Ratan Tata

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଉ ନାହାନ୍ତି ଶିଳ୍ପଜଗତର ରତ୍ନ ରତନ ଟାଟା। ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ସେବା ନିବୃତ୍ତ ଅଧ୍ୟକ୍ଷ ରତନ ଟାଟାଙ୍କର ବୁଧବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ତାଙ୍କର ବିୟୋଗ ଭାରତୀୟ ଶିଳ୍ପ ଜଗତରେ ସୃଷ୍ଟି କରିଛି ବିରାଟ ଶୂନ୍ୟସ୍ଥାନ । ତାଙ୍କ ଭଳି ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ । ଟାଟାକୁ ବିରାଟ ବ୍ରାଣ୍ଡରେ ପରିଣତ କରିଥିଲେ ସେ । ପୂର୍ବ ପିଢ଼ି ଛାଡ଼ିଯାଇଥିବା ଲିଗାସିକୁ ଜାବୁଡ଼ି ଧରି ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଚାଲିଥିଲେ । ଭାରତର ଘରେ ଘରେ ଟାଟାକୁ ପରିଚିତ କରାଇଥିଲେ । ବିଦେଶରେ ବି ଟାଟାକୁ କୋଣାନୁକୋଣରେ ପହଞ୍ଚାଇ ଭାରତ ପାଇଁ ଅର୍ଜିଥିଲେ ସୁନାମ । ଆଜି ଘରେ ଘରେ ଟାଟା ଏକ ପରିଚିତ ନାମ । ସକାଳର ଚା କପ୍ ହେଉ ଅବା ବିମାନ ଯାତ୍ରା, ଭାତ ଥାଳିର ଲୁଣ ହେଉ ଅବା ସୁଉଚ୍ଚ ଅଟ୍ଟାଳିକା ଓ ସୁଦୀର୍ଘ ସଡ଼କ ନିର୍ମାଣ, ସବୁଥିରେ ଟାଟା ନାମ ସ୍ୱତଃ ଆସିଯାଇଥାଏ । ଏ ସବୁ ପାଇଁ ରତନ ଟାଟାଙ୍କର ଯେ ହାତ ରହିଛି, ତାହା କେହି ଟାଳିପାରିବେ ନାହିଁ । ଦୁଇ ଦିନ ତଳେ ରତନ ଟାଟା ଅସୁସ୍ଥ ହୋଇପଡ଼ିଥିଲେ । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ମୁମ୍ବାଇ ବ୍ରିଚକ୍ୟାଣ୍ଡି ହସପିଟାଲକୁ ଆସିଥିଲେ । ପରେ ସେ ନିଜେ ପ୍ରତିକ୍ରିୟା ରଖି କହିଥିଲେ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ହସ୍ପିଟାଲ ଆସିଥିଲେ । କିନ୍ତୁ ପରେ ଅଚାନକ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ବୁଧବାର ସନ୍ଧ୍ୟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ରାଜନୈତିକ ମହଲ, ଶିଳ୍ପ ଜଗତ, ବଲିଉଡ ସମେତ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କର ପରଲୋକରେ ଗଭୀର ଶୋକ ପ୍ରକାଶ କରି ଦେଶପ୍ରତି ତାଙ୍କର ଅବଦାନକୁ ସ୍ମରଣ କରିଛନ୍ତି ।

ଟାଟାଙ୍କ ଜନ୍ମ ୧୯୩୭ ଡିସେମ୍ବର ୨୮ରେ ହୋଇଥିଲା । ସେ ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଦ୍ଜୀ ଟାଟାଙ୍କର ଅଣନାତି । ସେ ଟାଟା ଗ୍ରୁପ ଚାରିଟେବଲ ଟ୍ରଷ୍ଟର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ୧୯୯୦ରୁ ୨୦୧୨ ଯାଏ ଟାଟା ଗ୍ରୁପ୍ର ଅଧ୍ୟକ୍ଷ ଏବଂ ୨୦୧୬ ଅକ୍ଟୋବରରୁ ୨୦୧୭ ଫେବ୍ରୁଆରୀ ଯାଏ ଟାଟା ଗ୍ରୁପ୍ର ଅନ୍ତରୀଣ ଅଧ୍ୟକ୍ଷ ଥିଲେ ରତନ ଟାଟା । ଟାଟା ଗ୍ରୁପକୁ ଏକ ନୂଆ ଶିଖରକୁ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରଥିଲେ । ସେ ଏକ ଘରୋଇ କମ୍ପାନିକୁ ବିଶ୍ୱ ବଜାରକୁ ନେଇପାରିଥିଲେ । ଟେଟ୍ଲୀ, କୋରସ୍, ଜାଗୁଆର ଲ୍ୟାଣ୍ଡରୋଭର ବିଶ୍ୱ ସ୍ତରୀୟ କମ୍ପାନିଗୁଡ଼ିକର ଅଧିଗ୍ରହଣରେ ସେ ପ୍ରମୁଖ ସୂତ୍ରଧର ସାଜିଥିଲେ । ସେ ବଜାରକୁ ଆଣିଥିଲେ ବିଶ୍ୱର ସବୁଠାରୁ ଶସ୍ତା କାର୍ ନାନୋ । ଯାହାକି ଚହଳ ପକାଇଥିଲା । ଭାରତର ବିଶିଷ୍ଟ ଶିଳ୍ପପତି ଭାବେ ନାଁ କମେଇଥିବା ରତନ ଟାଟା ଜଣେ ଦୟାଶୀଳ ବ୍ୟକ୍ତି ଥିଲେ । ଅର୍ଥ ଉପାର୍ଜନ କରିବା ତାଙ୍କର ନିଶା ନ ଥିଲା । ବରଂ ଶିଳ୍ପ ଏବଂ ବ୍ୟବସାୟ ଦ୍ୱାରା ସମାଜର ହିତ ଥିଲା ତାଙ୍କର ପ୍ରାଥମିକତା । ସେଇଥିପାଇଁ ତ ଟାଟା ସଫଳତମ ଶିଳ୍ପପତି ହୋଇ ସୁଦ୍ଧା ଅରବପତି ହୋଇପାରି ନ ଥିଲେ । ୧୦୦ରୁ ଊର୍ଦ୍ଧ୍ୱ ଦେଶରେ ୩୦ରୁ ଅଧିକ କମ୍ପାନିକୁ ନିୟନ୍ତ୍ରଣ କରି ସେ ସାଜିଥିଲେ ଶିଳ୍ପ ମ୍ୟାଗ୍ନେଟ୍ । ତଥାପି ଅରବପତି ଆଖ୍ୟା ପାଇପାରି ନ ଥିଲେ । ଏଥିପାଇଁ ସେ କେବେ ଅଭାବବୋଧ ଅନୁଭବ କରିନାହାନ୍ତି । ସେ ଥିଲେ ଜଣେ ଦରଦୀ ମଣିଷ । ସମାଜର ମଙ୍ଗଳ ପାଇଁ ସାଜିଥିଲେ ଦାତା । ନିଜେ ଦାତବ୍ୟ ଅନୁଷ୍ଠାନ ଗଢ଼ିବା ସହ ଅନେକ ଅନୁଷ୍ଠାନକୁ ଅର୍ଥ ଅଜାଡ଼ି ବୃହତ୍ତର ସ୍ୱାର୍ଥକୁ ଭାବିଥିଲେ ସର୍ବସ୍ୱ ।

କରୋନା ଭଳି ମହାମାରୀ ବେଳେ ଟାଟା ଗ୍ରୁପ୍ ୫୦୦ କୋଟି ଟଙ୍କାର ସହାୟତା ଦେଇ ପୁଣି ସାଜିଥିଲା ତ୍ରାଣକର୍ତ୍ତା। କର୍ଣ୍ଣେଲ ୟୁନିଭର୍ସିଟିରେ ଭାରତୀୟ ଛାତ୍ରଛାତ୍ରୀମାନେ କିଭଳି ସହଜରେ ପାଠ ପଢ଼ିପାରିବେ, ସେଥିପାଇଁ ୨୮ ନିୟୁତ ଡଲାରର ସ୍କଲାରସିପ୍ ଫଣ୍ଡ୍ ଗଠନ କରିଥିଲା ଟାଟା ଗ୍ରୁପ୍ । ୨୦୨୧ ଜାନୁଆରୀରେ ରତନ ଟାଟାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଏହି ସମୟରେ ସେ ପୁନେରେ ଜଣେ ପୂର୍ବତନ ଟାଟା କର୍ମଚାରୀଙ୍କୁ ଭେଟିବାକୁ ଯାଇଥିଲେ । ତାଙ୍କର ଏଭଳି ମହନୀୟ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ । ଜଣେ ବ୍ୟବସାୟୀ ହୋଇ ସୁଦ୍ଧା ସେ ମାନବିକତାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ଏଥିରୁ ପ୍ରମାଣିତ ହୋଇଥିଲା । ଟାଟା ଗ୍ରୁପ୍ ଆଜି ବି ନିଜ ଲିଗାସିକୁ ଧରି ରଖିଛି । ଟାଟା ଗ୍ରୁପ୍ ହାସଲ କରୁଥିବା ଲାଭର ୬୫%ରୁ ଅଧିକ ଦାତବ୍ୟ ଉଦ୍ଦେଶ୍ୟରେ ଚାଲିଯାଉଛି । ସ୍ୱାସ୍ଥ୍ୟକ୍ଷେତ୍ର, ଶିକ୍ଷା, କର୍ମଚାରୀଙ୍କ କଲ୍ୟାଣ ଆଦି ପାଇଁ ଏହି ଅର୍ଥ ଖର୍ଚ୍ଚ ହେଉଛି । ସମସ୍ତଙ୍କ ବିଶ୍ୱାସ ଆଜି ବି ଟାଟା ଉପରେ କାଏମ ରହିଛି । ଆଜି ରତନ ଟାଟା ନାହାନ୍ତି ସତ। କିନ୍ତୁ ତାଙ୍କର ପ୍ରତିଟି କାର୍ଯ୍ୟ ଓ ମୁଖନିସୃତ ବାଣୀ ସବୁଦିନ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜୁଥିବ । ଟାଟାଙ୍କ ନେତୃତ୍ୱରେ ଟାଟାସନ୍ସର ବାଣିଜ୍ୟିକ ସାମ୍ରାଜ୍ୟ ୧୦୦ ବିଲିୟନ ଡଲାରକୁ ବୃଦ୍ଧି ହୋଇଥିଲା ।

୨୦୧୨ରେ ସେ କାର୍ଯ୍ୟରୁ ଅବସର ନେବା ପରେ ସାଇରସ ମିସ୍ତ୍ରୀ ଟାଟର ଗ୍ରୁପର ଅଧ୍ୟକ୍ଷ ଭାର ସମ୍ଭାଳିଥିଲେ । ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ ସହ ଯୋଡ଼ିବାରେ ତାଙ୍କର ଭୂମିକା ରହିଥିଲା । ରତନ ଟାଟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନେକ ନେତା ଶୋକ ପ୍ରକାଶ କରିଛନ୍ତି । ଟାଟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ପୋଷ୍ଟରେ ଲେଖିଛନ୍ତି, ରତନ ଟାଟା ଦୂରଦର୍ଶୀ ବାଣିଜ୍ୟ ଲିଡର, ଦୟାବାନ ଏବଂ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ । ଦେଶର ସବୁଠାରୁ ପୁରାତନ ଏବଂ ପ୍ରତିଷ୍ଠିତ ବାଣିଜ୍ୟିକ ଗ୍ରୁପକୁ ସେ ସ୍ଥିର ନେତୃତ୍ୱ ପ୍ରଦାନ କରିଥିଲେ । ତାଙ୍କର ଯୋଗଦାନ କେବଳ ବୋର୍ଡ ରୁମରେ ସୀମିତ ନ ଥିଲା । ବିନମ୍ରତା ଏବଂ ମାନବବାଦୀ ପଦକ୍ଷେପ ଯୋଗୁ ସମାଜକୁ ଉନ୍ନତ ବନାଇବା ଲାଗି ସେ ପ୍ରତିବଦ୍ଧତା ଯୋଗୁ ସମସ୍ତଙ୍କ ପ୍ରିୟ ହୋଇ ପାରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ବ୍ୟକ୍ତ କରି କହିଛନ୍ତି, ରତନ ଟାଟାଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖିତ । ଭାରତୀୟ ଶିଳ୍ପକୁ ନୂଆ ଦିଗନ୍ତ ଓ ନେତୃତ୍ୱ ଦେବାରେ ଅଗ୍ରଦୂତ ଥିଲେ । ଦେଶର ଅର୍ଥନୀତି, ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରକୁ ତାଙ୍କର ଅବଦାନ ଅତୁଳନୀୟ । ଶ୍ରୀ ଟାଟାଙ୍କ ଶୋକ ସନ୍ତପ୍ତ ପରିବାର, ବନ୍ଧୁ ଏବଂ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ।

ଟାଟାଙ୍କ ବିୟୋଗରେ ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ କହିଛନ୍ତି, ଟାଟା ଗ୍ର୍ରୁପ ଏବଂ ଦେଶ ଗଠନରେ ଶ୍ରୀ ଟାଟାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତାଙ୍କର ନିଧନ ଅପୂରଣୀୟ କ୍ଷତି । ସେ ଜଣେ ଅସାଧାରଣ ଲିଡର । ସେ ଟାଟା ଗ୍ରୁପ ପାଇଁ କେବଳ ଅଧ୍ୟକ୍ଷ ନ ଥିଲେ ବ୍ୟକ୍ତିଗତ ଭାବେ ମୋ ପାଇଁ ଜଣେ ମେଣ୍ଟର, ମାର୍ଗଦର୍ଶକ ଏବଂ ଭଲ ବନ୍ଧୁ ଥିଲେ । ସେ ଅଭିନବତା, ଉତ୍କର୍ଷ ସହ ଟାଟା ଗ୍ରୁପକୁ ବିଶ୍ୱସ୍ତରୀୟ କରାଇ ପାରିଥିଲେ । ସମାଜର ବିକାଶ ଏବଂ ମାନବ କଲ୍ୟାଣ ଦିଗରେ ତାଙ୍କର ନିରନ୍ତର ଉଦ୍ୟମ ରହିଥିଲା । ମାନବବାଦୀ ପଦକ୍ଷେପ ଦ୍ୱାରା ସେ ନିୟୁତାଧିକ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ ଭଳି କ୍ଷେତ୍ରରେ ଟାଟା ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଆଗାମୀ ପିଢ଼ିମାନେ ମଧ୍ୟ ଉପକୃତ ହେବେ । ଶ୍ରୀ ଟାଟା ଆମକୁ ଆଗାମୀ ଦିନ ଲାଗି ସର୍ବଦା ଉତ୍ସାହିତ କରିବେ । ଟାଟା ପରିବାର ପକ୍ଷରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ।

Leave a Reply

Your email address will not be published. Required fields are marked *