ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ ସ୍ନାନଯାତ୍ରା ବା ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ପବିତ୍ର ଦେବସ୍ନାନ ପୁର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ତିନି ଠାକୁର । ପରେ ହାତୀବେଶ ବା ଗଜାନନ ବେଶରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ନୀତିକାନ୍ତି ପରେ ଦିନ ୩ଟା ୩୦ରେ ହାତୀବେଶ ହେବ । ପୁରା ପୁରୀକୁ କାଲି ୬୮ ପ୍ଲାଟୁନ ପୁଲିସ ଜଗିବେ । ଭକ୍ତମାନେ ବ୍ୟାରିକେଡରେ ସିଂହଦ୍ୱାର ଦେଇ ସ୍ନାନବେଦୀରେ ହାତୀବେଶ ଦର୍ଶନ କରିପାରିବେ । ପରେ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଏଥିପାଇଁ ଟ୍ରାଫିକ କଟଣା ବି ଜାରି ହୋଇଛି ।

ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଠାକୁରଙ୍କ ପବିତ୍ର ଜନ୍ମ ଦିବସ ଭାବେ ଇନ୍ଦ୍ର ନୀଳମଣି ପୁରାଣରେ ମଧ୍ୟ ବର୍ଣ୍ଣିତ ହୋଇଛି । ବାମଦେବ ସଂହିତାରେ ରହିଛି ଏହି ଦିବସରେ ଦାରୁବିଗ୍ରହଙ୍କ ରୂପରେ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ହୋଇଥିଲେ । ଏଣୁ ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବତ୍ ନିର୍ଦ୍ଦେଶକ୍ରମେ ଏହି ଦିନରେ ଚନ୍ଦନ ମିଶ୍ରିତ ସୁନାକୂଅର ଜଳରେ ଠାକୁରଙ୍କ ସ୍ନାନ କରାଇଛନ୍ତି । ନୀଳାଦ୍ରି ମହୋଦୟରେ ଏଭଳି ବିବରଣୀ ରହିଛି । ପରମ୍ପରା ଅନୁଯାୟୀ ସ୍ନାନ ମଣ୍ଡପରେ ବିରାଜିତ ଶ୍ରୀଜୀଉମାନଙ୍କର ସ୍ନାନ ନୀତି ପରେ ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠରୁ ଆସିଥିବା ଗଜାନନ ବେଶ ଉପକରଣ ଯଥାକ୍ରମେ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା, ସୁଦର୍ଶନଙ୍କୁ ଲାଗି କରାଯାଏ । ଗଜାନନ ବେଶ ସମ୍ପର୍କରେ ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଉଲ୍ଲେଖ ଅଛି ଯେ, ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ଜଳ ଲାଗି ନୀତି ବଢିବା ପରେ ଲେଙ୍କା ଓ ଘଣ୍ଟ କାହାଳୀ ସହ ଗୋପାଳତୀର୍ଥ ମଠରୁ ବଡ଼ ବାଡ଼ (ବଳଭଦ୍ରଙ୍କ ବାଡ଼) ଓ ଶ୍ରୀସୁଦର୍ଶନଙ୍କର ଗଜାନନ ବେଶ ଉପକରଣମାନ ଆଣିବାକୁ ଯାଆନ୍ତି ।

ଏହା ପରେ ଗଜପତି ମହାରାଜା କିମ୍ବା ତାଙ୍କ ଅନୁପସ୍ଥିତରେ ମୁଦିରଥ ତିନି ବାଡ଼ରେ ରାଜ ନୀତି କରନ୍ତି । ରାଜ ନୀତି ବଢିବା ପରେ ସ୍ନାନ ମଣ୍ଡପରେ ଛେରା ପହଁରା ହୋଇଥାଏ । ତତ୍ପରେ ସୁଆରବଡୁ ସେବକ ପାଣି ପକାନ୍ତି । ପାଣି ପଡ଼ିଲା ପରେ ଜଗମୋହନରେ ଥିବା ବଡ଼ବାଡ଼ର (ବଳଭଦ୍ର) ବେଶ ଉପକରଣ ଓ ରାଘବ ଦାସ ମଠରୁ ଆସିଥିବା ଅନ୍ୟ ଦୁଇ ବାଡ଼ (ଜଗନ୍ନାଥ, ସୁଭଦ୍ରା)ର ବେଶ ଉପକରଣମାନ ସ୍ନାନ ମଣ୍ଡପରେ ରଖାଯାଏ । ଭିତରଚ୍ଛ, ଚଳିଚ୍ଛ, ପୁଷ୍ପାଳକ,ଖୁଣ୍ଟିଆ, ଦଇତାପତିମାନଙ୍କ ସହ ତିନିବାଡ଼ରେ ହାତୀ ବେଶ କରନ୍ତି । ବେଶ ବଢିବା ପରେ ତିନି ବାଡ଼ରେ କର୍ପୂର ଲାଗି ହୋଇଥାଏ ଏବଂ ପରେ ପରେ ସ୍ନାନ ବେଦୀ ଉପରେ ଶୋଧ କରାଯାଏ ଓ ଭୋଗ ପାଇଁ ପ୍ରସ୍ତୁତି ହୋଇଥାଏ । ସୂଚନାଯୋଗ୍ୟ ଯେ ଏହି ଦିନ ମାତ୍ର ଗୋଟିଏ ଭୋଗ ହୋଇଥାଏ । ଭୋଗ ଶେଷ ପରେ ସ୍ନାନ ବେଦୀ ଉପରକୁ ସର୍ବସାଧାରଣଙ୍କୁ ଦର୍ଶନ ନିମିତ୍ତ ଅନୁମତି ଦିଆଯାଏ ।

ଗଜାନନ ବେଶ କିମ୍ବଦନ୍ତୀ
କିମ୍ବଦନ୍ତୀ ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହାତୀ ବେଶ ବା ଗଜାନନ ବେଶ ସମ୍ପର୍କରେ ରହିଥିବା କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତି ଭଟ୍ଟ ନାମକ ଜନୈକ ବ୍ରାହ୍ମଣ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ସେ ପ୍ରଭୁ ଗଣେଶଙ୍କ ବଡ଼ ଭକ୍ତ ଥିଲେ । ସ୍ନାନ ପୂର୍ଣ୍ଣିମୀ ଦିନ ଶ୍ରୀମନ୍ଦିରରୁ ପ୍ରବେଶ କରି ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଗଣପତି ଭଟ୍ଟ ସନ୍ତୋଷ ଲାଭ କଲେ ନାହିଁ ।

ତେଣୁ ନିରାଶ ମନରେ ଶ୍ରୀକ୍ଷେତ୍ରରୁ କିଛି ବାଟ ଯିବା ପରେ ମୁକ୍ତେଶ୍ୱରଠାରେ ଶୂନ୍ୟବାଣୀ ଶୁଣି ପୁନଶ୍ଚ ଶ୍ରୀମନ୍ଦିରକୁ ଫେରିଆସି ଦେଖନ୍ତି ଯେ, ଠାକୁରମାନେ ତାଙ୍କର ଇଷ୍ଟ ଗଣପତି ରୂପ ଧାରଣ କରି ଧବଳ ରୂପରେ ବଳଭଦ୍ର ଓ କଳା ରୂପରେ ଜଗନ୍ନାଥ ଶୋଭା ପାଉଛନ୍ତି । ଗଣପତି ଭଟ୍ଟ ଏହି ଦୃଶ୍ୟ ଦେଖି ଭକ୍ତି ବିଭୋର ହୋଇପଡ଼ିଲେ ଓ ତତ୍‌କ୍ଷଣାତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚରଣାବିନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ପ୍ରାର୍ଥନା କରିଥିଲେ । ଗଣପତି ଭଟ୍ଟଙ୍କ ଗଣପତି ବେଶ ଦର୍ଶନର ସ୍ମାରକୀ ସ୍ୱରୂପ ଏହି ବେଶ ହୋଇ ଆସୁଛି ।ସେହି ଦିନଠାରୁ ଶ୍ରୀ ଗଣପତି ଭଟ୍ଟଙ୍କ ‘ ଗଣପତି ବେଶ’ ସ୍ମାରକୀ ସ୍ୱରୂପ ଏହି ବେଶ ହୋଇଆସୁଛି । ମହାସ୍ନାନ ହେବା ପରେ ଠାକୁରଙ୍କ ପାଖରେ ଭୋଗ ହୋଇଥାଏ । ଏହାପରେ ଦର୍ଶନ ପାଇଁ ସର୍ବସାଧାରଣଙ୍କୁ ଅନୁମତି ଦିଆଯାଏ । ତେବେ ଆଜି ମଧ୍ୟ ଠାକୁରଙ୍କୁ ପାଖରେ ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିବାର ବିଧି ରହିଛି ।

Leave a Reply

Your email address will not be published. Required fields are marked *