Before Header

ମୋଦିଙ୍କ ସବକା ପ୍ରୟାସ, ନବୀନଙ୍କ ସ୍ୱାସ୍ଥ୍ୟ ବୀମା

0 26

ନୂଆଦିଲ୍ଲୀ/ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାରା ଦେଶ ପାଳନ କରୁଛି ୭୫ ତମ ସ୍ୱାଧୀନତା ଦିବସ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ପଲ୍ଲୀରୁ ଦିଲ୍ଲୀ । ସବୁଠି ଉତ୍ସବମୁଖର । ତ୍ରିରଙ୍ଗାର ତିନି ରଙ୍ଗରେ ସଜେଇ ହୋଇଛି ସାରା ଭାରତ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି । ଏଠାରୁ ସାରା ଦେଶକୁ ସମ୍ବୋଧନ କରିଛନ୍ତି ମୋଦି । ଏହି ଉତ୍ସବରେ ଅଲିମ୍ପିଆନମାନେ ଅତିଥି ହୋଇଥିଲେ ।

ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତ ଗୋଟିଏ ସ୍ୱର୍ଣ୍ଣ ପଦକ ସହିତ ସର୍ବାଧିକ ୭ଟି ପଦକ ହାସଲ କରିଥିଲା । ଯାହାକୁ ସ୍ୱାଧୀନତା ଦିବସରେ ପ୍ରଶଂସା କରିଛନ୍ତି ମୋଦି । ମୋଦି କହିଛନ୍ତି ଟୋକିଓରେ ଏହି ସଫଳତା ଦେଶରେ ଅନେକ ଯୁବ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ । କେବଳ ଏତିକି ନୁହେଁ କରୋନା ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଭାକ୍ସିନ ପ୍ରସ୍ତୁତ କରୁଥିବା ବୈଜ୍ଞାନିକମାନଙ୍କୁ ବି ପ୍ରଶଂସା କରିଛନ୍ତି । ବାସ୍ତବରେ କରୋନା ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ସାରା ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଏହି କୋରନା ଯୋଦ୍ଧା ।

ଏହାଛଡ଼ା ମହାମାରୀ କରୋନା ମୁକାବିଲା ପାଇଁ ଅନ୍ୟଦେଶ ଉପରେ ନିର୍ଭର ନ କରି ସ୍ୱଦେଶୀ ଭାକ୍ସିନ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛି । ଏପରିକି ଆଜି ପର୍ଯ୍ୟନ୍ତ ୫୪ କୋଟି ଲୋକ କରୋନା ଟିକା ନେଇଛନ୍ତି । ଯାହାକି ଏକ ଐତିହାସିକ ସଫଳତା । ଅନ୍ୟପଟେ ଶତ ପ୍ରତିଶତ ଲୋକଙ୍କ ଘରେ ଶୌଚାଳୟ, ବିଜୁଳି, ପାନୀୟ ଜଳ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏପରିକି କେହି ଯେମିତି ଏହି ସୁବିଧାରୁ ବଞ୍ଚିତ ନ ହୁଅନ୍ତୁ ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ସେହିପରି ଦେଶରେ ଆୟୁଷ୍ମାନ ଯୋଜନାରେ ଗାଁ ଗାଁରେ ସ୍ୱାସ୍ଥ୍ୟ ସେବା ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଉଦବୋଧନ ଦେଇ କହିଛନ୍ତି ।

ସେହିଭଳି ଗାଁମାନଙ୍କରେ ଟେକ୍ନୋଲୋଜି ଜରିଆରେ ବିକାଶ ଆରମ୍ଭ ହୋଇଛି ବୋଲି ସ୍ପଷ୍ଟ କରିଛନ୍ତି ମୋଦି । କାହିଁକି ନା ଦେଶର ୮୦ ପ୍ରତିଶତ ଲୋକଙ୍କ ଜମି ୨ ହେକ୍ଟରରୁ କମ । ତେଣୁ ସେମାନଙ୍କ ବିକାଶ ପାଇଁ ପିଏମ କିସାନ ଯୋଜନା ଆରମ୍ଭ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପିଏମ କିସାନ ଯୋଜନାରେ ୧୦ କୋଟି ଚାଷୀମାନଙ୍କ ଖାତାରେ ସିଧାସଳଖ ଭାବରେ ଦେଢ ଲକ୍ଷ କୋଟି ଟଙ୍କା ମିଳିସାରିଛି । ଏହା ସହ ସମସ୍ତଙ୍କର ବିକାଶ ଆମର ଲକ୍ଷ୍ୟ । ସମାଜରେ ଯେପରିକି କେହି ବିକାଶରୁ ବଞ୍ଚିତ ନହୁଅନ୍ତୁ ତାହା ଆମର ଉଦ୍ଦେଶ୍ୟ । ଏଥିପାଇଁ ମେଡିକାଲ ଶିକ୍ଷାରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ।

ତେବେ ଅର୍ଥନୈତିକ ଅନଗ୍ରସର ବର୍ଗଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ବୋଲି ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ । ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ସହ ଏଣିକି ସବକା ପ୍ରୟାସର ଆବଶ୍ୟକତା ଥିବା ସେ କହିଛନ୍ତି । ସୈନିକ ସ୍କୁଲରେ ଝିଅମାନଙ୍କୁ ଆଡମିଶନ ଅନୁମତି ସଂପର୍କରେ ମଧ୍ୟ ଘୋଷଣା କରିଥିଲେ ।

ସେହିପରି ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ପାଳନ କରାଯାଇଛି ୭୫ତମ ସ୍ୱାଧୀନତା ଦିବସ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ବଡ ଘୋଷଣା କରିଛନ୍ତି । ତେବେ ରାଜ୍ୟରେ ନୂଆ ରୂପରେ ଲାଗୁ ହେବା ପାଇଁ ଯାଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏଥିରେ ପାଖାପାଖି ସାଢେ ତିନି କୋଟି ଲୋକଙ୍କୁ ମିଳିବ ସ୍ମାର୍ଟ ହେଲର୍ଥ କାର୍ଡ । ଏହା ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ପ୍ରଦାନ କରାଯିବ ।

ଏଭଳି ସ୍ମାର୍ଟ ହେଲଥ କାର୍ଡ ଦେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି । କେବଳ ଏତିକି ନୁହେଁ ବରଂ ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୁର୍ଣ୍ଣା ଓ ଅନ୍ତଦ୍ୟୋୟ ହତାଧିକାରୀ ସମସ୍ତଙ୍କୁ ଏହି ସ୍ମାଟ ହେଲଥ କାର୍ଡ ମିଳିବ । ଏଥିରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପ୍ରତି ବର୍ଷ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.