ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ପାଳିବ ପ୍ରତିଷ୍ଠା ଦିବସ । ନେତା-କର୍ମୀଙ୍କ ଅପେକ୍ଷା, ନବୀନ ଦେବେ ମନ୍ତ୍ର । ନୂଆ ବର୍ଷରୁ ନୂଆ ଷ୍ଟ୍ରାଟେଜି । ସରିଲା ଦଳର ସଭ୍ୟ ସଂଗ୍ରହ ଅଭିଯାନ । ଦୀର୍ଘ ୨୭ ବର୍ଷ ପରେ ପ୍ରଥମ ଥର ଦଳର ସାଂଘାତିକ ସ୍ଥିତି । ସୁପ୍ରିମୋଙ୍କ ସହ ନେତାଙ୍କ ନାହିଁ ତାଳମେଳ । କର୍ମୀ କାହାକୁ ନେଇ ଦେଖିବେ ଭବିଷ୍ୟତ? ଏବେ ନବୀନଙ୍କ ଆଗରେ ପାର୍ଟିକୁ ସାଂଗଠିତ କରିବାର ଆହ୍ୱାନ । ଗ୍ରାଉଣ୍ଡରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ, କେମିତି ଆତ୍ମବିଶ୍ୱାସ ବଢିବ ସେ ଦିଗରେ କାର୍ଯ୍ୟ କରିବାର ଅଛି । ନେତା ଓ କର୍ମୀଙ୍କୁ ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଛି, ନବୀନ କେମିତି ଭରଣ କରିବେ ତାକୁ ନେଇ ପ୍ରଶ୍ନ । ମମତା ମହାନ୍ତ ଓ ସୁଜିତ କୁମାର ଦଳ ଛାଡ଼ିବା ପରେ ପାର୍ଟି ଯେମିତି ଗୋଟିଏ ଡ଼ୋରିରେ ବନ୍ଧା ହୋଇନାହିଁ ଭଳି ମନେହେଉଛି । ସେପଟେ ଏକାଧିକ ଜିଲ୍ଲାରେ ବିଜେଡିର ପକଡ୍ ଦୁର୍ବଳ ହେବାକୁ ଯାଉଛି ।
ବେଶି ଯଦି କେଉଁ ଜିଲ୍ଲା ପ୍ରଭାବିତ ହୋଇଛି ତାହା ହେଉଛି ଯାଜପୁର । ଯେଉଁ ଜିଲ୍ଲା ଶଙ୍ଖ ଦଳର ଗଡ଼ ଥିଲା ଏବେ ଭୁଷୁଡ଼ି ପଡ଼ିଲାଣି । ବବିଙ୍କ କର୍ମୀ ଏବେ ବିଜେପି ମୁହାଁ । ସାରା ରାଜ୍ୟରେ ଯେଉଁ ଯୁବ ବିଜେଡି ନେତା ଅଛନ୍ତି, ସେମାନେ ଭବିଷ୍ୟତକୁ ନେଇ ଚିନ୍ତାରେ । ଦଳ କ୍ଷମତାରେ ନାହିଁ, ନବୀନ ଗ୍ରାଉଣ୍ଡକୁ ଯାଉନାହାନ୍ତି, ସେଭଳି କିଛି କାର୍ଯ୍ୟକ୍ରମ ନାହିଁ । ଯେଉଁ ଭୋଟର ନବୀନଙ୍କ ପ୍ରତି ବିଶ୍ୱାସଭାଜନ ହୋଇ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇଲେ ସେମାନେ ହିଁ ଗାଦିଚୁ୍ୟତ କଲେ । ନବୀନଙ୍କ ପରାଜୟର ସ୍ୱାଦ ଚାଖିବାର ପ୍ରମୁଖ କାରଣ ହେଉଛି ଦଳରେ ପାଣ୍ଡିଆନଙ୍କ ଅତ୍ୟଧିକ ଆଧିପତ୍ୟ ବିସ୍ତାର । ନେତା ନା କର୍ମୀ କେହି ତାଙ୍କୁ ଗ୍ରହଣ କଲେନାହିଁ । ହେଲେ ନବୀନଙ୍କୁ ହାତବାରିସୀ କରି କ୍ଷମତାର ଲଡୁ ଚାଖିବାକୁ ଚାହିଁଥିବା ପାଣ୍ଡିଆନଙ୍କ ପାଇଁ ଯେ ଦଳ ହାରିଲା ସେକଥା ମଧ୍ୟ ତାଙ୍କୁ ଜଣା ।
ସେ ରାଜନୀତିରୁ ସନ୍ୟାସ ନେଲେ ସତ ହେଲେ ନବୀନ ସେହି ଅଣଓଡ଼ିଆା ବାବୁଙ୍କୁ ଛାଡ଼ିବାକୁ ନାରାଜ । ସେହି ପାଣ୍ଡିଆନଙ୍କୁ ଏକାଧିକବାର ହେଲାଣି ସୁରକ୍ଷା ଦେଇଆସୁଛନ୍ତି ନବୀନ । ଇତିମଧ୍ୟରେ ବିଜେଡି ତା’ର ସଭ୍ୟ ସଂଗ୍ରହ ଅଭିଯାନରେ ପୂର୍ଣ୍ଣଚ୍ଛେଦ ପକାଇଛି । ପ୍ରାୟତଃ ସମସ୍ତ ନିର୍ବାଚନମଣ୍ଡଳୀରୁ ସଭ୍ୟ ସଂଗ୍ରହ ତାଲିକା ପହଂଚିଛି । କେତେ ନେତା, କର୍ମୀ ଓ ସାଧାରଣ ଜନତା ନବୀନଙ୍କ ବିଜେଡିକୁ ଏବେ ବି ଭଲ ପାଉଛନ୍ତି ତାହା ପ୍ରତିଷ୍ଠା ଦିବସରେ ଜଣାପଡ଼ିବ । ଏହାପରେ ଦଳ ଜିଲ୍ଲା, ବ୍ଲକୱାରୀ ପଦପଦବୀ ଦେବ । ୨୪ ବର୍ଷ କ୍ଷମତାରେ ଥିବା ବିଜେଡି କେମିତି ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ ତାହା ସମୟ କହିବ । ନବୀନଙ୍କ ମନ୍ତ୍ରକୁ ନେତା ଓ କର୍ମୀଙ୍କ ଅପେକ୍ଷା । ନିଜସ୍ୱ ମତ ହିସାବରେ ରଣନୀତି କରୁଛନ୍ତି ନା ପୁଣି ଥରେ ଅଣଓଡ଼ିଆଙ୍କ ଇଶାରାରେ କାର୍ଯ୍ୟ କରୁଛନ୍ତି ତାହା ସମୟ କହିବ ।