Before Header

ଆଜିଠୁ କ୍ରୀଡ଼ା ମହାକୁମ୍ଭ

0 15

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆଜିଠାରୁ ଆରମ୍ଭ ହେବ କ୍ରୀଡ଼ାର ମହାକୁମ୍ଭ । ବିଶ୍ୱର ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ ଅଲିମ୍ପିକ୍ସ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪ଟା ୩୦ ମିନିଟରୁ ଟୋକିଓର ଦ ନ୍ୟାସନାଲ ଷ୍ଟାଡିଅମରେ ଜାପାନର ସମ୍ରାଟ ନାରୁହିଟୋ କ୍ରୀଡ଼ାର ଶୁଭାରମ୍ଭ କରିବେ । ଆଜିର ଉଦଘାଟନୀ ଉତ୍ସବରେ ବିଶ୍ୱବାସୀଙ୍କୁ ବିଶ୍ୱଶାନ୍ତି ଓ ସହାବସ୍ଥାନର ନୂଆବାର୍ତ୍ତା ଦେବ ଟୋକିଓ । ମହାମାରୀ ପ୍ରଭାବିତ କ୍ରୀଡ଼ା ବିନା ଦର୍ଶକରେ ଆୟୋଜିତ ହେବ। ଦର୍ଶକ କେବଳ ଟିଭି ପରଦାରେ ହିଁ ଉତ୍ସବକୁ ଦେଖି ପାରିବେ । ଟୋକିଓରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜାପାନ ସରକାର ରାଜଧାନୀରେ ଆସନ୍ତା ଅଗଷ୍ଟ ୨୨ ତାରିଖ ପର୍ୟ୍ୟନ୍ତ ଜରୁରୀ ସ୍ଥିତି ଜାରି କରିଛନ୍ତି ।

ଆୟୋଜକ, ପ୍ରାୟୋଜକ, ବୈଦେଶିକ କୂଟନୈତିଜ୍ଞ, ବିଦେଶୀ ମାନ୍ୟଗଣ୍ୟ ଅତିଥି ଏଭଳି ମାତ୍ର ୧୦,୦୦୦ ଭିଆଇପି ଷ୍ଟାଡିୟମରେ ବସି ଉଦ୍‌ଘାଟନୀ ଉତ୍ସବ ଦେଖିବାର ବ୍ୟବସ୍ଥା ହୋଇଛି । ସେମିତି ମାର୍ଚ୍ଚପାଷ୍ଟରେ ମଧ୍ୟ କ୍ରୀଡ଼ାବିତଙ୍କ ସଂଖ୍ୟାକୁ ହ୍ରାସ କରିଦିଆଯାଇଛି । ଭାରତୀୟ ଦଳର ମାତ୍ର ୨୦ ଜଣ କ୍ରୀଡ଼ାବିତ ଓ ୬ ଜଣ ଅଫିସିଆଲ ଉତ୍ସବରେ ସାମିଲ ହେବେ । ପ୍ରତି ଚାରି ବର୍ଷରେ ଆୟୋଜିତ ହେଉଥିବା ଅଲିମ୍ପିକ୍ସରେ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବ ହିଁ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଅଂଶ । ଆୟୋଜକ ଦେଶ ସର୍ବଦା ବିଶ୍ୱକୁ କିଛି ନୂଆ ବାର୍ତ୍ତା ଦେବା ସହ ନିଜର ଜାତୀୟ ଅସ୍ମିତାକୁ ବିଶ୍ୱଦରବାରରେ ଉପସ୍ଥାପିତ କରିବାର ସୁଯୋଗ ପାଇଥାନ୍ତି । ମହାମାରୀ ସତ୍ତେ୍ୱ ଜାପାନ ସରକାର ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବକୁ ସ୍ମରଣୀୟ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ଓ ଆତସବାଜୀରେ ସାରା ଟୋକିଓ ଝଲସି ଉଠିବ । ଜାପାନର କଳା, ସଂସ୍କୃତି ଓ ଇତିହାସ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିବ। ଜାପାନର ଜାତୀୟ ସଙ୍ଗୀତଗାନ ପରେ ସାଂକେତିକ କପୋତ ଉଡ଼ାଯିବ । ଏହାପରେ ଅଲିମ୍ପିକ୍ସ ପତାକା ଉତ୍ତୋଳନ ଓ ସଙ୍ଗୀତ ଗାନ ହେବ । କ୍ରୀଡ଼ାବିତ ଓ ଅଫିସିଆଲଙ୍କ ଶପଥ ପାଠ ପରେ ଅଲିମ୍ପିକ୍ସ ଟର୍ଚ ରିଲେ ଆରମ୍ଭ ହେବାର କାର୍ୟ୍ୟକ୍ରମ ରହିଛି । ଏକ ହଜାରରୁ ଊଦ୍ଧ୍ୱର୍ କଳାକାର କଳା ପରିବେଶଣ କରିବେ ବୋଲି ଜଣା ପଡ଼ିଛି । ଶାନ୍ତି, ସହାବସ୍ଥାନ, ପୁନଃଗଠନ ଓ ଭବିଷ୍ୟତ ଉଦଘାଟନୀ ଓ ଉଦ୍‌ଯାପନୀ ଉତ୍ସବର ମୁଖ୍ୟ ବିଷୟ ବସ୍ତୁ ରହିଛି ।

ତେବେ ଭାରତରୁ ଏଥର ମୋଟ୍‌ ୧୨୪ ଜଣ କ୍ରୀଡ଼ାବିତ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରେ ୭୦ ଜଣ ପୁରୁଷ ଓ ୫୪ ଜଣ ମହିଳା କ୍ରୀଡ଼ାବିତ ରହିଛନ୍ତି । ଗତ ୧୭ ତାରିଖରେ ପ୍ରଥମ ପର୍ୟ୍ୟାୟରେ ଭାରତୀୟ ଅଲିମ୍ପିକ୍ସ ଦଳ ଟୋକିଓରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିସାରିଛି । ଆସନ୍ତାକାଲି ସନ୍ଧ୍ୟାରେ ଅବଶିଷ୍ଟ ଭାରତୀୟ ଦଳ ଟୋକିଓ ଯାତ୍ରା କରିବେ । ଶୁକ୍ରବାର ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ଅଲିମ୍ପିକ୍ସ ପଦକ ବିଜେତା ମହିଳା ବକ୍ସର ଏମ୍‌.ସି ମେରୀକମ୍‌ ଜାତୀୟ ପତାକା ଧାରଣ କରିବେ ।

Leave A Reply

Your email address will not be published.