Before Header

୧୮ଟି ପ୍ରସ୍ଥାବ ଉପରେ ରାଜ୍ୟ କ୍ୟାବିନେଟର ମୋହର

0 160

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଣିକି ଧାନ ବିକିବା ପାଇଁ ପରିଚୟ ପତ୍ରର ହରଡ଼ଘଣାରେ ପଡ଼ିବେନି ଚାଷୀ । ଏଣୁ ତେଣୁ ପରିଚୟ ପତ୍ର ଆଣିବା ଦରକାର ନାହିଁ । ବାସ ଗୋଟିଏ ଆଧାର ପ୍ରମାଣପତ୍ର ହେଲେ ଧାନ ବିକି ପାରିବେ ଚାଷୀ । ଆଧାର ଥିଲେ ଅନ୍ୟ କିଛି ପରିଚୟ ମାଗିପାରିବେନି ବାବୁମାନେ । ଚାଷୀଙ୍କ ଧାନ ବିକ୍ରି ବେଳେ ପରିଚୟ ପତ୍ର ସମ୍ପର୍କରେ ଏପରି ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ରାଜ୍ୟ ମନ୍ତ୍ରୀ ପରିଷଦ ।

ଗୁରୁବାର ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଚାଷ ଚାଷୀ ସମେତ ୧୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି ଚାଷୀଙ୍କ ଉପରେ । କ୍ୟାବିନେଟ ଆଜି ଖାଦ୍ୟ ଓ ସଂଗ୍ରହଣ ନୀତି-୨୦୨୦-୨୧କୁ ମଞ୍ଜୁରୀ ପ୍ରଦାନ କରିଛି । ଅନୁମୋଦିତ ନୀତି ଅନୁଯାୟୀ ୨୦୨୧ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଧାନ କିଣାଯିବ ବୋଲି ଧାର୍ଯ୍ୟ କରିଛନ୍ତି । ଏବର୍ଷ ୭୧ଲକ୍ଷ ଟନ ଧାନ କିଣିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବବର୍ଷ ଏହାଠାରୁ କମ ଧାନ କିଣାଯାଇଥିଲା । ପୂର୍ବରୁ ଧାନ କିଣା ବେଳେ ଚାଷୀ କେତେ ପରିମାଣର ଧାନ ବିକିପାରିବ ତାହା ଉପରେ ଥିଲା କଟକଣା । ଯାହାକୁ ଏଥର ପ୍ରତ୍ୟାହାର କରାଯାଇଛି । ଚାଷୀ ଚାହିଁଲେ, ତା’ର ସମସ୍ତ ଧାନ ବିକ୍ରି କରିପାରିବ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଛି । ଚାଷୀଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟ ମାତ୍ର ୪୮ଘଣ୍ଟା ମଧ୍ୟରେ ମିଳିବ ।

ରାଜ୍ୟର ବିଜୁଳୀ ଯୋଗାଣ କମ୍ପାନୀ ଗ୍ରୀଡ଼କୋର ଆର୍ଥିକ ବେମାଝ କମାଇବାକୁ କ୍ୟାବିନେଟ ନେଇଛି ନିଷ୍ପତ୍ତି । ଗ୍ରୀଡ଼କୋକୁ ୨୬୦୦ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେବେ ରାଜ୍ୟ ସରକାର । ଏହି ଗ୍ୟାରେଣ୍ଟି ବଳରେ ଗ୍ରୀଡ଼କୋ ବ୍ୟାଙ୍କରୁ ୨ ପ୍ରତିଶତ ସୁଧ ହାରରେ ଋଣ ଉଠାଇ ଆର୍ଥିକ ବୋଝରୁ ମୁକୁଳିବ । ଯାହାଦ୍ୱାରା ଗ୍ରୀଡ଼କୋ ତାର ନିଅଣ୍ଟିଆ ରାଜସ୍ୱ ଭରଣା କରିବ ।

ଅନ୍ୟପଟେ, ଓଡ଼ିଶା ସରକାରୀ ଯାନ୍ତ୍ରିକ ବିଦ୍ୟାଳୟ/ ପଲିଟେକନିକର ଲାବରୋଟୋରୀ ଆସିଷ୍ଟାଣ୍ଟ ନିଯୁକ୍ତି ପ୍ରଣାଳୀ ଓ ଚାକିରି ସର୍ତ୍ତାବଳୀ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସରକାରୀ ଯାନ୍ତ୍ରିକ ବିଦ୍ୟାଳୟ/ ପଲିଟେକନିକର ଲାବରୋଟୋରୀ ସହାୟକ ନିୟମ, ୨୦୨୦ର ପ୍ରଣୟନ ୩୨ଟି ସରକାରୀ ଯାନ୍ତ୍ରିକ ବିଦ୍ୟାଳୟ/ ପଲିଟେକନିକର ୧୦୧ ଜଣ ଲାବରୋଟୋରୀ ଆସିଷ୍ଟାଣ୍ଟ ପ୍ରମୋସନ ପାଇଁ ନୂତନ ନୟମାବଳୀ ପ୍ରଣୟନ କରାଯାଇଛି । ଓଡ଼ିଶା ବେସାମରିକ ସେବା (ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମାବଳୀ, ୧୯୯୨ର ସଂଶୋଧନକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ରେଡ଼ିଓଗ୍ରାଫର ସେବା ସଂଶୋଧନ ନିୟମ ୨୦୨୦ ପ୍ରଚଳିତ ହେବା ପାଇଁ ଯୋଜନା କରାଯାଇଛି ।
ସେହିପରି, ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା ନିୟମାବଳୀ, ୨୦୧୭ର ସଂଶୋଧନକୁ ମଧ୍ୟ ରାଜ୍ୟ କ୍ୟାବିନେଟର ମଞ୍ଜୁର ମିଳିଛି । ୧୯୫୦ ମସିହା ଠାରୁ ୨୦୧୧ ମସିହା ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ୨୧୪ଗୋଟି ବିନିଯୋଗ ଅଧିନିୟମକୁ ନିରସ୍ତ୍ରିତ କରିବା ପାଇଁ ବିଧି ବିଭାଗ ଦେଇଥିବା ପ୍ରସ୍ଥାବକୁ ଅର୍ଥବିଭାଗ ଅନୁମୋଦନ କରିଛନ୍ତି । ଓଡ଼ିଶା ଯୋଜନା ସେବା ନିୟମ ୧୯୯୬ର ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମଧ୍ୟ ମିଳିଛି । ଓଡ଼ିଶା ଯୋଜନା ସେବା ବର୍ଗ ଅନ୍ତର୍ଭୁକ୍ତ ଅଧିକାରମାନଙ୍କୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏବଂ ଅବସର ଗ୍ରହଣ ପୂର୍ବରୁ ପଦୋନ୍ନତି ଦେବା ନିମନ୍ତେ ଓଡ଼ିଶା ଯୋଜନା ସେବାର ଅଧିନିୟମର ସଂଶୋଧନ କରାଯାଇଛି ।

ପୁରୀ ଶ୍ରୀ ମନ୍ଦିର ଚତୁଃପାଶ୍ୱର୍ସ୍ଥ ଐତିହ ସୁରକ୍ଷା କରିଡ଼ର ନିମନ୍ତେ ଅଧିକୃତ କରାଯାଇଥିବା ସମସ୍ତ ସରକାରୀ ଜମି ଓ ଅଧିଗୃହୀତ/କ୍ରୟ କରାଯାଇଥିବା ଜମିକୁ ପ୍ରଭୁ ଶ୍ରୀ ଜଗନ୍ନାଥ ବିଜେ, ପୁରୀ ମାର୍ଫତ- ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ନାମରେ ବିନା ମୂଲ୍ୟରେ ହସ୍ତାନ୍ତର ଏବଂ ରେକର୍ଡ଼ ସଂଶୋଧନ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ରାଜ୍ୟ ସରକାର “ଅବଢା” ସ୍କିମ ମାଧ୍ୟମରେ ପୁରୀ ଠାରେ ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ ସେଣ୍ଟର, ମାର୍କେଟ କମ୍ପେ୍ଲକ୍ସ ଏବଂ ଶ୍ରୀ ସେତୁ ସହିତ ମୂଷା ନଦୀର ସଂପ୍ରସାରଣ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ଏହି ପ୍ରକଳ୍ପ ସଂପୁର୍ଣ୍ଣ ହେବା ପରେ ଏହାର ମୂଲ୍ୟ ଦିଆଯିବ ବୋଲି ସର୍ତ୍ତ ହୋଇଛି ।

କେନ୍ଦୁଝର ଜିଲ୍ଲାର ଯୋଡ଼ା ଟାଉନ ମଧ୍ୟରେ ଯୋଡ଼ା-ବାମବେରି ଜାତୀୟ ରାଜପଥ ଦେଇ ଟ୍ରକ ଦ୍ୱାରା ଖଣିଜ ପଦାର୍ଥର ପରିବହନ ନିମନ୍ତେ ଓ ଯାତାୟତ ଜନିତ ଭିଡ଼କୁ ଦୂର କରିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ବୋର୍ଡ଼ ଯୋଡ଼ା-ବାମବେରି ଜାତୀୟ ରାଜପଥରେ ଯୋଡ଼ା ଟାଉନ ମଧ୍ୟରେ ୩ କିମି ଦୀର୍ଘ ଏକ ଫ୍ଲାଏ ଓଭର ନିର୍ମାଣ କରିବା ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି । ବର୍ତ୍ତମାନ ରାଜ୍ୟ କ୍ୟାବିନେଟ ଜେଭିଙ୍କର ୧୪୪,୧୧,୦.୦୦୦.୦୦ ଟଙ୍କାର ସର୍ବନିମ୍ନ ନିବାଦାକୁ କାର୍ଯ୍ୟାରମ୍ଭ ନିମନ୍ତେ ଅନୁମୋଦନ କରିଛନ୍ତି ।

ଶ୍ରୀ ବିଭୁତି ଭୂଷଣ ପଟ୍ଟନାୟକ, ପୂର୍ବତନ ରେଜିସ୍ଟାର ସମବାୟ ସମିତି ଏବଂ ପ୍ରଫେସର ଡ଼ ସୁଧାଂଶୁ ଶେଖର ରଥ, ପୂର୍ବତନ ଉପକୂଳପତି, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁରଙ୍କୁ ଓଡ଼ିଶା ଲୋକସେବା ଆୟୋଗରେ ସଦସ୍ୟ ପଦବୀରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅଧିସୂଚନା ସଂଖ୍ୟା ୧୯୧୨୧/ଜେନ ତା ୨୧.୦୮.୨୦୨୦ ରିଖ ଦ୍ୱାରା ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରତ୍ୟାଶା ପୂର୍ବକ ନିଯୁକ୍ତି ଦିଆଯାଇଛି ।

ମହାମାରୀ କରୋନା ବର୍ତ୍ତମାନ ସାରା ବିଶ୍ୱକୁ କବଳିତ କରି ରଖିଛି । ତେଣୁ ଏହାସହ ମୁକାବିଲା କରିବା ପାଇଁ ଓଡ଼ିଶା ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛି । ଏଥିପାଇଁ ମନ୍ତ୍ରୀ, ଅର୍ଥ ବିଭାଗ, ଅବକାରୀ ବିଭାଗର ମନ୍ତ୍ରୀମାନଙ୍କୁ ନେଇ ଏକ କ୍ଷମତା ସମ୍ପନ୍ନ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଛି । ଏହି ବୈଠକ ଅଦ୍ୟାବଧି ୧୦ ଥର ବୈଠକ ହୋଇସାରିଛି ।

Leave A Reply

Your email address will not be published.