୍ୟ ସୁରୁଚି ଓ କମଲଜିତଙ୍କ ଦବଦବା ଦେଖିବାକୁ ମିଳିଥିଲା। ଭାରତୀୟ ଯୋଡ଼ି ୫୮୭- ୨୯x ସ୍କୋର କରି ଶୀର୍ଷରେ ରହିବା ସହ ଏସିଆନ୍ ରେକର୍ଡ ସହ ସମାନ କରିଥିଲେ। ଅନ୍ୟପଟେ, ପୁରୁଷ ୫୦ ମିଟର ରାଇଫଲ୍ ୩ ପୋଜିସନ୍ ଟିମ୍ ଇଭେଣ୍ଟରେ ଭାରତ ରଜତ ପଦକ ଜିତିଛି । ନୀରଜ କୁମାର, ରୁଦ୍ରାଂକ୍ଷ ପାଟିଲ୍ ଓ ଐଶ୍ୱର୍ୟ୍ୟ ପ୍ରତାପ ସିଂହ ତୋମରଙ୍କ ଯୋଡ଼ି ୧୭୬୨-୯୪ଙ୍ଘ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଚୀନ୍ ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛି । ଏହି ସ୍ୱର୍ଣ୍ଣ ଓ ରଜତ ସହ ଭାରତର ପଦକ ସଂଖ୍ୟା ମଧ୍ୟ ବଢ଼ିଛି । ସେପ୍ଟେମ୍ବର ୨୫ ସକାଳର ଅପଡେଟ୍ ଅନୁସାରେ ଭାରତର ମୋଟ ପଦକ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ଏଥିରେ ୨ ସ୍ୱର୍ଣ୍ଣ, ୮ ରଜତ ଓ ୯ କାଂସ୍ୟ ସାମିଲ ରହିଛି ।
