Before Header

ଛାତ୍ରଛାତ୍ରୀଙ୍କୁ ତୁରନ୍ତ କୋଭିଡ ଟିକା ଦିଆଯାଉ: ଛାତ୍ର କଂଗ୍ରେସ

0 72

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନିର୍ଦ୍ଦେଶକ୍ରମେ ଛାତ୍ର କଂଗ୍ରେସର ମୁଖ୍ୟ ମୁଖପାତ୍ର ବିଶ୍ୱଭୂଷଣ ମହାପାତ୍ର କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ ଭାରତ ସରକାର ଛାତ୍ରଛାତ୍ରୀମାନଙ୍କୁ ଟିକା ଦେବା ପାଇଁ ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କଲେ ନାହିଁ । ଏକ ଭୟାବହ ପରିସ୍ଥିତି ଭିତରେ କରୋନା ମହାମାରୀ ଆତଙ୍କ ମଚାଇଥିବା ବେଳେ ସରକାର କିପରି ଛାତ୍ରଛାତ୍ରୀଙ୍କୁ ଅଣଦେଖା କରିଛନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ । ଆଗାମୀ ଦିନରେ କରୋନାର ତୃତୀୟ ଲହର ମାଡିଯିବାର ସମ୍ଭାବନା ଅଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି । ମାତ୍ର ସେ ଦିଗରେ ସରକାର ତତ୍ପର ନାହାନ୍ତି । ଆମ ରାଜ୍ୟ ସରକାର ମଧ୍ୟ ଏ ପ୍ରସଙ୍ଗ ଉତ୍ଥାପନ କରୁ ନାହାନ୍ତି । ଛାତ୍ରଛାତ୍ରୀମାନେ ଗୋଷ୍ଠୀ ସଂକ୍ରମଣର ଶିକାର ହେବାର ଆଶଙ୍କା ରହିଛି । କାରଣ ଗୋଟିଏ ଶ୍ରେଣୀଗୃହରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଏପରିକି ଡ୍ୟାନ୍ସ କ୍ଲାସ ଏବଂ ବିଭିନ୍ନ ଶିକ୍ଷାଦାନ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଏକାଠି ଶ୍ରେଣୀ ଗୃହରେ ବସିଥାନ୍ତି ।

ତେଣୁ ସରକାର ଯୁଦ୍ଧକାଳୀନ ଭିତିରେ ଛାତ୍ରଛାତ୍ରୀଙ୍କ ପାଇଁ କରୋନା ଟିକାର ବ୍ୟବସ୍ଥା କରନ୍ତୁ । ପୂର୍ବରୁ କଂଗ୍ରେସ ସରକାର ସମୟରେ ବସନ୍ତ, ପୋଲିଓ ଇତ୍ୟାଦି ଟିକା ଦେବାରେ ଛାତ୍ରଛାତ୍ରୀମାନଙ୍କ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯାଉଥିଲା । ମାତ୍ର ରାଜ୍ୟ ଓ କେନ୍ଦ୍ର ସରକାର ଛାତ୍ରଛାତ୍ରୀମାନଙ୍କ କଥାକୁ ଭୁଲିଯାଇଛନ୍ତି । ଟିକା କାହାର ବୋଲି ଉଭୟ ନବୀନ ଓ ମୋଦି ଲଢେଇରେ ବ୍ୟସ୍ତ । ପୋଷ୍ଟର ଚିରା, ଫଟୋ ଚିରା, ଫଟୋ ରଖା, ଦଳୀୟ ପତାକା ଉଡା କାର୍ଯ୍ୟରେ ଉଭୟ ବିଜେଡି ବିଜେପି ମାତିଛନ୍ତି । ମାତ୍ର ଛାତ୍ରଛାତ୍ରୀଙ୍କ କଥା କେହି କହୁ ନାହାନ୍ତି । ପେଟ୍ରୋଲ ଓ ଡିଜେଲରେ ତଣ୍ଟି ଚିପି ଜନସାଧାରଣଙ୍କ ଠାରୁ ଅର୍ଥ ଆଦାୟ ହେଉଥିବା ବେଳେ ବିଜେପି ସରକାର ପକ୍ଷରୁ ମାଗଣା ଟିକା ଦିଆଯାଉଛି ବୋଲି ଘୋଷଣା କରିବା ଦୁର୍ଭାଗ୍ୟ ଜନକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଏପଟେ ଓଡ଼ିଶା ସରକାର କୋଭିଡ ଚିକିତ୍ସାର ବିଭିନ୍ନ ଉପକରଣ କିଣାରେ ବ୍ୟାପକ ଦୁର୍ନୀତିରେ ଛନ୍ଦି ହୋଇପଡ଼ିଛନ୍ତି । ସେପଟେ ମୋଦି ଓ ନବୀନ କୋଭିଡ ମୃତ୍ୟୁକୁ ଲୁଚାଇବାକୁ ଚକ୍ରାନ୍ତ ଚଳାଇଛନ୍ତି । ଗଙ୍ଗା ନଦୀରେ ହଜାର ହଜାର କୋଭିଡ ମୃତକଙ୍କ ଶବ ଭାସୁଥିବା ବେଳେ କୋଭିଡ ନିଅନ୍ତ୍ରଣର ଡିଣ୍ଡିମ ପିଟି ମୋଦି ଖୁସି ହେଉଛନ୍ତି । ଭାରତବାସୀ ଓ ଓଡ଼ିଶାବାସୀଙ୍କ ପାଇଁ ଏହାଠାରୁ ବିଡମ୍ବନା ଆଉ କଣ ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହୀ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ କାର୍ତ୍ତିକେଶ୍ୱର କାଣ୍ଡି ଓ ଅବିନାଶ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.