ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମଙ୍ଗଳବାର ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ବୁଧବାର ବାଲେଶ୍ୱର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ ।
ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ । ୬ ଓ ୭ ତାରିଖରେ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୮ ଓ ୯ ତାରିଖରେ କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେପଟେ ମହାନଦୀରେ ପାଣି ଖସୁଛି । ନରାଜଠାରେ ପାଣି ବିପଦ ସଙ୍କେତ ତଳେ ରହିଛି । ଖଇରମାଳ, ବରମୂଳ ଓ ମୁଣ୍ଡଳିରେ ପାଣି କମିଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୯.୬୨ ଫୁଟକୁ ଖସିଛି । ପାଣି କମୁଥିବାରୁ ହୀରାକୁଦର ଆଉ ଗେଟ୍ ବନ୍ଦ କରାଯାଇଛି । ୧୭ଟି ଗେଟ୍ ଦେଇ ୨ ଲକ୍ଷ ୫୬ହଜାର ଘନଫୁଟ ପାଣି ନିଷ୍କାସିତ ହେଉଥିଲା ।
