ଦଶରଥପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ରେ ବୈତରଣୀ ଏବଂ ଶାଖା କାଣୀ ନଦୀର ବନ୍ୟା ଜଳରେ ଭାସି ଯାଇ ଜଣେ ଯୁବକ ନିଖୋଜ । ଯୁବକ ଜଣଙ୍କ ହେଲେ ତରପଦା ପଞ୍ଚାୟତ ଦୋବାବିଲ ପାଟଣା ଗ୍ରାମର ମହେଶ୍ୱର ସୁତାର । ବୟସ ପାଖାପାଖି ୫୫ ବର୍ଷ ହେବ । ଆଜି ସକାଳେ ପାଟଣା ଘାଇ ନିକଟରେ ଶୌଚ ପାଇଁ ଯାଇଥିଲେ । ନଦୀରେ ବନ୍ୟା ଜଳ ବଢୁଥିବରୁ ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଦମକଳ ବାହିନୀ ପହଂଚି ଖୋଜାଖୋଜି କରୁଥିଲେ ମଧ୍ୟ ମହେଶ୍ୱର ଙ୍କର କୌଣସି ପତ୍ତା ମିଳିନାହିଁ ।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଦଶରଥପୁର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଅଗ୍ନିଶମ କର୍ମଚାରୀମାନେ ପାୱାର ବୋଟ୍ ସହାୟତାରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲେ ସୁଦ୍ଧା ଏବେ ସୁଦ୍ଧା ମହେଶ୍ୱରଙ୍କର କୌଣସି ପତ୍ତା ମିଳିନାହିଁ । ଗତକାଲି ଠାରୁ କାଣୀ ନଦୀରେ ପୁଣି ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଦଶରଥପୁର ଅଞ୍ଚଳରେ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀର ଜଳସ୍ତର ବଢୁଥିବାରୁ ଏବଂ ବନ୍ୟା ପାଣି ପ୍ରଖର ବେଗରେ ପ୍ରବାହିତ ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ପ୍ରଶାସନ ପକ୍ଷରୁ ନଦୀ କୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
