Before Header

ଓଡ଼ିଶା ଉପନିର୍ବାଚନ: ଏଥର ଫ୍ରେଣ୍ଡଲି ମ୍ୟାଚ୍

0 482

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋେ): ଓଡ଼ିଶାର ଦୁଇଟି ବିଧାନସଭା ୩୮-ବାଲେଶ୍ୱର ଓ ୧୦୨-ତିର୍ତ୍ତୋଲ ଆସନରେ ଉପନର୍ବାଚନ ପାଇଁ ଆଉ ଦିନଟିଏ ପରେ ବିଜ୍ଞପ୍ତି ଜାରି ହେବ । ୧୭ ତାରିଖ ନାମାଙ୍କନପତ୍ର ଯାଞ୍ଚ ହେବ ଓ ୧୯ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାର ହେବ । ନଭେମ୍ବର ୩ ତାରିଖ ମତଦାନ ହେବ ବୋଲି ଧାର୍ଯ୍ୟ ହୋଇଛି । ନିର୍ବାଚନ ତାରିଖ ଘୋଷଣା ପରେ ଏବେ ବିଭିନ୍ନ ଦଳ ପକ୍ଷରୁ ରଣତୀତି ପ୍ରସ୍ତୁତି ଆରମ୍ଭ ହୋଇଛି । କଂଗ୍ରେସ ପ୍ରାର୍ଥୀ ଦରାଣ୍ଡିବାରେ ଲାଗିଥିବା ବେଳେ ବିଜେଡି ଓ ବିଜେପି ତାଙ୍କ ପ୍ରାର୍ଥୀ ପରିବର୍ତ୍ତନ ନେଇ ଯୋଜନା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଅନୁଯାୟୀ ବାଲେଶ୍ୱର ଆସନରେ ବିଜେପି ବିଜୟୀ ହୋଇଥିଲା । ବିଜେଡି ଥିଲା ଦ୍ୱିତୀୟରେ । ବିଜେପିର ବିଜୟ ବ୍ୟବଧାନ ଥିଲା ୧୩ହଜାର ୩୦୬ । କଂଗ୍ରେସ ସ୍ଥିତି ଅତି ଶୋଚନୀୟ ଥିଲା । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀକୁ ଦଖଲ କରିଥିଲା ବିଜେଡି । ବିଜେଡିର ବରିଷ୍ଠ ନେତା ସ୍ୱର୍ଗତ ବିଷ୍ଣୁ ଦାସ ବିଜେପିକୁ ୪୦ହଜାର ୩୮୬ ଭୋଟରେ ହରାଇଥିଲେ । ବିଜେପି ଥିଲା ଦ୍ୱିତୀୟରେ । କଂଗ୍ରେସର ସ୍ଥିତି ମଧ୍ୟ ଥିଲା ଦୁର୍ବଳ ।

ଏହି ଆସନରେ ବିଜେଡି ୫୪% ଭୋଟ ପାଇଥିବା ବେଳେ ବିଜେପି ପାଇଥିଲା ୩୦.୮୯% ଓ କଂଗ୍ରେସ ପାଇଥିଲା ୧୩.୭୨% । ଦୁଇଟି ନିର୍ବାଚନ ମଣ୍ଡଳୀର ସାଧାରଣ ନିର୍ବାଚନ ଫଳାଫଳକୁ ଦେଖିଲେ ବିଜେଡି ଓ ବିଜେପି ହାତରେ ଗୋଟିଏ ଗୋଟିଏ ଆସନ ରହିଛି ।ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ଥିବା ରାଜନୈତିକ ତିକ୍ତତା ଏବେ ଆଉ ନାହିଁ । ନିର୍ବାଚନ ପରେ ରହିଛି ବେଶ ଉତ୍ତମ ସମ୍ପର୍କ । ଉଭୟଙ୍କ ମଧ୍ୟରେ ଆଉ ଦୋଷ ଲଦାଲଦି କି କାଦୁଅ ଛଟାଛଟି ନାହିଁ । କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କ ବ୍ୟାପକ ତ୍ରୁଟି ରହିଛି, ଲୋକେ ଜୀବିକା ହରାଇ ଡହଳ ବିକଳ ହେଉଛନ୍ତି । ଶିଳ୍ପ ସଂସ୍ଥା ବନ୍ଦ ହେଉଛି, ଆଇନଶୃଙ୍ଖଳା ସ୍ଥିତି ଠିକ ନାହିଁ । ଏଭଳି ସବୁ ପ୍ରସଙ୍ଗ ଉପରେ ପାଟି ଖୋଲୁନାହିଁ ବିଜେପି । ବିଧାନସଭା ଭିତରେ ଓ ବାହାରେ ନିରବ ରହି ସରକାରଙ୍କ ସହ ବନ୍ଧୁତ୍ୱର ପରିଚୟ ଦେଉଛି ।

କେନ୍ଦ୍ରୀୟ ପ୍ରସଙ୍ଗରେ ବିଜେଡି ଚୁପ ତ ରାଜ୍ୟ ପ୍ରସଙ୍ଗରେ ବିଜେପି ନିରବ । ରାଜ୍ୟ ରାଜନୀତି ବାତାବରଣକୁ ଦେଖିଲେ ବିଜେପି-ବିଜେଡି ବିରୋଧୀ ନୁହେଁ ସହଯୋଗୀ ଦଳ ଭାବେ କାମ କରୁଛନ୍ତି । ରାଜ୍ୟର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ରଖାଯାଉଥିବା କହୁଛନ୍ତି ଉଭୟ ଦଳର ନେତୃବୃନ୍ଦ । ଦୁଇ ଦଳ ମଧ୍ୟରେ ଏବେକାର ସମୀକରଣ ଓ ପୂର୍ବ ଫଳାଫଳକୁ ଦେଖିଲେ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଉଭୟ ଉଭୟଙ୍କୁ ଗୋଟିଏ ନିର୍ବାଚନ ମଣ୍ଡଳୀ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । ବାଲେଶ୍ୱର ବିଜେପିକୁ ବିଜେଡି ଛାଡ଼ିଲେ, ତିର୍ତ୍ତୋଲ ବିଜେଡି ହାତରେ ଟେକି ଦେବେ ବିଜେପି ବୋଲି ସମ୍ଭାବନା ଅଧିକ ଅଛି । ସେଥିପାଇଁ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ ଏଥର ଉଭୟ ଦଳ ମଧ୍ୟରେ ଫ୍ରେଣ୍ଡଲି ମ୍ୟାଚ ହେବ ବୋଲି ସ୍ପଷ୍ଟ ବାରି ହେଉଛି ।

ଅନ୍ୟପକ୍ଷରେ ସାଧାରଣ ନିର୍ବାଚନ ଭଳି ଏଥର ମଧ୍ୟ କଂଗ୍ରେସ ବହୁ ପଛରେ ରହିଯିବ ବୋଲି ଆକଳନ କରାଯାଉଛି । କଂଗ୍ରେସର ସଂଗଠନ ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ଏବେ ଦଳର ପ୍ରାର୍ଥୀ କିଏ ସେ ନେଇ ମଧ୍ୟ ଧାର୍ଯ୍ୟ ହୋଇ ନାହିଁ । ଏବେ କଂଗ୍ରେସ ପ୍ରଭାରୀ ଆସିଛନ୍ତି । ଉପନିର୍ବାଚନ ପାଇଁ ଦଳର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେବେ । ଏହାପରେ ଚୂଡ଼ାନ୍ତ କରାଯିବ ।

Leave A Reply

Your email address will not be published.