ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଝି ଆକାଶରେ ଥରିଲା ବିମାନ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଥାଇଲ୍ୟାଣ୍ଡର ଫୁକେଟରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ସମୟରେ ଭୟଙ୍କର ବାୟୁଚାପର ସମ୍ମୁଖୀନ ହୋଇଛି। ହଠାତ୍ ଫ୍ଲାଇଟ୍ AI2379 ରେ ବାୟୁଚାପ ଯୋଗୁଁ ବିମାନ ଭିତରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ପ୍ରାୟ ୧୨ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କ ମଧ୍ୟରୁ କେତେକଙ୍କ କାନ ଓ ବେକରେ ଆଘାତ ଲାଗିଥିବା ବେଳେ ସମସ୍ତଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଉଛି।
ରିପୋର୍ଟ ଅନୁଯାୟୀ, ପ୍ରବଳ ବାୟୁଚାପ ସମୟରେ ବିମାନଟି ନିର୍ଦ୍ଧାରିତ ଉଚ୍ଚତାଠାରୁ ପ୍ରାୟ ୩୦୦ ଫୁଟ ତଳକୁ ଖସି ଆସିଥିଲା। ତେବେ ପାଇଲଟଙ୍କ ତତ୍ପରତା ଯୋଗୁଁ ପରିସ୍ଥିତିକୁ ଶୀଘ୍ର ନିୟନ୍ତ୍ରଣକୁ ଅଣାଯାଇଥିଲା। ଏୟାର ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା ଏବଂ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ବିମାନରୁ ବାହାରିଥିଲେ । ଯାତ୍ରୀମାନଙ୍କ କହିବା ଅନୁସାରେ, ଦିଲ୍ଲୀରେ ଅବତରଣ କରିବାର କିଛି ସମୟ ପୂର୍ବରୁ ବିମାନଟି ହଠାତ୍ ତଳକୁ ଖସିବା ସହ ଭୟଙ୍କର ଭାବେ ଦୋହଲିବାକୁ ଲାଗିଥିଲା । ଫଳରେ ବିମାନ ଭିତରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।
ତେବେ ପାଇଲଟଙ୍କ ଦକ୍ଷତା ଓ ତତ୍ପରତା ଯୋଗୁଁ ବିମାନଟିକୁ ସଫଳତାର ସହ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା । ଏହି ଘଟଣା ପରେ ଅଧିକ ତଦନ୍ତ ଜାରି ରହିଛି। ଉଡ଼ାଣ ସମୟରେ ବାୟୁ ଚାପ ଏବଂ ଗତିରେ ହଠାତ୍ ପରିବର୍ତ୍ତନ ହେଉଛି ଟର୍ବୁଲେନ୍ସ। ଏହା ବିମାନରେ ପ୍ରବଳ ଝଟକା ସୃଷ୍ଟି କରିପାରେ ଏବଂ କେତେକ ସମୟରେ ଉଚ୍ଚତାରେ ମଧ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ। ବିଶେଷଜ୍ଞମାନଙ୍କ ଅନୁସାରେ ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ସବୁଠାରୁ ସୁରକ୍ଷିତ। ଏହି କାରଣରୁ ଅନେକ ଏୟାରଲାଇନ୍ସ ଯାତ୍ରୀମାନଙ୍କୁ ଉଡ଼ାଣ ସମୟରେ ସିଟ୍ ବେଲ୍ଟ ସଙ୍କେତ ବନ୍ଦ ଥିବାବେଳେ ମଧ୍ୟ ସିଟ୍ ବେଲ୍ଟ ପିନ୍ଧି ରଖିବାକୁ ପରାମର୍ଶ ଦିଅନ୍ତି।
