ଆମେରିକା(ବଡ଼ ଖବର ବ୍ୟୁରୋ): ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ବଡ଼ ସଫଳତା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେମସ୍ ବିଲ୍ ହେଲା ପାସ୍ । ଇତିହାସ ସୃଷ୍ଟି କଲା ୱାନ୍ ବିଗ୍ ବିୟୁଟିଫୁଲ ବିଲ୍ । ୪.୫ଟ୍ରିଲିୟନ ଡଲାରର ଏହି ବିଲ୍ ଇତିହାସର ସର୍ବବୃହତ ଟିକସ ହ୍ରାସ ବିଲ୍ ଭାବରେ ବିବେଚିତ ହୋଇଛି ।
ଗତକାଲି ବିଳମ୍ବିତ ରାତିରେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଦ୍ୱାରା ଗୃହିତ ହୋଇଛି । ତା ପରେ ଏହି ବିଲକୁ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପାଇଁ ପଠାଯାଇଛି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ,ସେ ଲକ୍ଷ ଲକ୍ଷ ପରିବାରକୁ ଡେଥ୍ ଟ୍ୟାକ୍ସରୁ ମୁକ୍ତ କରିଛନ୍ତି । ଏବଂ ଆମେରିକାର ସ୍ୱାଧୀନତା ଦିବସ ଅବସରରେ ଏହି ବିଲ୍ ଠାରୁ ଭଲ ଉପହାର ଆଉ କିଛି ହୋଇପାରେ ନାହିଁ । ୮୦୦ ପୃଷ୍ଠାରୁ ଅଧିକ ଲମ୍ବା ଏହି ବିଲ୍ ପାସ୍ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥିଲା । ପର୍ଯ୍ୟାପ୍ତ ଭୋଟ୍ ପାଇବା ପାଇଁ ଟ୍ରମ୍ପ ବ୍ୟକ୍ତିଗତ ଭାବରେ ହୋଲ୍ଡଆଉଟ୍ ଉପରେ ଚାପ ପକାଇଥିଲେ । ଏହି ବିଲରେ ଟିକସ୍ କାଟ୍ , ସାମରିକ ବଜେଟ୍ , ପ୍ରତିରକ୍ଷା ଏବଂ ଶକ୍ତି ଉତ୍ପାଦନ ପାଇଁ ବର୍ଦ୍ଧିତ ଖର୍ଚ୍ଚ , ସ୍ୱାସ୍ଥ୍ୟ ଓ ପୁଷ୍ଟିକର କାର୍ଯ୍ୟକ୍ରମରେ ହ୍ରାସ ଭଳି ପ୍ରମୁଖ ବ୍ୟବସ୍ଥା ଜଡ଼ିତ ରହିଛି । ଏହି ୱାନ୍ ବିଗ୍ ବିୟୁଟିଫୁଲ ବିଲ୍ ୨୦୧୭ର ଟିକସ୍ କାଟ୍ ଏବଂ ଚାକିରି ଆଇନକୁ ସ୍ଥାୟୀ ଭାବରେ କାର୍ଯ୍ୟକାରୀ କରିବା ସହିତ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।