ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗିରଫ ହୋଇ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍ରେ ରହିବା ପରେ ଦୁଇ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ ଏବଂ କଟକ ସର୍କଲ ଜେଲ୍ର ସିନିୟର ସୁପରିନ୍ଟେଣ୍ଡେଣ୍ଟ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଉଭୟ ଅଧିକାରୀଙ୍କ ନିଲମ୍ବନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଗିରଫ ହୋଇ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍ରେ ରହିଥିବାରୁ ସରକାରୀ ନିୟମ ଅନୁସାରେ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।
ମହିଳା ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗରେ ଅରୁଣ ବିଶ୍ୱାଳ ଗିରଫ ହୋଇଥିବା ବେଳେ, ଚୌଦ୍ୱାର ଜେଲ୍ରୁ କଏଦୀ ଫେରାର ଘଟଣାରେ ସୁଜିତ ରାଉଳଙ୍କୁ ମଧ୍ୟ ଗିରଫ କରାଯାଇଛି। ସୂଚନା ଅନୁସାରେ, ଉଭୟ ଅଧିକାରୀ ବର୍ତ୍ତମାନ ଗିରଫ ହୋଇ ଜେଲ୍ରେ ଅଛନ୍ତି। ଦୁଇ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏବଂ ଗିରଫ ପରେ ସରକାରଙ୍କ ପକ୍ଷରୁ ଏହି ନିଲମ୍ବନ ପଦକ୍ଷେପ ନିଆଯାଇଛି।
