Before Header

‘ୟାଶ’ ଉଜାଡି ଦେଇଛି ୬୧୦ କୋଟିର ସମ୍ପତି

0 34

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାମୁଦ୍ରିକ ବାତ୍ୟା ‘ୟାଶ’ର ପ୍ରଭାବରେ ରାଜ୍ୟର ୧୧ହଜାର ଗାଁର ୬୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସବୁଠୁ ବଡ଼କଥା ହେଉଛି ‘ୟାଶ’ ଉଜାଡି ଦେଇଛି ୬୧୦ କୋଟିର ସମ୍ପତି। ବାତ୍ୟାରେ ୫୨୦କୋଟି ଟଙ୍କା ସରକାରୀ ଭିତ୍ତିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି କ୍ଷତି ହୋଇଥିବାବେଳେ ରିଲିଫ ପାଇଁ ୬୬କୋଟି ଟଙ୍କା ଆବଶ୍ୟକ ରହିଛି ବୋଲି ଆଜି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାତ୍ୟା ‘ୟାଶ’ର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମର ସମୀକ୍ଷା କରି ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବରେ ଡକ୍ୟୁମେଣ୍ଟସନ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ପ୍ରଶାସନ ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ କାମ କରିଥିଲା ଓ ଏଥିରେ ସଫଳ ହୋଇଛି।

 

ବାତ୍ୟା ‘ୟାଶ’ରେ ମୋଟ ୧୫୦ଟି ଗାଁରେ ଜଳମଗ୍ନ ହୋଇଥିଲା, ସାମୁଦ୍ରିକ ଲୁଣପାଣି ଯୋଗୁ ଫସଲ ମଧ୍ୟ କ୍ଷତି ହୋଇଛି। ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କୁ ବିଜୁଳି ଓ ପିଇବା ପାଣି ଯୋଗାଇବା ନିମନ୍ତେ ଏକ ହଜାର ଡିଜି ସେଟ୍‌, ଟ୍ୟାଙ୍କର ଓ ପିଭିସି ଟ୍ୟାଙ୍କ ଆଦି ନିୟୋଜିତ କରାଯାଇଥିଲା। ବାତ୍ୟାରେ ଶକ୍ତି ବିଭାଗର ୩୦ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିଲେ ଓ ଏବେସୁଦ୍ଧା ୯୯.୮ % ଉପଭୋକ୍ତାଙ୍କୁ ବିଜୁଳି ପୁନଃସଂଯୋଗ କରାଯାଇଛି। ୨୩୦ଟି ଟ୍ରାନ୍ସଫର୍ମର ବଦଳାଯାଇ ନୂଆ ଟ୍ରାନ୍ସଫର୍ମର ଲଗାଯିବ। ଶକ୍ତି ବିଭାଗର କ୍ଷୟକ୍ଷତିର ପରିମାଣ ୧୫୦କୋଟି ଟଙ୍କା ବୋଲି ଦର୍ଶାଯାଇଥିଲା। ବାତ୍ୟା ସମୟରେ ଓ ପରେ ପାନୀୟ ଜଳ ଯୋଗାଣ ଅବିରତ ଭାବେ ଜାରି ରହିଥିଲା। ବାତ୍ୟା ପ୍ରଭାବିତ ଅଂଚଳରେ ୧୦ଟି ମୋବାଇଲ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ମୁତୟନ କରାଯାଇଥିଲା। ବିଭିନ୍ନ ପ୍ରାଥମିକ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ପଞ୍ଚାୟତର ରୋଡ୍ କ୍ଷୟକ୍ଷତି ପରିମାଣ ୨୭୭କୋଟି ଟଙ୍କା, ମୋଟ ୧୦୮କୋଟି ଟଙ୍କାର ନଦୀବନ୍ଧ ଓ ରାସ୍ତା କ୍ଷୟକ୍ଷତି ହୋଇଥିବାବେଳେ ୮ଟି ସହରାଂଚଳର ୫୮ଟି ସଡ଼କ ସହିତ ରାସ୍ତାର ଆଲୋକୀକରଣ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ସେହିପରି ଗୋଟିଏ ସେତୁ ବଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ପୂର୍ତ୍ତ ବିଭାଗର ୭୫କୋଟି ଟଙ୍କାର କ୍ଷତି ଓ ଗ୍ରାମ୍ୟ ଉନ୍ନୟନର ୬୦କୋଟି ଟଙ୍କା କ୍ଷତି ହୋଇଛି। ସଡ଼କଗୁଡ଼ିକ ଗଛକାଟି ତୁରନ୍ତ ଅବରୋଧମୁକ୍ତ କରାଯାଇଥିଲାବେଳେ ୨୪୬ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମୀକ୍ଷା ପରେ କହିଥିଲେ। ଏହି ବୈଠକରେ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ସମେତ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ।

Leave A Reply

Your email address will not be published.