ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନୂଆବର୍ଷରୁ ମହଙ୍ଗା ହେଲା LPG ସିଲିଣ୍ଡର ଦର ।୧୧୧ ଟଙ୍କା ବଢ଼ିଲା କମର୍ସିଆଲ LPG ସିଲିଣ୍ଡର । ନୂଆଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦର ୧୬୯୧ଟଙ୍କାକୁ ବୃଦ୍ଧି । ହୋଟେଲ, ଢାବାରେ ବ୍ୟବହୃତ ହୁଏ କମର୍ସିଆଲ ସିଲିଣ୍ଡର ଘରୋଇ LPG ସିଲିଣ୍ଡର ଦର ଅପରିବର୍ତ୍ତିତ । ଦିଲ୍ଲୀରୁ ମୁମ୍ବାଇ ଏବଂ କୋଲକାତାରୁ ଚେନ୍ନାଇ ପରି ବଡ଼ ବଡ଼ ସହର ସହିତ ସାରା ଦେଶରେ ଏହା ୧ ଜାନୁଆରି ୨୦୨୬ରୁ ମହଙ୍ଗା ହୋଇଛି । ସୂଚନାଯୋଗ୍ୟ ଯେ, ଅଏଲ୍ କମ୍ପାନିଗୁଡ଼ିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ ଏଲପିଜି ସିଲିଣ୍ଡର ଉପରେ ଏହି ଦର ବୃଦ୍ଧି କରିଛନ୍ତି ଏବଂ ପ୍ରତି ସିଲିଣ୍ଡର ପିଛା ୧୧୧ ଟଙ୍କା ପର୍ଯ୍ୟନ୍ତ ବଢ଼ାଯାଇଛି ।
ତେବେ ୧୪ କିଲୋ ବିଶିଷ୍ଟ ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୫୮୦.୫୦ ଟଙ୍କାରେ ମିଳୁଥିବା ୧୯ କିଲୋର କମର୍ସିଆଲ୍ ସିଲିଣ୍ଡର ଏବେ ୧୬୯୧.୫୦ ଟଙ୍କାରେ ମିଳିବ । ସେହିଭଳି କୋଲକାତାରେ ଏହାର ମୂଲ୍ୟ ୧୬୮୪ ଟଙ୍କାରୁ ବୃଦ୍ଧି ପାଇ ଏବେ ୧୭୯୫ ଟଙ୍କା ହୋଇଛି । ଏହା ବ୍ୟତୀତ ମୁମ୍ବାଇରେ ୧୫୩୧.୫୦ ଟଙ୍କାରେ ମିଳୁଥିବା LPG ସିଲିଣ୍ଡର ଏବେ ୧୬୪୨.୫୦ ଟଙ୍କା ହୋଇଯାଇଛି ଏବଂ ଚେନ୍ନାଇରେ ଏହାର ମୂଲ୍ୟ ୧୭୩୯.୫୦ ଟଙ୍କା ବଦଳରେ ବୃଦ୍ଧି ପାଇ ୧୮୪୯.୫୦ ଟଙ୍କା କରାଯାଇଛି ।
ଗୋଟିଏ ପଟେ ଗତ କିଛି ମାସ ହେବ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ କ୍ରମାଗତ ଭାବେ ପରିବର୍ତ୍ତନ କରାଯାଉଛି । କେତେବେଳେ ଏହାର ଦର ବୃଦ୍ଧି କରାଯାଇଛି ତ କେତେବେଳେ ହ୍ରାସ କରାଯାଇଛି । ଅନ୍ୟପଟେ ଘରୋଇ ଗ୍ୟାସ୍ ସିଲିଣ୍ଡର କଥା କହିଲେ, ଏହାର ମୂଲ୍ୟ ଏପ୍ରିଲ୍ ମାସର ସ୍ତରରେ ହିଁ ଅପରିବର୍ତ୍ତିତ ରହିଛି । ୧୪ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡରର ମୂଲ୍ୟ ୧ ଡିସେମ୍ବରରେ ମଧ୍ୟ ଦିଲ୍ଲୀରେ ୮୫୩ ଟଙ୍କା, କୋଲକାତାରେ ୮୭୯ ଟଙ୍କା, ମୁମ୍ବାଇରେ ୮୫୨ ଟଙ୍କା ଏବଂ ଚେନ୍ନାଇରେ ୮୬୮ ଟଙ୍କା ରହିଛି ।
