Election

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): ଭୋଟ ଦେଉଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ। ନେତା ବାଛୁଛନ୍ତି ଜନତା । ସକାଳ ୭ଟାରୁ ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି । ଧାଡିରେ ରହି ମଦଦାନ ସାବ୍ୟସ୍ତ କରୁଛନ୍ତି ଜନତା । ୨୮୮ ଆସନରେ ମୋଟ ୧୫୮ ଦଳ ରହିଛନ୍ତି । ୯.୭୦ କୋଟି ଭୋଟର ସେମାନଙ୍କ ନେତା ବାଛୁଛନ୍ତି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି । ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ର ପାଇଁ ଭୋଟିଂ ହେଉଛି । ମହରାଷ୍ଟ୍ରରେ ମହାୟୁତି ଓ ମହା ବିକାଶ ଅଘାଡି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । ବିଜେପି ନେତୃତ୍ବଧୀନ ମହାୟୁତି କ୍ଷମତା ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବା ବେଳେ ମହା ବିକାଶ ଅଘାଡି କ୍ଷମତାକୁ ଫେରିବାକୁ ଆଶାବାଦୀ ରହିଛି । ଏନସିପି ଓ ଶିବସେନା ଦୁଇ ଭାଗ ହେବା ପରେ ରାଜ୍ୟରେ ବହୁମୁଖୀ ଲଢେଇ ହେଉଛି । ଶିବସେନା ଓ ଏନସିପି ପାଇଁ ଅଗ୍ନି ପରୀକ୍ଷା ହେବ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ସଂଧ୍ୟା ୬ଟା ଯାଏ ଚାଲିବ। ଶୃଙ୍ଖଳିତ ମତଦାନ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା ହୋଇଛି ।

୨୫ ହଜାର ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ମୋଟ ୪,୧୩୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ନିର୍ବାଚନରେ ବିଜେପି ୧୪୯ ଆସନରେ ଲଢୁଥିବା ବେଳେ ଶିବସେନା ୮୧, ଏନସିପି ୫୯, କଂଗ୍ରେସରୁ ୧୦୧ ପ୍ରାର୍ଥୀ ମୈଦାନରେ ରହିଛନ୍ତି। ସେହିପରି ଶିବସେନା ୟୁଟିବି ୯୫,ଏନସିପି (ଶରଦ ପାୱାର) ୮୬ ପ୍ରାର୍ଥୀ ଲଢେଇ କରୁଛନ୍ତି । ବିଏସପି ୨୩୭ ଆସନରେ ପ୍ରତିଯୋଗିତା କରୁଛି । ୨୦୧୯ ନିର୍ବାଚନରେ ବିଜେପି ୧୦୫ଟି ଆସନ ଜିତିଥିଲା। ଶିବସେନା ୫୬ ଓ କଂଗ୍ରେସ ୪୪ଟି ଆସନରେ ବିଜୟୀ ହୋଇଥିଲେ । ୬ଟି ପ୍ରମୁଖ ଦଳକୁ ମିଶାଇ ମୋଟ ୧୫୮ଟି ଦଳ ନିଜ ଭାଗ୍ୟ ପରୀକ୍ଷା ଦେଉଛନ୍ତି । କିନ୍ତୁ ମୋଟାମୋଟି ଭାବେ କହିବାକୁ ଗଲେ ମହାୟୁତି ଓ ମହା ବିକାଶ ଅଘାଡି ମେଣ୍ଟ ଭିତରେ କଡା ମୁକାବିଲା ହେବ । ରାଜ୍ୟରେ ମୋଟ ୯.୭୦ କୋଟି ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୨.୨ ଲକ୍ଷ ପ୍ରଥମ ଥର ମତଦାନ ସାବ୍ୟସ୍ତ କରୁଛନ୍ତି । ଆସନ୍ତା ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ଝାଡଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ- ଗତ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଆଜି ଝାଡଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ୮୧ ଆସନରୁ ୩୮ ଆସନରେ ଆଜି ଭୋଟ ଗ୍ରହଣ ହେଉଛି । କଡା ସୁରକ୍ଷା ଭିତରେ ମଦତାନ ଜାରି ରହିଛି । ଦ୍ବିତୀୟ ପର୍ଯ୍ୟାୟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ,ତାଙ୍କ ପତ୍ନୀ କଳ୍ପନା ସୋରେନ, ବିଜେପିର ଅମର କୁମାରଙ୍କ ସମେତ ୫୦୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ୧୪,୨୧୮ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେଉଛି ।

ଏହି ପର୍ଯ୍ୟାୟରେ ମଇଦାନରେ ୫୨୮ ପ୍ରାର୍ଥୀ ରହିଛନ୍ତି। ୧ କୋଟି ୨୩ ଲକ୍ଷ ୫୮ ହଜାର ୧୯୫ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ରାଜ୍ୟରେ ଜେଏମଏମର ହେମନ୍ତ ସୋରେନ କ୍ଷମତାରେ ଥିବାବେଳେ ଏଠାରେ ବିଜେପି ସରକାର ଗଢିବ ବୋଲି ଆଶାବାଦୀ ରହିଛି । ଶାନ୍ତି ଶୃଙ୍ଖଳାରେ ଭୋଟ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି । ପୋଲିଂ ଅଧିକାରୀଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ର ଅର୍ଦ୍ଧ ସାମିରକି ବଳର ୫୮୫ କମ୍ପାନୀ, ଝାଡଖଣ୍ଡ ଆର୍ମ ଫୋର୍ସର ୬୦ କମ୍ପାନୀ ଛଡା ୩୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ୪୩ ଆସନରେ ଭୋଟ ଗ୍ରହଣ ହୋଇଥିଲା । ଆସନ୍ତା ୨୩ ତାରିଖରେ ମହାରାଷ୍ଟ୍ର ସମେତ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

Leave a Reply

Your email address will not be published. Required fields are marked *