Before Header

ଲାଇଟ ସାଙ୍ଗକୁ କଳା ରଙ୍ଗର ମୂର୍ତ୍ତି, ଝଲସିବେ ରାମଲାଲା

0 821

ଉତ୍ତର ପ୍ରଦେଶ (ବଡ଼ ଖବର ବ୍ୟୁରୋ): ସମୟ ଯେତେ କମୁଛି ହୃଦ ସ୍ପନ୍ଦନ ସେତେ ବଢୁଛି । କାହିଁକି ନା ରାମଲାଲା ଆସିବାର ସମୟ ପାଖେଇ ଆସୁଛି । ୧୬ ତାରିଖରୁ ଉତ୍ସବ ଆରମ୍ଭ ହେବାକୁ ଥିବାବେଳେ ଏବେ ଠୁ କିନ୍ତୁ ଲାଇଟରେ ଝଲମଲ ହେଲାଣି ଅଯୋଧ୍ୟା । ତେବେ ପ୍ରତିଷ୍ଠା ଉତ୍ସବ ଯେତେ ପାଖେଇ ଆସୁଛି ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ରାମ ଲଲାଙ୍କ ମୂର୍ତ୍ତିକୁ ନେଇ ଆସିଛି ଏକ ତଥ୍ୟ। ରାମ ଲଲାଙ୍କର ୫ ବର୍ଷର ଶିଶୁ ସୁଲଭ ମୂର୍ତ୍ତି ଏଠାରେ ପୂଜା ପାଇବେ ବୋଲି ପୂର୍ବରୁ ଜଣାପଡ଼ି ସାରିଥିବା ବେଳେ ଏବେ କଳା ରଙ୍ଗର ପଥରରେ ସେହି ମୂର୍ତ୍ତିକୁ ତିଆରି କରାଯାଇଛି। ଏହି ସୂଚନା ଦେଇଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ।

ସେ ତାଙ୍କ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଭଗବାନ ଶ୍ରୀ ରାମ ଲଲାଙ୍କର ଯେଉଁ ମୂର୍ତ୍ତି ତିଆରି ହୋଇଛି, ତାହା ଏକ ପାଞ୍ଚ ବର୍ଷର ବାଳକ ସ୍ୱରୂପ। ଶିଶୁ ସୁଲଭ ସରଳତା, ରାଜପୁତ୍ର ଓ ଦୈବତ୍ୱର ସମାହାରରେ ମୂର୍ତ୍ତିଟି ତିଆରି ହୋଇଛି। ମୂର୍ତ୍ତିର ଉଚ୍ଚତା ୫୧ ଇଞ୍ଚ ରହିଛି। କଳା ପଥରରେ ଏହାକୁ ତିଆରି କରାଯାଇଛି। ମୂର୍ତ୍ତିଟି ବହୁତ ଆକର୍ଷଣୀୟ ହୋଇଛି। ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ ଧାର୍ଯ୍ୟ ହୋଇଛି। ଏ ସଂପର୍କିତ ସୂଚନା ଗତକାଲି ଆସିଥିଲା। ଜାନୁଆରୀ ୨୨ରେ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ମଧ୍ୟରେ ହେବ ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା। ସେହିଦିନ ସବୁଠୁ ଶୁଭ, ସବୁଠୁ ଦିବ୍ୟ ଓ ସବୁଠୁ ମାହେନ୍ଦ୍ର ଏହି ୮୪ ସେକେଣ୍ଡରେ ହିଁ ହେବ ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା।

ସେଦିନ ୧୧ଟା ୫୧ରୁ ୧୨ଟା ୩୩ ଯାଏ ଥିବା ଅଭିଜିତ ମୁହୂର୍ତ୍ତ ରହିଛି। ହେଲେ ସବୁ ଦୃଷ୍ଟିରୁ ୧୦ଟି ଶୁଭଲକ୍ଷଣ ଯୁକ୍ତ ହୋଇଥିବାରୁ ଏହି ୮୪ ସେକେଣ୍ଡ ସମୟକୁ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବାଛିଛନ୍ତି ବାରାଣସୀର ବୈଦିକ ଆଚାର୍ଯ୍ୟ । ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ହେବ। କିନ୍ତୁ ତା’ ୬ ଦିନ ପୂର୍ବରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ। ୧୬ ତାରିଖରେ ସରଜୁ ନଦୀ କୂଳରେ ଅଭିଷେକ ଆରମ୍ଭ ହେବ, ୧୭ ତାରିଖରେ ମଙ୍ଗଳ କଳସ ଯାତ୍ରା, ୧୮ରେ ଗଣେଶ ଅମ୍ବିକା ପୂଜା ହୋଇ ୧୯ରେ ଗୁରୁତ୍ୱପୂର୍ଣ୍ଣ ଅଗ୍ନି ସ୍ଥାପନା କରାଯିବ। ୨୦ ତାରିଖରେ ଗର୍ଭ ଗୃହକୁ ସରଜୁ ନଦୀ ପାଣିରେ ଶୁଦ୍ଧପୁତ କରାଯାଇ ହେବ ବାସ୍ତୁ ଶାନ୍ତି। ୨୧ ତାରିଖରେ ରାମଲାଲାଙ୍କ ଦିବ୍ୟଅଙ୍ଗକୁ ୧୨୫ ଗରା ପାଣିରେ ସ୍ନାନ କରାଯିବ। ଆଉ ୨୨ରେ ନିଜ ଆସ୍ଥାନରେ ବିରାଜିବେ ରାମ ଲଲା।

Leave A Reply

Your email address will not be published.