ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରାଜନୀତିରେ ବଡ଼ ହଲଚଲ । SIR ପରେ ପଞ୍ଜାବର ଡ୍ରାଫ୍ଟ ଭୋଟର ଲିଷ୍ଟରୁ ନାଁ ବାଦ୍ ପଡ଼ିଛି । ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ବା SIR ପ୍ରକ୍ରିୟାରେ ତାଙ୍କ ନାଁକୁ ‘Permanently Shifted’ ବା ସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ ବୋଲି ଦର୍ଶାଯାଇଛି । ଆଉ ଏହାକୁ ନେଇ ବଡ଼ ଅଭିଯୋଗ ଆଣିଛନ୍ତି ରାଘବ ଚଢ଼ା । ଭୋଟର ଲିଷ୍ଟରୁ ତାଙ୍କ ନାଁ ହଟିବା ନେଇ ସେ ଅସନ୍ତୋଷ ପ୍ରକାଶ କରି ପଞ୍ଜାବର ଆମ ଆଦମୀ ପାର୍ଟି (AAP) ସରକାର ଉପରେ ରାଜନୈତିକ ପ୍ରତିଶୋଧର ଅଭିଯୋଗ ଲଗାଇଛନ୍ତି।
କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପକ୍ଷରୁ ୧୩ ଅଗଷ୍ଟ ୨୦୨୬ରେ ପଞ୍ଜାବର ଡ୍ରାଫ୍ଟ ଭୋଟର ଲିଷ୍ଟ ପ୍ରକାଶ କରାଯାଇଥିଲା। SIR ଅଧୀନରେ ପଞ୍ଜାବର ଭୋଟର ଲିଷ୍ଟରୁ ପ୍ରାୟ ୨୦.୬୬ ଲକ୍ଷ ଭୋଟରଙ୍କ ନାଁ ହଟାଯାଇଥିବା ଦାବି କରାଯାଇଛି। ଏହି ତାଲିକାରେ ରାଘବଙ୍କ ନାଁ ମଧ୍ୟ ରହିଥିବା କୁହାଯାଇଛି। ତାଙ୍କ ନାଁ ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ ଓ ଡୁପ୍ଲିକେଟ (ASDD) ଭୋଟରଙ୍କ ତାଲିକାରେ ସାମିଲ ହୋଇଥିବା ରିପୋର୍ଟ ହୋଇଛି। ରାଘବ ଚଢା ଦୀର୍ଘ ସମୟ ଧରି ପଞ୍ଜାବରେ ରହୁନଥିବା ବେଳେ ତାଙ୍କ ସ୍ଥାୟୀ ଠିକଣା ଦିଲ୍ଲୀରେ ଥିବା ଦାବି କରାଯାଇଛି। ଠିକଣା ପରିବର୍ତ୍ତନ ହେଲେ ନୂଆ ଠିକଣାରେ ଭୋଟର ଭାବେ ପଞ୍ଜିକରଣ କରାଇବା ଭୋଟରଙ୍କ ଦାୟିତ୍ୱ ବୋଲି ନିୟମ ରହିଛି।
ରାଘବଙ୍କ କହିବା କଥା, ଏହା କୌଣସି ସାଧାରଣ ଭୁଲ୍ ନୁହେଁ, ବରଂ ରାଜନୈତିକ ପ୍ରତିଶୋଧ । ଆମ୍ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗଦେବା ପରଠାରୁ ତାଙ୍କୁ ଟାର୍ଗେଟ୍ କରାଯାଉଥିବା ଚଢ଼ା ଅଭିଯୋଗ କରିଛନ୍ତି । ରାଘବ ପ୍ରଶ୍ନ କରିଛନ୍ତି, ମୋ ଭୋଟର ଆଇଡି ମୋହାଲିରେ ପଞ୍ଜୀକୃତ ଥିବାବେଳେ ମୋତେ ‘Permanently Shifted’ କେମିତି ଦର୍ଶାଗଲା? ଅଗଷ୍ଟ ୧୩ରେ ପ୍ରକାଶିତ ASDD ତାଲିକାରେ ରାଘବଙ୍କ ନାଁ ରହିଛି । ଏହି ତାଲିକାରେ Absent, Shifted, Deceased ଏବଂ Duplicate ଭୋଟରଙ୍କ ନାଁ ସାମିଲ କରାଯାଇଛି । ତଥ୍ୟ ଅନୁସାରେ ପଞ୍ଜାବର ପ୍ରାୟ ୨୦ ଲକ୍ଷ ୬୬ ହଜାର ଭୋଟରଙ୍କ ନାଁ ଡ୍ରାଫ୍ଟ ତାଲିକାରୁ ବାଦ୍ ପଡ଼ିଛି । ତେବେ ଡ୍ରାଫ୍ଟ ଲିଷ୍ଟ ବିରୋଧରେ ୧୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଆପତ୍ତି ଦାଖଲ କରିବା ଏବଂ ପୁଣିଥରେ ନାଁ ଯୋଡ଼ିବା ପାଇଁ ଆବେଦନ କରିବାର ସୁଯୋଗ ରହିଛି।
