Before Header

ବିଶ୍ୱର ୫୦ ସର୍ବଶ୍ରେଷ୍ଠ ପ୍ରାକୃତିକ ତାଲିକାରେ ମୟୁରଭଞ୍ଜ

0 50

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଚର୍ଚ୍ଚାରେ ମୟୁରଭଞ୍ଜ । ବିଶ୍ୱର ୫୦ ସର୍ବଶ୍ରେଷ୍ଠ ପ୍ରାକୃତିକ ତାଲିକାରେ ମୟୁରଭଞ୍ଜ । ଅନ୍ତର୍ଜାତୀୟ ମାଗାଜିନ ଟାମରେ ମୟୁରଭଞ୍ଜକୁ ସ୍ଥାନ ପାଇଛି । ଟାଇମ ପତ୍ରିକାରେ ପ୍ରକାଶିତ ୨୦୨୩ର ଶ୍ରେଷ୍ଠ ସ୍ଥାନ ମଧ୍ୟରୁ ଭାରତର ଦୁଇଟି ସ୍ଥାନ ଲଦାଖ ଓ ମୟୁରଭଞ୍ଜ ସ୍ଥାନ ପାଇଛି । ମୟୁରଭଞ୍ଜ ସମ୍ପର୍କରେ ଟାଇମ ପତ୍ରିକା ଲେଖିଛି ଯେ , ମୟୁରଭଞ୍ଜ ନିଜର ପ୍ରାକୃତିକ ପରିବେଶ, ବାଘ, ପ୍ରାଚୀନ ମନ୍ଦିର ଓ ଛଉ ନୃତ୍ୟ ପାଇଁ ପରିଚିତ ।

ମୟୁରଭଞ୍ଜର ପ୍ରସିଦ୍ଧ ବେଲଗାଡ଼ିଆ ପ୍ରାସାଦ ସମ୍ପର୍କରେ ମଧ୍ୟ ଟାଇମ ମାଗାଜିନରେ ଉଲ୍ଲେଖ କରାଯାଇଛି । ଏହା ସହିତ ସବାଇ ଘାସ ସାମଗ୍ରୀ ଓ ଡୋକ୍ରା କଳାକୃତି ସଂପର୍କରେ ବି ପତ୍ରିକାରେ ଉଲ୍ଲେଖ ରହିଛି । ମୟୁରଭଞ୍ଜରେ ଥିବା ଶିମିଳିପାଳ ଅଭୟାରଣ୍ୟ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ପ୍ରାକୃତିକ ପରିବେଶ, ଝରଣା, ଏସୀୟ ହାତୀ, ମହାବଳ ବାଘଙ୍କ ପାଇଁ ଏହା ବିଶ୍ୱର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ଏହା ମଧ୍ୟ ଅତ୍ୟନ୍ତ ବିରଳ କଳାବାଘ ପାଇଁ ପ୍ରସିଦ୍ଧ ବୋଲି ଟାଇମ ମାଗାଜିନରେ କୁହାଯାଇଛି । ବେଲଗଡ଼ିଆ ସ୍ଥିତ ପେଲେସର ମନଲୋଭା ସୌନ୍ଦର୍ଯ୍ୟ ମୟୁରଭଞ୍ଜକୁ ପୃଥିବୀର ସର୍ବଶ୍ରେଷ୍ଠ ସ୍ଥାନର ମର୍ଯ୍ୟାଦା ଦେଇଛି ।

ମୟୁରଭଞ୍ଜ ଓଡ଼ିଶା ପାଇଁ ପ୍ରକୃତିର ଅପୂର୍ବ ଦାନ । ଶିମିଳିପାଳ ଜାତୀୟ ଉଦ୍ୟାନ ମୟୁରଭଞ୍ଜ ଜିଲ୍ଲାରେ ଅବସ୍ଥିତ । ଯାହା ଜାତୀୟ ଉଦ୍ୟାନ ଭାବେ ପରିଚିତ । ଯେଉଁଠିକୁ ଦେଶ ବାହାରୁ ଧାଇଁ ଆସନ୍ତି ପର୍ୟ୍ୟଟକ । ପୃଥିବୀର ଏକମାତ୍ର ସ୍ଥାନ, ଯେଉଁଠି କଳା ବାଘର ବିଚରଣକୁ ଦେଖିବାର ସୁଯୋଗ ମିଳିଥାଏ । ଏଠାରେ ମହାବଳ ବାଘ, ହରିଣ ଓ ହାତୀଙ୍କ ବ୍ୟତୀତ ବିଭିନ୍ନ ଦେଶୀ ଜୀବଜନ୍ତୁ ବାସ କରନ୍ତି । ୨୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଅଭୟାରଣ୍ୟ ରେ ମଧ୍ୟରେ ଜୋରନ୍ଦା ଓ ବରେହିପାଣିସ ଜଳପ୍ରପାତ ରହିଛି । ଶିମିଳିପାଳରେ ମହାବଳ ବାଘ , ବଣୁଆ ହାତୀ ଅଛନ୍ତି । ଏହାଛଡା ଶିମିଳିପାଳରେ ଗୟଳ, ଚଉଶିଙ୍ଗା, ହରିଣ ମଧ୍ୟ ରହିଛନ୍ତି ।

ପ୍ରାକୃତିକ ସୌନ୍ଦର୍ୟ୍ୟ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ରାଜ୍ୟ ତଥା ଦେଶର ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ । ସମୁଦ୍ର ପତ୍ତନଠାରୁ ୧୧୬୫.୬ ମିଟର ଉଚ୍ଚରେ ଅବସ୍ଥିତ ମେଘାସନୀ ପର୍ବତ ଏହାର ଉଚ୍ଚତମ ଶୃଙ୍ଗ । ଏହି ପର୍ବତମାଳାର ସଂକୀର୍ଣ୍ଣ ଉପତ୍ୟକା ମଧ୍ୟ ଦେଇ ବୁଢ଼ାବଳଙ୍ଗ, ଗଙ୍ଗାହାର, ସୋନ, ଦେଓ, ସଞ୍ଜ, ଖଇରୀ ଓ ହଣ୍ଡନ ଇତ୍ୟାତି ନଦୀ ପ୍ରବାହିତ । ଏହିଠାରେ ରାସ୍ନାଜାତୀୟ ପ୍ରଭାବର ଉଦ୍ଭିଦର ପ୍ରଭାବ ଅଧିକ । ଓଡ଼ିଶାରେ ମିଳୁଥିବା ୧୨୮ ପ୍ରକାର ଅର୍କିଡ଼ ମଧ୍ୟରୁ କେବଳ ଶିମିଳିପାଳରେ ୯୮ପ୍ରକାର ମିଳିଥାଏ । ଏହି ଜାଗାରେ ଦୁଇଟି ସ୍ୱତନ୍ତ୍ର ଧରଣର ଅର୍କିଡ଼ ମିଳିଥାଏ ଯାହା ପୃଥିବୀର ଅନ୍ୟକୌଣସିଠାରେ ମିଳେ ନାହିଁ, ଯଥା: ଏରିଆ ମେଘାସିନମ ଓ ବୁଲବୋ ଫାଇଲମ ପାଣିଗ୍ରାହୀନମ । ସେହିପରେ ଗୁଡ଼ୟେରା ଥାଇଲାଣ୍ଡ ପ୍ରଜାତି ଭାରତ ମଧ୍ୟରେ କେବଳ ଶିମିଳିପାଳରେ ମିଳିଥାଏ ।

ଶିମିଳିପାଳ ଅଭୟାରଣ୍ୟରେ ୧୦୧୫ ଜାତିର ଉଦ୍ଭିଦ, ୧୪୯ ଜାତିର ପ୍ରାଣୀ (୪୬ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୬୨ ପ୍ରକାର ପକ୍ଷୀ, ୨୯ ପ୍ରକାର ସରୀସୃପ ଓ ୧୨ ପ୍ରକାର ଉଭୟଚର) ଦେଖାଯାନ୍ତି । ଏଠାରେ ଥିବ ଜୀବମାନଙ୍କ ମଧ୍ୟରେ ବାଘ, କଲରାପତ୍ରିଆ ବାଘ, ଜଙ୍ଗଲ ବିରାଡ଼ି, ବଳିଆ କୁକୁର ଓ ଗଧିଆ ଇତ୍ୟାଦି ମାଂସାଶୀ ଜୀବ ହାତୀ, ଗୟଳ, ସମ୍ବର, କୁଟୁରା, ହରିଣ, ଗୁରାଣ୍ଡି ଇତ୍ୟାଦି ତୃଣଭୋଜୀ ଜୀବ ଓ ବାରହା, ବଜ୍ରକାପ୍ତା, ଝିଙ୍କ, କଇଁଛ, ଅଜଗର ଏବଂ ମଗର ଜାତୀୟ କୁମ୍ଭୀର ରହିଛନ୍ତି । ଶିମିଳିପାଳକୁ ୨୭ ମଇ ୨୦୦୯ରେ ୟୁନେସ୍କୋ ତରଫରୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଛି ।

ଟାଇମ୍ସ ପକ୍ଷରୁ ହେଉଥିବା ରିସର୍ଚ୍ଚରେ ଶିମିଳିପାଳର ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ବ୍ୟତୀତ ସଫାରୀ ଗାଇଡ ଏବଂ ସାଇକେଲ ଯାତ୍ରା ଉପରେ ମଧ୍ୟ ଅନୁସନ୍ଧାନ କରାଯିବ ବୋଲି ସୂଚନା ଦେଇଛି ଟାଇମ୍ସ । ମୟୁରଭଞ୍ଜର କଳା- ସାହିତ୍ୟ-ଐତିହ୍ୟ କିର୍ତ୍ତୀରାଜିକୁ ମଧ୍ୟ ତନ୍ନ ତନ୍ନ କରି ସନ୍ଧାନ କରାଯାଇ ମାଗାଜିନରେ ସ୍ଥାନିତ କରାଯିବ । ମୟୁରଭଞ୍ଜର ଲୋକ ନୃତ୍ୟ-ଲୋକ ଗୀତ, ସଭ୍ୟତା, ସଂସ୍କୃତି ଆଦିକୁ ଗବେଷକ ମାନେ ତର୍ଜମା କରିବେ ।

Leave A Reply

Your email address will not be published.