Before Header

୭୮ ବର୍ଷରେ ମୁଖ୍ୟମନ୍ତ୍ରୀ

0 93

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୮ ବର୍ଷରେ ପାଦ ଦେଇଛନ୍ତି ନବୀନ । ଗତ ମାସରେ ବଡ଼ ଭଉଣୀ ଗୀତା ମେହଟ୍ଟାଙ୍କ ପରଲୋକ ଘଟିଥିବାରୁ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ନବୀ । ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ କେହି ନବୀନ ନିବାସକୁ ନଆସିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ସିଏମଓ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ୧୯୪୬ ମସିହା ଅକ୍ଟୋବର ୧୬ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ବିଗତ ୨୩ବର୍ଷ ଧରି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ୟ୍ୟ କରୁଛନ୍ତି। ୨୦୧୭ ମସିହାରେ ଶେଷଥର ପାଇଁ ସେ ନବୀନ ନିବାସ ପରିସରରେ ନିଜର ଦଳୀୟ କର୍ମୀ ଓ ନେତାମାନଙ୍କ ଗହଣରେ ଜନ୍ମଦିନ ପାଳନ କରିଥିଲେ । ତା’ପରଠୁ ବିଭିନ୍ନ କାରଣ ଦର୍ଶାଇ ନବୀନ କ୍ରମାଗତ ଭାବେ ନିଜର ଜନ୍ମଦିନ ପାଳନ କରିନାହାନ୍ତି । ୨୦୧୮ ମସିହାରେ ନବୀନ ରାଜ୍ୟରେ ‘ତିତଲି’ ବାତ୍ୟା ପ୍ରଭାବିତଙ୍କ ପ୍ରତି ସମବେଦନା ଜଣାଇ ନିଜର ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୯ ମସିହାରେ ‘ଫନି’ ବାତ୍ୟା, ୨୦୨୦ ଓ ୨୦୨୧ ମସିହାରେ କୋଭିଡ୍ ମହାମାରୀ ଏବଂ ୨୦୨୨ରେ ହାଇଦ୍ରାବାଦରେ ନିବେଶକ ସମ୍ମିଳନୀ କାରଣରୁ ନବୀନ ନିଜର ଜନ୍ମଦିନ ପାଳି ନଥିଲେ।

 

ବାପା ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ନବୀନ ପଟ୍ଟନାୟକ ରାଜନୀତିକୁ ଆସିଥିଲେ । ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ ଥିବା ନବୀନ ଏବେ ଭାରତବର୍ହର ଆଗ ଧାଡିର ରାଜନେତା । ଆଗରୁ ରାଜନୀତିର କୌଣସି ଅଭିଜ୍ଞତା ନ ଥାଇ ମଧ୍ୟ ୫ଥର ମୁଖ୍ୟମନ୍ତ୍ରୀ ହୋଇ ସେ ରେକର୍ଡ କରିଛନ୍ତି । ୧୯୯୭ରେ ଆସିକା ଲୋକସଭା ଆସନରୁ ବିଜୟ ଲାଭ କରିବା ପରେ ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ସେ କେନ୍ଦ୍ରରେ ଇସ୍ପାତ ଓ ଖଣିମନ୍ତ୍ରୀ ପଦରେ ଥିଲେ । ୨୦୦୦ ମସିହାରେ ବିଜେପି ସହ ମେଣ୍ଟ କରି ବିଜେଡି କ୍ଷମତାସୀନ ହେବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ବିଜେପି-ବିଜେଡି ମଧ୍ୟରେ ମେନ୍ଟ ଭାଙ୍ଗିବା ପରେ ମଧ୍ୟ ୨୦୦୯ରେ ବିଜେଡି ନବୀନଙ୍କ ନେତୃତ୍ୱରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ନିରଙ୍କୁଶ କ୍ଷମତାର ଅଧରକାରୀ ହେବା ସହିତ ନବୀନଙ୍କ ମୁଖ୍ୟମନ୍ତ୍ରୀ ଅକ୍ଷୁର୍ଣ୍ଣ ରହିଥିଲା । ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ନବୀନ ୫ଥର ନିର୍ବାଚନରେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହି ଓଡ଼ିଶା ଇତିହାସରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ୨୦୦୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ସରକାର ଏବଂ ୨୦୦୯ରୁ ଏପର୍ଯ୍ୟନ୍ତ ବିଜେଡିର ସର୍ବମାନ୍ୟ ନେତା ପଦରେ ଥିବା ନବୀନ ଏବଂ ତାଙ୍କ ସରକାର ପାଣି ଠାରୁ ଖଣି ପର୍ଯ୍ୟନ୍ତ ବହୁ ଅଭିଯୋଗରେ ସରବ୍ୟ ହୋଇଛନ୍ତି ।

୨୦୧୪ ଓ ୨୦୧୯ ୨ଟି ସାଧାରଣ ଓ ବିଧାନସଭା ନିର୍ବାଚନରେ ମୋଦି ହାୱା ଦେଶର ଅଧିକାଂଶ ରାଜ୍ୟରେ କ୍ଷମତାସୀନ ଅଣବିଜେପି ଦଳ ଓ ସେମାନଙ୍କ ନେତାଙ୍କୁ କ୍ଷମତାଚୁ୍ୟତ କରିଦେଇଛି । ମାତ୍ର ଓଡ଼ିଶାରେ ସେ ହାୱା କାମ ଦେଇନାହିଁ । ଓ ଡ଼ିଶାରେ ଏକଦା ଦୀର୍ଘ ବର୍ଷ ଧରି କ୍ଷମତାରେ ଥିବା କଂଗ୍ରେସ ୨୦୦୦ ପରଠୁ ଆଉ କ୍ଷମତାକୁ ଫେରିପାରିନି । ନିଜ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚକ୍‌ମା ଦେବାରେ ନବୀନ ପଟ୍ଟନାୟକ ଯେତିକି ଦକ୍ଷ ସେମିତି କଠୋର ନିଷ୍ପତ୍ତି ନେଇ ବିଦ୍ରୋହୀଙ୍କୁ ସଜାଡ଼ିବାରେ ମଧ୍ୟ ସେ ସେତିକି ପାରଙ୍ଗମ । ତେବେ ୨୪ ନିର୍ବାଚନ ତାଙ୍କ ପାଇଁ ସେତେଟା ସହଜ ହୋଇନପାରେ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନୀ ବର୍ଷ ନବୀନଙ୍କ ପାଇଁ ବେଶ୍ ଚାଲେଞ୍ଜିଂ ରହିବ ।

Leave A Reply

Your email address will not be published.