ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ଦୁଇଟି ପର୍ଯ୍ୟାୟଏପ୍ରିଲ ୮ ତାରିଖ ଯାଏଁ ଚାଲିବ ବଜେଟ ଅଧିବେଶନ । ୨୦ ତାରିଖରେ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି । ଏଥର ବିଧାନସଭା ପାଇଁ ତିନି ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି । ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ଉଠାଇବେ ।
ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ ବଜେଟ ଆଗତ କରିବେ। ଏହି ଦୃଷ୍ଟିରୁ ଦେଖିଲେ ଶାସକ ଦଳ ପାଇଁ ଏହି ଅଧିବେଶନ ବେଶ୍ ଗୁରୁତ୍ୱପୂର୍ଣ୍ଣ। ହେଲେ ବିଭିନ୍ନ ପ୍ରସଙ୍ଗରେ ସରକାର ବିଫଳ ହେଉଥିବା କଥାକୁ ପ୍ରସଙ୍ଗ କରି ବିରୋଧୀ ଦଳ ପକ୍ଷରୁ ଶାସକ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ମୁଖ୍ୟତଃ ରାଜ୍ୟରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ଉପଯୁକ୍ତ ଭାବେ ନ ହେବା, ୩୧୦୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନରେ ଅବ୍ୟବସ୍ଥା, ମଣ୍ଡି ନ ଖୋଲିବା, କଟ୍ନି ଛଟ୍ନି ଆଦି ବିଷୟକୁ ନେଇ ସରକାରଙ୍କୁ ଘେରିବା ସହିତ ଗୃହ ଚଳାଇ ନ ଦେବାକୁ ବିଜେଡି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଥିବା ଶୁଣିବାକୁ ମିଳିଛି।
ମଣ୍ଡିରୁ ଧାନ ଉଠିବାରେ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି, ସ୍କୁଲ ପିଲାଙ୍କୁ ବିଳମ୍ବରେ ୟୁନିଫର୍ମ ବଣ୍ଟନ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ । ସେସବୁ ପ୍ରସଙ୍ଗକୁ ସାମ୍ନା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି । ଯେଉଁ ଫର୍ମାଟରେ ପ୍ରଶ୍ନ କରିବେ ସମସ୍ତ ଉତ୍ତର ଦେବାକୁ ଆମେ ପ୍ରସ୍ତୁତ ବୋଲି ସରକାରୀ ଦଳ କହିଛି । ଏଥରର ଅଧିବେଶନ କିପରି ସୁରୁଖୁରୁରେ ଚାଲିବ, ତା ପୂର୍ବରୁ ଗତକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ତିନି ଦଳ ସହମତି ଜଣାଇଛନ୍ତି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସରରେ ବୈଠକ ଅନୁଷ୍ଠିତ ହୋଇଛି ।
