ଉଦଳା (ବଡ଼ ଖବର ବ୍ୟୁରୋ): ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା। ହକ୍ର ଟଙ୍କା ନମିଳିବାରୁ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି ଶତାଧିକ ହିତାଧିକାରୀ । ଏଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ଅଞ୍ଚଳରୁ। ସୂଚନା ଅନୁସାରେ, କପ୍ତିପଦା ବ୍ଲକର ଶରତ ସମେତ ୯ଟି ପଞ୍ଚାୟତରେ ଭତ୍ତା ପ୍ରଦାନରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ସରକାରୀ ସ୍ତରରେ ଘୋଷଣା କରାଯାଇଥିବା ବର୍ଦ୍ଧିତ ଭତ୍ତା ଟଙ୍କା ବୃଦ୍ଧବୃଦ୍ଧାଙ୍କୁ ମିଳୁନଥିବା ଅଭିଯୋଗ ହୋଇଛି ।
କେବଳ ସେତିକି ନୁହେଁ, କେତେକ ହିତାଧିକାରୀ ସରପଞ୍ଚମାନଙ୍କ ଉପରେ ସନ୍ଦେହ କରି ଅଭିଯୋଗ ଆଣିଥିଲେ ଯେ ସରପଞ୍ଚମାନେ ବାକି ଟଙ୍କା ରଖି ମାତ୍ର ହଜାରେ ଟଙ୍କା ଦେଉଛନ୍ତି । ତେବେ ସରପଞ୍ଚମାନେ ହିତାଧିକାରୀଙ୍କୁ ପ୍ରକୃତ ସତ୍ୟତା ବୁଝାଇବା ସହ ନିଜ ଆଡ଼ୁ ଦୋଷ ଛଡ଼ାଇବା ପାଇଁ ଆଜି ନିଜେ ହିତାଧିକାରୀଙ୍କ ସହ ରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ସରପଞ୍ଚ ଓ ହିତାଧିକାରୀ ମିଶି ଶରତ ଛକରେ ବସି ରହିବାରୁ କପ୍ତିପଦା-କେଉଁଝର ଯୋଗାଯୋଗ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହି ଆନ୍ଦୋଳନରେ ଶରତ ସମେତ କଳମଗଡ଼ିଆ, ରାଣୀପୋଖରୀ, ନୋଟ, ଦେବାନବାହାଳୀ, ପଦ୍ମପୋଖରୀ, ରାମଚନ୍ଦ୍ରପୁର ଓ ଲାବଣ୍ୟଦେଇପୁର ପଞ୍ଚାୟତର ଶତାଧିକ ହିତାଧିକାରୀ ସାମିଲ ହୋଇଛନ୍ତି।
