ମୁମ୍ବାଇ: ‘ରିପବ୍ଲିକ ଭାରତ’ ବା ‘ରିପବ୍ଲିକ ଟିଭି’ ସମ୍ପର୍କରେ ଆପଣ ଶୁଣିଥିବେ। ଏହା ହେଉଛି ଏକ ଜାତୀୟ ସ୍ତରର ଟିଭି ଚ୍ୟାନେଲ। ଆଉ ଏହା ବି ଜାଣିଥିବେ ଯେ ନିକଟରେ ସବୁଠୁ ଅଧିକ ଟିଆରପି ସହ ରିପବ୍ଲିକ ଟିଭି ଦେଶର ନମ୍ବର ୱାନ ନ୍ୟୁଜ୍ ଚାନେଲ ଭାବେ ପରିଗଣିତ ହୋଇଛି। ତେବେ ଆପଣ ଏହା ଜାଣି ଆଶ୍ଚର୍ୟ୍ୟ ହେବେ ଯେ ରିପବ୍ଲିକ୍ ଟିଭି ନକଲି ଟିଆରପି ମାଧ୍ୟମରେ ନମ୍ବର ୱାନ ହୋଇଛି । ଏବେ ଧରାପଡ଼ିଛି ରିପବ୍ଲିକ୍ ଟିଭିର ଗୁମର କଥା। ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଆଜି ସନ୍ଧ୍ୟାରେ ଏକ ପ୍ରେସ୍ କନଫରେନ୍ସ କରି ସମ୍ପୃକ୍ତ ଚ୍ୟାନେଲର ଗୁମର ଖୋଲିଛନ୍ତି। ଏଥିସହ ମହାରାଷ୍ଟ୍ରର ଆଉ ଦୁଇ ସ୍ଥାନୀୟ ଚ୍ୟାନେଲର ମଧ୍ୟ ଗୁମର ଖୋଲିଛନ୍ତି ସିଂ। ଏହି ତିନି ଚ୍ୟାନେଲ ନିଜ ନିଜର ଟିଆରପି ବଢ଼ାଇବା ପାଇଁ ବେଆଇନ ପନ୍ଥା ଅବଲମ୍ବନ କରୁଥିଲେ, ଆଉ ଏବେ ଧରାପଡ଼ିବା ପରେ ଦୁଇ ଲୋକାଲ ଚ୍ୟାନେଲ ମାଲିକଙ୍କୁ ଗିରଫ କରାଯାଇଛି। ରିପବ୍ଲିକ ଟିଭି ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଟିଆରପି କ’ଣ
ଟିଆରପିର ଫୁଲ୍ ଫର୍ମ ହେଉଛି ଟେଲିଭିଜନ ରେଟିଂ ପଏଣ୍ଟ। ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ (BARC) ନାମକ ସଂସ୍ଥା ବିଭିନ୍ନ ଦୃଷ୍ଟିକୋଣରୁ ତର୍ଜମା କରି କେଉଁ ଟିଭି ଚ୍ୟାନେଲକୁ କେତେ ଲୋକ ଦେଖୁଛନ୍ତି ତାହା ନିର୍ଣ୍ଣୟ କରିବା ସହ ଟିଆରପି ପ୍ରଦାନ କରିଥାଏ। ଏହି ଟିଆରପି ଆଧାରରେ କମ୍ପାନୀଗୁଡ଼ିକ ଟିଭି ଚ୍ୟାନେଲଗୁଡ଼ିକୁ ବିଜ୍ଞାପନ ପ୍ରଦାନ କରିଥାନ୍ତି। ଏପରିକି ବିଜ୍ଞାପନର ଦର ମଧ୍ୟ ଟିଆରପି ଆଧାରରେ ହୋଇଥାଏ।
କେମିତି ବଢ଼ାଉଥିଲେ ଟିଆରପି
ମୁମ୍ବାଇ ପୋଲିସ କମିଶନର ସିଂ ସଫା ସଫା କହିଛନ୍ତି ଯେ ଏହି ଚ୍ୟାନେଲଗୁଡ଼ିକ ଲୋକଙ୍କୁ ଟଙ୍କା ଦେଇ ଟିଆରପି ବଢ଼ାଉଥିଲେ। ଆମେ ଏଠି ଆପଣଙ୍କୁ କହି ରୁଖୁଛୁ ଯେ ରିପବ୍ଲିକ ଟିଭିର ଏକ ଇଂଲିଶ ନ୍ୟୁଜ୍ ଚ୍ୟାନେଲ ମଧ୍ୟ ରହିଛି। କମିଶନରଙ୍କ କହିବା ଅନୁଯାୟୀ ଟିଆରପିକୁ ନେଇ ସନ୍ଦେହ ଆସିବା ପରେ ବିଭିନ୍ନ ଚ୍ୟାନେଲ ଉପରେ ନଜର ରଖାଯାଇଥିଲା। ଦେଖିବାକୁ ମିଳିଲା ଯେ ଯେଉଁ ଲୋକଙ୍କ ଘରେ କେବେ ବି ନ୍ୟୁଜ୍ ଚ୍ୟାନେଲ ଦେଖାଯାଏ ନାହିଁ, କେବଳ ଏଣ୍ଟରଟେନମେଣ୍ଟ ଚ୍ୟାନେଲ ଦେଖାଯାଏ, କିଛିଦିନ ହେଲା ସେହି ଘରଗୁଡ଼ିକରେ ରିପବ୍ଲିକ ଟିଭି ଦେଖାଯାଉଥିଲା। ଏପରିକି ପାଠସାଠ ପଢ଼ି ନ ଥିବା ଅଧିକାଂଶ ଲୋକଙ୍କ ଘରେ ରିପବ୍ଲିକ ଟିଭିର ଇଂଲିଶ ଚ୍ୟାନେଲ ଦେଖାଯାଉଥିଲା। ଏପରିକି ତାଲା ପଡ଼ିଥିବା ବହୁତ ଲୋକଙ୍କ ଘରେ ଟିଭି ଚାଲୁଥିଲା ଆଉ ତାହା ମଧ୍ୟ ରିପବ୍ଲିକ ଟିଭିର ହିନ୍ଦୀ ଓ ଇଂଲିଶ ନ୍ୟୁଜ୍ ଚ୍ୟାନେଲ। କିଛି ଲୋକଙ୍କ ଘରେ ତ ୨୪ ଘଣ୍ଟା ରିପବ୍ଲିକ ଚ୍ୟାନେଲ ବାଜୁଥିଲା। ପୋଲିସର ସନ୍ଦେହ ହେବାରୁ ଏ ନେଇ ତଦନ୍ତ ଆରମ୍ଭ କରାଯାଇଥିଲା। ଏଥିରେ ଏକ ରାକେଟ କାମ କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଲୋକଙ୍କୁ ପଚରାଉଚରା ପରେ ଏ ସବୁ କଥା ସ୍ପଷ୍ଟ ହୋଇଥିଲା ବୋଲି କମିଶନର ସିଂ କହିଛନ୍ତି।
ତାଜା ସୂଚନା ଅନୁଯାୟୀ ମୁମ୍ବାଇ ପୋଲିସ ପକ୍ଷରୁ BARCକୁ ଏ ନେଇ ନୋଟିସ କରାଯାଇଛି। ଏହା ସହ ଏହି ଚ୍ୟାନେଲଗୁଡ଼ିକଠାରୁ ଟଙ୍କା ନେଇ ନିର୍ଦ୍ଦିଷ୍ଟ ଚ୍ୟାନେଲ ଦେଖୁଥିବା ଜଣେ ବ୍ୟକ୍ତିଙ୍କ ବୟାନ ମଧ୍ୟ BARCକୁ ପଠାଯାଇଛି। ତଦନ୍ତ ଆଗକୁ ବଢ଼ିଲେ ରିପବ୍ଲିକ ଟିଭିର ସମ୍ପାଦକ ଅନ୍ନବ ଗୋସ୍ୱାମୀଙ୍କୁ ପଚରାଉଚରା କରାଯିବ ଏଥିରେ ସନ୍ଦେହ ନାହିଁ। ତେଣୁ ରିପବ୍ଲିକ ଟିଭି ତଥା ଅନ୍ନବ ଗୋସ୍ୱାମୀଙ୍କ ପାଇଁ ଅଡ଼ୁଆ ବଢ଼ିଲା ବୋଲି କୁହାଯାଇ ପାରେ। ସେପଟେ କମିଶନରଙ୍କ ପ୍ରେସ୍ କନଫରେନ୍ସ ପରେ ରିପବ୍ଲିକ ଟିଭି ପକ୍ଷରୁ ବୟାନ ଜାରି କରାଯାଇଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ରିପବ୍ଲିକ ଟିଭି ଲଗାତର ଡିବେଟ୍ କରିବା ଏବଂ ଏଥିରେ ମହାରାଷ୍ଟ୍ର ସରକାରଙ୍କ ସମ୍ପୃକ୍ତିକୁ ଲୋକଲୋଚନକୁ ଆଣିବାରୁ ପ୍ରତିଶୋଧ ପରାୟଣ ହୋଇ ଚ୍ୟାନେଲ ବିରୋଧରେ ଷଡ଼ଯନ୍ତ୍ର ପୂର୍ବକ ଏପରି ମିଥ୍ୟା ଅଭିଯୋଗ କରାଯାଇଥିବା ବୟାନରେ କୁହାଯାଇଛି। ଚ୍ୟାନେଲ ପକ୍ଷରୁ କମିଶନର ସିଂଙ୍କ ବିରୋଧରେ ମାନହାନି ମକଦମା କରାଯିବ ବୋଲି ମଧ୍ୟ କୁହାଯାଇଛି।

Leave a Reply

Your email address will not be published. Required fields are marked *