ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ୫ ଦିନିଆ UAE ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସଂଯୁକ୍ତ ଆରବ ଏମିରେଟ୍ସ (UAE) ଗସ୍ତ କରିବେ । ବୃହତ୍ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କ ସହ କରିବେ ଆଲୋଚନା । ୧୧ ତାରିଖରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ୱୋଧନ କରିବେ । ଏହାସହିତ ପ୍ରବାସୀ ଓଡ଼ିଆଙ୍କୁ ସମ୍ୱୋଧନ କରି ଓଡ଼ିଶାର ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିବା ସହିତ ଓଡ଼ିଶା ଏବଂ UAE ମଧ୍ୟରେ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେବାର କାର୍ଯ୍ୟକ୍ରମ ରହିଛି ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପ୍ରଥମେ ନୂଆଦିଲ୍ଲୀ ଯାଇ ସେଠାରୁ ଆବୁଧାବି ଯିବେ । ୯ ତାରିଖ ଦିନ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC), ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ ଗ୍ରୁପ୍, ପେଟ୍ରୋ କେମିକାଲ କ୍ଷେତ୍ରର ବୋରଗ୍ (Borouge) କମ୍ପାନୀ ଆଦି ବିଶ୍ୱସ୍ତରୀୟ କମ୍ପାନୀର ପ୍ରମୁଖ ନେତୃତ୍ୱ ଏବଂ ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ । ସେଦିନ ସନ୍ଧ୍ୟାରେ ଦୁବାଇରେ ‘One District One Product’ କାର୍ଯ୍ୟକ୍ରମ ଅଧୀନରେ ଉତ୍ପାଦିତ ଓଡ଼ିଶାର ବିଭିନ୍ନ ଦ୍ରବ୍ୟର ଏକ ପ୍ରଦର୍ଶନୀ ଉଦ୍ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି ।
୧୦ ତାରିଖ ଦିନ UAE ର ଅର୍ଥନୀତି ତଥା ପର୍ଯ୍ୟଟନ ମନ୍ତ୍ରୀ ଏବଂ କାଉନ୍ସିଲ ଅଫ୍ ଇଣ୍ଟରନ୍ୟାସନାଲ ଇନ୍ଭେଷ୍ଟମେଣ୍ଟସ’ର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତକ୍ ଅଲ୍ ମାରିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହିତ ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ କାଉନସିଲ, ଏମିରେଟ୍ସ ଗ୍ଲୋବାଲ ଆଲୁମିନିଅମ୍ର ପ୍ରମୁଖ ନେତୃତ୍ୱମାନଙ୍କ ସହିତ ଆଲୋଚନା କରିବେ । ମିଡିଲ ଇଷ୍ଟ ରିସାଇକ୍ଲିଙ୍ଗ୍ ଆସୋସିଏସନ୍ ସହିତ ରାଉଣ୍ଡ ଟେବୁଲ ବୈଠକ, ଓଡ଼ିଶା ବିଜନେସ ଡେଲିଗେସନ୍ ସହିତ ଆଲୋଚନା ଆଦି କାର୍ଯ୍ୟକ୍ରମ ମଧ୍ୟ ରହିଛି ।
୧୧ ତାରିଖ ଦିନ ଦୁବାଇରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍’ରେ ଉଦ୍ୟୋଗପତି ଓ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ । ଏହାସହିତ ପ୍ରବାସୀ ଓଡ଼ିଆ ମାନଙ୍କ ସହିତ ମଧ୍ୟ ଏକ ବ୍ୟାପକ ମତବିନିମୟ କାର୍ଯ୍ୟକ୍ରମ ରହିଛି । ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବେ।
