ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସର ଭୋଟରେ ବିଜେଡି ବଡ଼ ହୋଇଛି । ଆଉ ଏବେ ବିଜେପି ବି ଆଗକୁ ବଢ଼ୁଛି । ଚର୍ଚ୍ଚା ହେଉଛି ଯେବେଠାରୁ କଂଗ୍ରେସର ପ୍ରଭାରୀ ଚେଲ୍ଲା କୁମାର ଦାୟିତ୍ୱ ନେଇଛନ୍ତି, ସେବେଠାରୁ ତଳକୁ ତଳକୁ ଖସିଚାଲିଛି ଦଳ । ମହମ୍ମଦ ମୋକିମଙ୍କୁ ନିଲମ୍ବନ ପଛରେ ଚେଲ୍ଲା କୁମାରଙ୍କ ନିଷ୍ପତ୍ତି ଥିବା ବି ଚର୍ଚ୍ଚା ହେଉଛି ।

ଗତ କିଛି ବର୍ଷର ଓଡ଼ିଶା ରାଜନୀତିର ସମୀକରଣକୁ ଦେଖିଲେ ରାଜନୀତିରେ ସାମାନ୍ୟ ରୁଚି ନଥିବା ଲୋକ ବି କହିଦେବ ଯଦି ଓଡ଼ିଶାରେ ସବୁଠୁ ବେଶୀ ସଫଳତା କେଉଁ ଦଳ ପାଇଛି ସେ ହେଉଛି ବିଜେଡି ଓ ସବୁଠୁ ନିରାଶ ହୋଇଥିବା ଦଳ କଂଗ୍ରେସ । ଏପରିକି କୁହାଯାଏ ଏହା ଏକମାତ୍ର ଦଳ ରାଜ୍ୟର ପ୍ରତିଟି ୱାର୍ଡରେ ଯାହାର କେହି ନା କେହି କର୍ମୀ ଥିବେ । ଦେଶରେ ମୋଦିଙ୍କ ଉତ୍ଥାନ ପରଠୁ କଂଗ୍ରେସର ପତନ ଆରମ୍ଭ ହୋଇଛି । ଅବଶ୍ୟ ଓଡ଼ିଶାରେ ଏହି ପତନ ପ୍ରକି୍ରୟା ତା’ଠୁ ପୂର୍ବରୁ ଆରମ୍ଭ ହୋଇଯାଇଥିଲା । ଯେତିକି ବାକି ଥିଲା ତାହା ଗଲା ୩/୪ ବର୍ଷ ଭିତରେ ପୂରା ମୂଳପୋଛ ହେଲା ଭଳି ଲାଗୁଛି । କଂଗ୍ରେସର ଭୋଟରେ ବିଜେଡି ବଡ଼ ହୋଇଛି । ଆଉ ଏବେ ବିଜେପି ବି ଆଗକୁ ବଢ଼ୁଛି । ଦେଶରେ ଯେତେବେଳେ ରାହୁଲଙ୍କ ‘ଭାରତ ଯୋଡ଼ ଯାତ୍ରା’ କୁହନ୍ତୁ କିମ୍ବା ଅନ୍ୟାନ୍ୟ ସମୀକରଣ ଦୃଷ୍ଟିରୁ କଂଗ୍ରେସ ପୁଣି ଉତ୍ଥାନ ଆଡ଼କୁ ଗତି କଲାଭଳି ଲାଗୁଛି, ଓଡ଼ିଶାରେ ସେତିକି ବେଳେ ବୁଡ଼ିଗଲା ଗୋଡ଼ ଆହୁରି ତଳକୁ ତଳକୁ ହେଉଛି । ଓଡ଼ିଶାରେ କଂଗ୍ରେସ ବୁଡ଼ିବା ପଛରେ କଂଗ୍ରେସ କର୍ମୀମାନେ ଆଦୌ ଦାୟୀ ନୁହଁ । ବରଂ ଦାୟିତ୍ୱରେ ଥିବା ନେତାମାନେ ସମ୍ପୂର୍ଣ୍ଣ ଦାୟୀ ବୋଲି ନିଃସନେ୍ଦହରେ କୁହାଯାଇପାରେ । ଏଠି ଦଳ ବିଜେଡି ସହ ଲଢ଼େ ନାହିଁ, ବାହାରୁ ଆସୁଥିବା ନେତାମାନେ ସେଟିଂ କରି ନିଜେ ମାଲାମାଲ ହୁଅନ୍ତି ଓ ପାର୍ଟିକୁ ବୁଡ଼ାଇ ଦିଅନ୍ତି ଏହି ଅଭିଯୋଗ ସବୁବେଳେ ହୋଇଆସୁଛି ।

ନିର୍ବାଚନ ଠିକ ମୁଣ୍ଡ ଉପରେ ଅଛି ଆଉ ଘର ସଜାଡ଼ିବା ବଦଳରେ ଦଳର ଦୁଇ ପ୍ରମୁଖ ନେତାଙ୍କୁ ନିଲମ୍ବନ କରାଯିବା କର୍ମୀମାନଙ୍କୁ ନିରୁତ୍ସାହିତ କରିଛି । ଯାହା ଜଳଜଳ ହୋଇ ଦିଶୁଛି, କେହି ଜଣେ ଚାହୁଁଛି କଂଗ୍ରେସ ଆଗକୁ ନବଢ଼ୁ, ଯେତିକି ଭୋଟ ବାକି ଅଛି ସେତକ ବି ଶାସକ ଦଳକୁ ଚାଲିଯାଉ । ଏସବୁ ପକ୍ରିୟା ଭିତରେ ଦଳରେ ଏବେ ପ୍ରଭାରୀ ଥିବା ଚେଲ୍ଲା କୁମାରଙ୍କ ବିରୋଧରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଯେବେଠୁ ଚେଲ୍ଲା କୁମାର ଓଡ଼ିଶା କଂଗ୍ରେସର ପ୍ରଭାରୀ ହେଲେଣି ସେବେଠୁ କଂଗ୍ରେସ ଆହୁରି ତଳକୁ ଖସୁଥିବା ଦେଖିବାକୁ ମିଳୁଛି । ୨୦୨୦ ସେପ୍ଟେମ୍ବର ମାସରେ ତାମିଲନାଡୁ ନେତା ଚେଲ୍ଲା କୁମାର ଓଡ଼ିଶା କଂଗ୍ରେସ ପ୍ରଭାରୀ ହୋଇ ଯୋଗ ଦେଲେ । ୨୦୧୯ ନିର୍ବାଚନରେ ସାଙ୍ଘାତିକ ବିଫଳତା ପରେ ଆଶା ଥିଲା ଚେଲ୍ଲା କୁମାର ଓଡ଼ିଶାରେ ଶୋଇଥିବା କଂଗ୍ରେସକୁ ପୁଣି ଉଠାଇବେ, ଭଲ ପ୍ରଦର୍ଶନ କରିବା ପାଇଁ ରଣନୀତି କରିବେ । କିନ୍ତୁ ଏହା ସମ୍ପୂର୍ଣ୍ଣ ଓଲଟା ହେବା ଭଳି ଦିଶିଲା ।

ଏବେ ଆସନ୍ତୁ ନଜର ପକାଇବା ଚେଲ୍ଲା କୁମାରଙ୍କ ନେତୃତ୍ୱରେ ଓଡ଼ିଶା କଂଗ୍ରେସ କେଉଁ କେଉଁ ନିର୍ବାଚନକୁ ସାମ୍ନା କରିଛି ଓ ଦଳର ପ୍ରଦର୍ଶନ କ’ଣ ରହିଛି । ଗତ ତିନି ବର୍ଷ ମଧ୍ୟରେ ଓଡ଼ିଶାରେ ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଛି । ଏହାସହ ପଂଚାୟତ ଓ ପୌର ନିର୍ବାଚନ ମଧ୍ୟ ହୋଇଛି । କେବଳ ବ୍ରଜରାଜନଗରକୁ ଛାଡ଼ି ଦେଲେ ବାକି ସବୁଠି କଂଗ୍ରେସର ବିଜେଡି-ବିଜେପି ପଛକୁ ତୃତୀୟ ସ୍ଥାନରେ ରହିଛି । କେବଳ ତୃତୀୟ ସ୍ଥାନରେ ରହିନାହିଁ, ଅଧିକାଂଶ ସ୍ଥାନରେ ଅମାନତ ହରାଇଛି । ସଂଖ୍ୟା ଦେଖିଲେ ଲାଗୁଛି ଦଳ ସାମାନ୍ୟ ଲଢ଼େଇ କରିବା ଅବସ୍ଥାରେ ବି କେଉଁଠି ନଥିଲା । ବ୍ରଜରାଜନଗରରେ କିଶୋର ପଟେଲଙ୍କ ଉଦ୍ୟମରେ ଦଳ ୨ନଂରେ ରହି ସମ୍ମାନ ବଂଚାଇବାରେ ସଫଳ ହୋଇଥିଲା । ବାକି ୬ଟି ବିଧାନସଭା ଉପନିର୍ବାଚନ ବାଲେଶ୍ୱର, ତିର୍ତ୍ତୋଲ, ପିପିଲି, ଧାମନଗର, ପଦ୍ମପୁର ଓ ଝାରସୁଗୁଡ଼ାରେ ଦୁର୍ବଳ ରଣନୀତି ପାଇଁ କଂଗ୍ରେସ ଦୟନୀୟ ପ୍ରଦର୍ଶନ କରିଥିଲା । ଓଡ଼ିଶାରେ କଂଗ୍ରେସ ପୂର୍ବରୁ କେବେବି ଏତେ ଦୁର୍ବଳ ଥିବା ଭଳି ଲାଗିନଥିଲା । କେବଳ ଏତିକି ନୁହେଁ, ପଂଚାୟତ ନିର୍ବାଚନରେ ଚରମ ବିଫଳତା, କୌଣସି ଗୋଟିଏ ବି ଜିଲ୍ଲା ପରିଷଦ ଗଠନ କରିନପାରିବା ଏବଂ ପୌର ନିର୍ବାଚନରେ ମଧ୍ୟ ସମାନ ଦୁର୍ଦ୍ଦଶା ଦେଖିଛି କଂଗ୍ରେସ । ଦଳର ଖରାପ ପ୍ରଦର୍ଶନ ପାଇଁ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ବଦଳିଛନ୍ତି । ଶରତ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଦଳର ପ୍ରଭାରୀ ଚେଲ୍ଲା କୁମାର ବଦଳି ନାହାନ୍ତି ।

ଯେବେ କି ପିସିସି ସଭାପତିଙ୍କ ସହ ପିସିସି ପ୍ରଭାରୀ ମଧ୍ୟ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପାଇଁ ସମ ପରିମାଣରେ ଦାୟୀ ବୋଲି କର୍ମୀମାନେ ଅଭିଯୋଗ କରିଆସୁଛନ୍ତି । ସେ କଂଗ୍ରେସକୁ ଜିତାଇବା ପାଇଁ ଉଦ୍ୟମ କରୁନଥିବା ଖୋଲାଖୋଲି ଅନେକ ସମୟରେ ମନ୍ତବ୍ୟ ମଧ୍ୟ ରଖିଛନ୍ତି । ଚେଲ୍ଲା କୁମାରଙ୍କ ସମୟରେ ପାର୍ଟି ପରିଚାଳନାରେ ଅସନ୍ତୁଷ୍ଟ ହୋଇ ଦଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କ ଭଳି ଟାଣୁଆ ନେତା ବି ହାତ ଛାଡ଼ି ଦେଇଛନ୍ତି । ଏବେ କଟକ ଭଳି ଜାଗାରୁ କଂଗ୍ରେସ ଟିକେଟରୁ ଜିତିଥିବା ଓ ଓଡ଼ିଶାରେ କଂଗ୍ରେସର ସଂଖ୍ୟାଲଘୁ ଚେହେରା ମହମ୍ମଦ ମୋକିମଙ୍କୁ ନିଲମ୍ବନ ପଛରେ ଚେଲ୍ଲା କୁମାରଙ୍କ ନିଷ୍ପତ୍ତି ଥିବା ବି ଚର୍ଚ୍ଚା ହେଉଛି । ସେହିଭଳି ଦଳର ବରିଷ୍ଠ ନେତା ଓ ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ ମଧ୍ୟ ବିଦା କରାଯାଇଛି । ଏସବୁ ଦେଖିଲେ ପ୍ରଶ୍ନ ଉଠୁଛି ବାସ୍ତବରେ ଓଡ଼ିଶାରେ କଂଗ୍ରେସ ବିଜେଡି ଓ ବିଜେପି କଡ଼ା ଟକ୍କର ଦେବାକୁ ଚାହୁଁଛି ତ? ଓଡ଼ିଶା ଦାୟିତ୍ୱରେ ଥିବା ପ୍ରଭାରୀ ଓଡ଼ିଶାରେ ଦଳର ସରକାର ଗଠନ ପାଇଁ ସିରିୟସ୍ ତ? ନା ପାର୍ଟି ପଛେ ବୁଡୁ ଆମ ସ୍ୱାର୍ଥ ସାଧନ ହେଉ ଥିଓରିରେ ହାତ ୨୪ରେ ପୂରା ସଫା ହୋଇଯିବନି ତ?

Leave a Reply

Your email address will not be published. Required fields are marked *