ପୁରୀ (ବଡ଼ ଖବର ବ୍ୟୁରୋ): କୋଟି ଓଡ଼ିଆଙ୍କ କୈବଲ୍ୟ ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ବଡ଼ଦାଣ୍ଡକୁ ଆସିବେ। କୋଟି କୋଟି ଭକ୍ତଙ୍କ ଭିତରେ ନିଜକୁ ହଜାଇ ଦେବେ। ଆଉ ରଥରେ ବିଜେ କରି ଗୁଣ୍ଡିଚା ମା’ଙ୍କ ଘରକୁ ଯିବେ। ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର। ଏବେଠାରୁ ଜନ ସମୁଦ୍ର ପାଲଟିଲାଣି ବଡ଼ଦାଣ୍ଡ। ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନ୍ଏସ୍ଜି କମାଣ୍ଡୋ ମୁତୟନ ହୋଇଥିବା ଜଣାପଡ଼ିଛି।
ପ୍ରଚଳିତ ପରମ୍ପରା ଅନୁସାରେ, ଚାହାଣି ମଣ୍ଡପରୁ ବାହାରି ଦେଉଳ ପୁରୋହିତମାନେ ବିଧିବଦ୍ଧ ଭାବେ ତିନୋଟି ରଥ ନିକଟକୁ ଯାଇଥିଲେ । ବେଦ ମନ୍ତ୍ର ଉଚ୍ଚାରଣ, ପୂଜାର୍ଚ୍ଚନା ଏବଂ ସମସ୍ତ ଶାସ୍ତ୍ରୀୟ ବିଧି ପାଳନ କରି ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦେବଦଳନ ରଥର ପବିତ୍ର ପ୍ରତିଷ୍ଠା ହୋଇଛି । ରଥ ପ୍ରତିଷ୍ଠା ନୀତି ସମୟରେ ଶ୍ରୀମନ୍ଦିର ପରିସର ଭକ୍ତିମୟ ପରିବେଶରେ ଭରି ଉଠିଥିଲା । ଶଙ୍ଖ, ଘଣ୍ଟ, କାହାଳୀ ଓ ହରିବୋଲ ଧ୍ୱନିରେ ସମଗ୍ର ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିଲା । ଲକ୍ଷ ଲକ୍ଷ ଭକ୍ତ ଏହି ଐତିହାସିକ ନୀତିର ସାକ୍ଷୀ ହେବା ପାଇଁ ଉତ୍ସାହର ସହ ଅପେକ୍ଷା କରୁଛନ୍ତି । ରଥ ପ୍ରତିଷ୍ଠା ସମ୍ପନ୍ନ ହେବା ସହିତ ଏବେ ସମସ୍ତଙ୍କ ନଜର ରହିଛି ମହାପ୍ରଭୁଙ୍କ ପହଣ୍ଡି ବିଜେ, ଛେରା ପହଁରା ଓ ବିଶ୍ୱପ୍ରସିଦ୍ଧ ରଥଟଣା ଉପରେ, ଯାହା ପାଇଁ କୋଟି କୋଟି ଭକ୍ତ ଅଧୀର ଅପେକ୍ଷାରେ ରହିଛନ୍ତି ।
ରଥ ପ୍ରତିଷ୍ଠା ପରେ ତିନି ରଥରେ ରକ୍ଷକଙ୍କୁ ସ୍ଥାପନ କରାଯାଇଛି। ଶ୍ରୀବିଗ୍ରହଙ୍କ ଆଗମନ ପୂର୍ବରୁ ତିନି ରଥ ପ୍ରତିଷ୍ଠା କରାଯାଇଛି। ଶ୍ରୀମନ୍ଦିରରେ ଅଙ୍କୁରାରୋପଣ ସରି ହୋମଯଜ୍ଞ ଅନୁଷ୍ଠିତ ହୋଇଛି। ତିନି ରଥ ପାଇଁ ପୁରୋହିତ ତିନି ଜଣ ଆଚାର୍ଯ୍ୟ ଭାବେ ପୂଜାର୍ଚ୍ଚନା କରିଛନ୍ତି। ପରେ ପାରମ୍ପରିକ ପଟୁଆରରେ ଆଚାର୍ଯ୍ୟମାନେ ତିନି ରଥକୁ ଆସି ବୈଦିକ ରୀତିନୀତିରେ ପବିତ୍ର ଜଳ ସିଞ୍ଚନ କରିଛନ୍ତି। ପରେ ଯଜ୍ଞଶାଳାରେ ପୂର୍ଣ୍ଣାହୁତି ହୋଇ ଗଜପତିଙ୍କ ପାଇଁ ଆଶୀର୍ବାଦ ଚାଉଳ ରଖି ପୁରୋହିତ ପ୍ରତିଷ୍ଠା କର୍ମ ସମ୍ପନ୍ନ କରିଛନ୍ତି। ଇତିମଧ୍ୟରେ ରଥ ଉପରେ ଆୟୁଧ ସ୍ଥାପନ କରାଯାଇଛି। ନନ୍ଦିଘୋଷର ଆୟୁଧ ଶଙ୍ଖ, ଚକ୍ର, ତାଳଧ୍ୱଜର ଆୟୁଧ ହଳ, ମୁଷଳ ଓ ଦେବଦଳନର ଆୟୁଧ କଇଁ ଓ ପଦ୍ମ ସ୍ଥାପନ କରାଯାଇଛି।
