ଖଇରପୁଟ (ବଡ଼ ଖବର ବ୍ୟୁରୋ): ପ୍ରକୃତିର ସନ୍ତାନ ରେମୋ ବା ବଣ୍ଡା ଅଧିବାସୀ । ମାଲକାନଗିରି ଜିଲ୍ଲାର ସରଳ ପ୍ରକୃତି ଉପାସକ ବଣ୍ଡା ଆଦିମ ଜନଜାତିରେ ସାମିଲ । ସମୁଦ୍ର ପତନଠାରୁ ପ୍ରାୟ ୫ ହଜାର ଫୁଟ କୋଣ୍ଡକାମ୍ୱରୁ ପର୍ବତ୍ୟାଞ୍ଚଳ ପୂର୍ବଘାଟ ପର୍ବତମାଳା ଉପରେ ଏହି ଜନବସତି ଅବସ୍ଥିତ । ଏହାର ପୁର୍ବ ଦିଗରେ ଆନ୍ଧ୍ରସୀମା ଓ କୋରାପୁଟ ଜିଲ୍ଲା,ଦକ୍ଷିଣରେ ସ୍ୱାଭିମାନ ଅଞ୍ଚଳ ବା ଚିତ୍ରକୋଣ୍ଡାର ଜଳ ଭଣ୍ଡାର ଲାଗି ରହିଛି । ଏହାର ପଶ୍ଚିମରେ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ସଦର ମହକୁମା ଅବସ୍ଥିତ ।
ଖଇରପୁଟ ବ୍ଲକର ମୁଖ୍ୟତଃ ଦୁଇଟି ପଞ୍ଚାୟତ ମୁଦୁଲିପଡା ଓ ଅଣ୍ଡରାହାଲ୍ ଅଧିନରେ ଏହି ଆଦିମ ଜନଜାତି ବସବାସ କରନ୍ତି । ସମୁଦାୟ ୩୨ ଗୋଟି ଦୁର୍ଗମ ବନ ପାହାଡ ଘେରା ଗାଁ’ର ସମାହାର ବଣ୍ଡା ପାହାଡ ଜୀବନ ଧାରଣ ନିମନ୍ତେ ବିଭିନ୍ନ ଲଘୁ ବନ୍ୟା ଜାତ ଦ୍ରବ୍ୟ ଉପରେ ନିର୍ଭରକରି ଚଳନ୍ତି । ଯେ ହେତୁ ଏହା ପାହାଡିଆ ଅଞ୍ଚଳ ଶସ୍ୟ ଜାତୀୟ ଫସଲ ଭଲ ଚାଷ ହୋଇ ପାରେ । ଡଙ୍ଗର ପାହାଡ ଉପରେ କାଙ୍ଗୁ ସୁଆଁ ମାଣ୍ଡିଆ ଭଳି ଶସ୍ୟ ଜାତୀୟ ଚାଷ ଏମାନଙ୍କର ମୁଖ୍ୟ ବେଉସା ତେବେ ଏହି ଜନଜାତି ମଧ୍ୟରେ ଆଜି ବି ବଞ୍ଚି ରହିଛି ଦ୍ରବ୍ୟ ଅଦଳ ବଦଳ ର ପରମ୍ପର । ଯାହାକୁ ଆଞ୍ଚଳିକ ଭାଷାରେ “ଖେଜା” କୁହାଯାଏ । ଏହି ପଦ୍ଧତି ଜନଜାତିଙ୍କ ମଧ୍ୟରେ ଦୀର୍ଘଦିନ ଧରି ରହିଅଛି । ଯେଉଁ ସମୟରେ ମୁଦ୍ରାର ପ୍ରଚଳନ ନଥିଲା ଏହି ଉପାୟରେ ହିଁ ଦ୍ରବ୍ୟକୁ ଅଦଳ ବଦଳ କରାଯାଉଥିଲା ।
ଆଧୁନିକତାର ଛାପ ଛୁଇଁଛି ବଣ୍ଡା ଜନଜାତିଙ୍କୁ ତଥାପି ସମ୍ପୂର୍ଣ୍ଣ ପ୍ରଭାବିତ ହେଇ ନାହାନ୍ତି ଏହି ଆଦିମ ଜନଜାତି ବଣ୍ଡା । ପ୍ରକୃଷ୍ଟ ଉଧାହରଣ ହେଉଛି “ଖେଜା” ପରମ୍ପରା ବା ଦ୍ରବ୍ୟ ଅଦଳ ବଦଳ ପରମ୍ପରା । ଦୈନନ୍ଦିନ ଖାଦ୍ୟ ସାମଗ୍ରୀ ପାଇବା ନିମନ୍ତେ ଏମାନେ ବଣ୍ଡା ପାହାଡ଼ର ତଳ ଗ୍ରାମଗୁଡ଼ିକ ଉପରେ ନିର୍ଭର କରନ୍ତି । ମୁଖ୍ୟତଃ ସାପ୍ତାହିକ ହାଟ ମୁଣ୍ଡିଗୁଡା, ଖଇରପୁଟ ଓ ଆମିଲିପୁଟ ହେଉଛି ଏମାନଙ୍କର ମୁଖ୍ୟ ବ୍ୟବସାୟିକ ବା ପଣ୍ୟ ଦ୍ରବ୍ୟ ଅଦଳ ବଦଳର ପେଣ୍ଠସ୍ଥଳୀ ।
ବଣ୍ଡା ପରିବାରରେ ମହିଳା ହିଁ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ବଣ୍ଡା ରମଣୀ ପ୍ରାୟ ୨୦ ରୁ ୨୨ କିମି ପାଦରେ ଚାଲି ଚାଲି ମୁଣ୍ଡରେ ଧରିଥାଏ ଶସ୍ୟ, ସେ ମାଣ୍ଡିୟା ହେଉ କି କାଙ୍ଗୁ ସୁଆଁ ଡଙ୍ଗର ରାଣୀ କୋଲୋଥ ବିରି ସିଆଡି ଲତା ରୁ ପ୍ରସ୍ତୁତ ଦଉଡ଼ି ଧରି ଆସି ପହଞ୍ଚିଥାଏ ହାଟରେ । ଏହି ଖାଦ୍ୟ ଦ୍ରବ୍ୟ ବା ସାମଗ୍ରୀ ଗୁଡିକର ପ୍ରତିବଦଳରେ ଲୁଣ ଡାଲି ଶୁଖୁଆ ଭଳି ଖାଦ୍ୟ ଗ୍ରହଣ କରିଥାଏ। ଅନେକ ସମୟରେ ଶୁଖିଲା ମରିଚ ଭଳି ଖାଦ୍ୟ ସାମଗ୍ରୀ କୁ ନେଇ ଥାଏ। ଆଧୁନିକ ସମାଜରେ ପ୍ରତ୍ୟେକ ନେନ ଦେଣର ମାଧ୍ୟମ ଟଙ୍କା ନା ମୁଦ୍ରା ହେଇଥିବା ସ୍ଥଳେ ଆଜି ବି ବଞ୍ଚାଇ ରଖିଛନ୍ତି ଏହି ଦ୍ରବ୍ୟ ଅଦଳ ବଦଳ ବା ‘ଖେଜା’ ପରମ୍ପରା କୁ ଏହି ଆଦିମ ବଣ୍ଡା ଜନଜାତି।